Unknown

 

 

 

 

 

 

 

 

 

ଆମ ମଧୁବାବୁ

ଶ୍ରୀ ନବକିଶୋର ଦାସ, ବି.ଏଲ.

 

ପୂଜନୀୟ ପିତୃଦେବ

ଶ୍ରୀଯୁକ୍ତ ବାମନଚରଣ ଦାସ

କରକମଳେଷୁ

 

ପିତୃଦେବ ଆଜି ଗୃହେ

ଜୀବନ ପୂଜାରୀ

ତବ ପଦ ପ୍ରାନ୍ତେ ନମେ

ଶ୍ରଦ୍ଧା-ଭକ୍ତି ଢାଳି

ତବ ଦତ୍ତ ଜୀବନେ ମୋ

ବାଣୀ ଆରାଧନା

ସକଳ କରମ କୋଳେ

ତବ ଉପାସନା

ରତେ ମୁହିଁ, ପିତୃଦେବ

ନ ଦେବ କି ପ୍ରୀତି

କଣ୍ଠେ ଖାଲି ଗାଇବି ମୁଁ

ଜୀବନର ଗୀତି

 

ପଲ୍ଲୀବିହାର

ପୋ:ଅ: ବରି-କଟକ

 

ନବକିଶୋର

 

 

ସୂଚୀ

 

ବିଷୟ

ପୂର୍ବାଭାଷ

ବଂଶଲତା ଓ ମଧୁସୂଦନଙ୍କ ଜନ୍ମ

ଶୈଶବ

ଛାତ୍ରାବସ୍ଥା

ବାଲେଶ୍ୱରରେ କାର୍ଯ୍ୟ

କଲିକତା ଜୀବନ

ଓକିଲାତି ଜୀବନ

ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନ

ଅନ୍ୟାନ୍ୟ ଶିଳ୍ପୋନ୍ନତି

୧୦

ବ୍ୟବସ୍ଥାପକ ମଧୁସୂଦନ

୧୧

ଜୀବନର ମଧ୍ୟାହ୍ନ

୧୨

ବକ୍ତା ମଧୁସୂଦନ

୧୩

ପଦ୍ୟ କର୍ତ୍ତାମଧୁସୂଦନ

୧୪

ସାମ୍ବାଦିକ ମଧୁସୂଦନ

୧୫

ମନ୍ତ୍ରୀ ମଧୁସୂଦନ

୧୬

କୁଳବୃଦ୍ଧ ମଧୁସୂଦନ

୧୭

ମଧୁସୂଦନଙ୍କ ବ୍ୟକ୍ତିତ୍ଵ ଓ ନୀତି

୧୮

ମହାଯାତ୍ରୀ ମଧୁସୂଦନ

୧୯

ମଧୁସ୍ମୃତି

 

ପୂର୍ବାଭାଷ

 

ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ

ଉତ୍କଳ ମାତାର ଯୋଗ୍ୟ ନନ୍ଦନ

ଦେଲ ଉତ୍କଳକୁ ନବ ଜୀବନ

ଶିଖାଇଲ ଲୋକେ ଜାତି ବନ୍ଦନ ।

(ଫକୀର ମୋହନ )

 

ଜାତି ଓ ଜାତୀୟ ଜୀବନର ଉତ୍ଥାନ ଏବଂ ପତନ ଅଛି । ଯୁଗେ ଯୁଗେ ଜାତିର ଏହି ଅବସ୍ଥା ଘଟେ ଗୋଟିଏ କାରଣରୁ । ଜାତୀୟ ବୀରଙ୍କ ଦ୍ଵାରା ଜାତି ସଭ୍ୟତା ସୋପାନରେ ଉଚ୍ଚ ସ୍ତରକୁ ଉଠେ; ଜାତୀୟ ବୀରଙ୍କ ବିନା ଜାତି ପତନାଭିମୁଖୀ ହୁଏ । ତେଣୁ ଜାତି ଓ ଜାତୀୟ ଜୀବନର ଇତିହାସ ଆଲୋଚନା କଲାବେଳେ ଜାତୀୟ ବୀରଗଣଙ୍କ ଜୀବନୀ ପର୍ଯ୍ୟାଲୋଚନା ନାଗରିକ ଜୀବନର ଏକ ଅଙ୍ଗ । ଇତିହାସ ବ ଆଉ କ’ଣ ? ଜାତୀୟ ବୀରଗଣଙ୍କ କାର୍ଯ୍ୟାବଳୀର ଧାରାବାହିକ ବିବରଣୀ ।

 

ଜାତୀୟ ବୀରହିଁ ଜାତିର ଜୀବନ ଗଠନ ପାଇଁ କାର୍ଯ୍ୟ କରେ ସେ ସମୟକୁ ଅପେକ୍ଷା କରି ରହେ ନ।ହିଁ । ସମୟ-ଚକ୍ରର ଗତି ପଥକୁ ସେ ତାହାର କର୍ମ ପ୍ରଭାବରେ ବଦଳାଇ ଦିଏ । ତେଣୁ ଯେଉଁ ଜାତୀୟ ବୀରଙ୍କ ସଂକ୍ଷିପ୍ତ ଜୀବନୀ ଆରମ୍ଭ କରାଯାଉଅଛି, ତାହାକୁ ଜୀବନରେ ଏହି ନୀତିଟି ସୁପ୍ରମାଣିତ । କେବଳ ସେତିକି ନୁହେଁ, ଜାତୀୟ ବୀରଗଣଙ୍କ ଜୀବନ ମଧ୍ୟ ବେଳେ ବେଳେ ଆପାତତଃ ବିଫଳ ହେଲା ଭଳି ବୋଧ ହୁଏ । ସେମାନଙ୍କ ଉଦ୍ୟମ, ପ୍ରଚେଷ୍ଟା, ପ୍ରଗାଢ଼ ଅଧ୍ୟବସାୟ ପଣ୍ଡ ହେଲା ବୋଲି ଅନେକ ହୁରି ଛାଡ଼ନ୍ତି । ତେଣୁ ମଧୁସୂଦନଙ୍କ ଜୀବନ ବିଷୟରେ ମଧ୍ୟ ସେହିପରି ମତ ବ୍ୟକ୍ତି କରିବା ଅସୀମଚୀନ ନୁହେଁ । କିନ୍ତୁ ଦୁରଦୃଷ୍ଟି ସହିତ ଭାବିଲେ ଦେଖାଯିବ ଯେ ସଭ୍ୟତା ଓ ସଂସ୍କୃତିର ପଥରେ ଜାତୀୟ ବୀରଗଣଙ୍କ ଜୀବନ କେବେ ଅକାରଣରେ ଯାଏ ନ।ହିଁ । ପ୍ରତ୍ୟୋକ ବୀରଙ୍କ ଜୀବନ ଜାତୀୟ ସଭ୍ୟତା ଓ ସଂସ୍କୃତିର ସୋପାନକୁ ସୁଦୃଢ଼ କରେ, ତେଣୁ ଜାତିପାଇଁ ଜୀବନବ୍ୟାପୀ ସାଧନା ଦ୍ଵାରା ଅକ୍ଲାନ୍ତ ପରିଶ୍ରମ କରି ମଧୁସୂଦନ କିପରି ରଜାଭଳି ରୋଜଗାର କରି ମଧ୍ୟ ଫକୀର ହୋଇ ମରିଛନ୍ତି, ତାହା ଅନୁଧ୍ୟାନ କରିବାର କଥା । ମଧୁସୂଦନଙ୍କ ଜୀବନରେ ତ୍ରୁଟି ଥାଇପାରେ, ପ୍ରତ୍ୟେକ ମନୁଷ୍ୟର ଥିବା ସ୍ଵାଭାବିକ, କିନ୍ତୁ ତାହାସତ୍ତ୍ୱେ ଯେ ଏପରି କାମ କରି ପାରିଛନ୍ତି, ତେଣୁ ତାଙ୍କ ଜୀବନୀ ଆମର ଆହୁରି ଆଦରଣୀୟ ହେବା କଥା । ମହାତ୍ମାମାନଙ୍କର ଯେ ଦୋଷ ନାହିଁ, ଏମନ୍ତ ନୁହେଁ, କିନ୍ତୁ ସେ ଦୋଷ ଥାଇ ଯେ ସେମାନେ ମହାତ୍ମା ହୋଇ ପାରିଛନ୍ତି; ତେଣୁ ସେ ଜୀବନକୁ ଅନୁସନ୍ଧାନ କରି ଆମ୍ଭେମାନେ ଜୀବନରୁ ଦୋଷକୁ ଏଡ଼ାଇ ପାରିବୁ ଓ ଗୁଣତକ ଗ୍ରହଣ କରିବୁଁ । ସେଥିପାଇଁ କବି ନନ୍ଦକିଶୋର ଗାଇଥିଲେ __

 

‘‘ଯେତେ କାନ ଥିବ ଓଡ଼ିଆ ଜାତି ଇତିହାସରେ

ଥିବ ତୁମ୍ଭ ନାମ ହେମମୟ ଅକ୍ଷରେ।’’

 

ତେଣୁ ମଧୁସୂଦନଙ୍କ ଜୀବନ ଚରିତ ଓ ଚରିତ୍ରର ସଂକ୍ଷିପ୍ତ ସମାଲୋଚନା କରାଯାଉ ।

 

୨. ବଂଶଲତା ଓ ମଧୁସୂଦନଙ୍କ ଜନ୍ମ

ସତ୍ୟଭାମାପୁର କଟକ ଜିଲାର ଏକ କ୍ଷୁଦ୍ର ଗ୍ରାମ । ଗ୍ରାମଟି କଟକ ନଗରଠାରୁ ଉତ୍ତର ପୂର୍ବ ଦିଗରେ ବାର ମାଇଲ ଦୁରରେ ଅବସ୍ଥିତ । ଉତ୍କଳର ସାଧାରଣ ଗ୍ରାମମାନଙ୍କ ପରି ଗ୍ରାମଟି ଶସ୍ୟକ୍ଷେତ୍ର ଦ୍ଵାରା ପରିବେଷ୍ଟିତ ।

 

ସେହି ଗ୍ରାମରେ ଏକ ସମ୍ଭ୍ରାନ୍ତ ବଂଶରେ ମଧୁସୂଦନଙ୍କ ଜନ୍ମ । ସେହି ବଂଶଟି ସେ ଅଞ୍ଚଳରେ ବେଶ୍‍ ସୁଖ୍ୟାତ ଅର୍ଜ୍ଜନ କରିଥିଲେ । ମଧୁସୂଦନଙ୍କ ପ୍ରପିତାମହୀ (ପଣ ସାଆନ୍ତମା) ନିଜେ ସତୀ ହୋଇଥିଲେ । ମଧୁସୂଦନଙ୍କ ପିତା ଚୌଧୁରୀ ରଘୁନାଥ ଦାସ ସେ କାଳରେ ଜଣେ ଓକୀଲ ଥିଲେ । ମଧୁସୂଦନଙ୍କ ମାତାଙ୍କ ନାମ ପାର୍ବତୀ ଦେଇ । ମଧୁସୂଦନ ଜନ୍ମ ହେଲାବେଳକୁ ବଂଶର ପୂର୍ବ ଧନ ନ ଥିଲା । କିନ୍ତୁ ବଂଶଗତ ସମ୍ମାନ ଅକ୍ଷୁର୍ଣ୍ଣ ଥିଲା । ସମ୍ରାନ୍ତ ପରିବାରଟି ଅନେକ ମଠକୁ ଜମି ଦାନ କରିଥିଲେ, ଅନେକ ମନ୍ଦିର ତୋଳାଇ ଥିଲେ । ତେଣୁ ସେହି ଅଞ୍ଚଳରେ ଏହି ସମ୍ଭ୍ରାନ୍ତ କୁଳଟିକୁ ଜମିଦାର ବଂଶ ବୋଲି ସମସ୍ତେ ଯଥେଷ୍ଟ ସମ୍ମାନ ଦେଖାଉଥିଲେ । ପ୍ରବାଦ ଅଛି ମଧୁସୂଦନଙ୍କ ପିତାମହ (ସାଆନ୍ତ ବାପା) ଉଜନା ନନ୍ଦଙ୍କ ସମୟରେ ଘର ଦୁଆରମୁହଁରେ କଂସା କବାଟ ଲାଗିଥିଲା । ଏପରି କି ମଧୁସୂଦନ ଜନ୍ମ ହେଲା ବେଳକୁ ତାଙ୍କର ଘୋଡ଼ା ଅସ୍ତାବଲରେ ଥିଲେ । ମଧୁସୂଦନ ସ୍ଵ ପରିବାରର ବିଭବ ସ୍ଵଚକ୍ଷୁରେ ଦେଖିନଥିଲେହେଁ, ଶିଶୁ ଅବସ୍ଥାରୁ ସେହି ସମ୍ପଦ ସ୍ଵପ୍ନରେ ଦୀକ୍ଷିତ ହୋଇଥିଲେ ।

 

ଚୌଧୁରୀ ରଘୁନାଥ ଦାସଙ୍କ ପ୍ରଥମ କନ୍ୟା ଜନ୍ମ ହେବା ପରେ ଖ୍ରୀ: ଅ : ୧୮୪୮ ମସିହା ଅପ୍ରେଲ ମାସ ୨୮ ତାରିଖରେ ମଧୁସୂଦନ ଜନ୍ମଗ୍ରହଣ କରିଥିଲେ । ମଧୁସୂଦନଙ୍କ ଜନ୍ମ ପୂର୍ବରୁ ତାଙ୍କ ବଂଶରେ ଯେଉଁ ‘ସତ୍ୟ’ ଘଟଣା ଘଟିଥିଲା; ସେ ସମ୍ପର୍କରେ ମଧୁସୂଦନ ଏକ ରଚନା ଲେଖିଥିଲେ । ତହିଁରେ ସେ ଲେଖିଅଛନ୍ତି ଯେ ‘‘ନିଘନ ବଂଶର ପ୍ରପିତାମହୀ ଜଣେ ସତୀ ଥିଲେ । ସେ ତାହାଙ୍କ ସ୍ଵାମୀଙ୍କ ଚିତାରେ ନିଜକୁ ଆହୁତି ଦେଇଥିଲେ । ଏହା ମୋ ଜନ୍ମ ପୂର୍ବରୁ ଘଟିଥିଲା; କିନ୍ତୁ ମୋ ବାଲ୍ୟକାଳରେ ମୋ ନିଜ ସାଆନ୍ତମା ସେହି ଦୃଶ୍ୟ ଦେଖିଥିଲେ । କୌଣସି ବ୍ୟକ୍ତିର ହାତ ଲେଖାରୁ ଆମ୍ଭେମାନେ କେବଳ ଅକ୍ଷର ଦେବୁନାହିଁ, ସେହି ବ୍ୟକ୍ତିର ମାନସିକ ଅବସ୍ଥା ମଧ୍ୟ ଦେଖୁଁ । ମୋର ତାଙ୍କ ଜୀବନ୍ତ ବର୍ଣ୍ଣନାର ପୂର୍ଣ୍ଣ ସ୍ମୃତି ମନରେ ଅଛି । ସତୀର ସ୍ଵାମୀ ଚାରିଦିନ ସକାଶେ ବେମାର ଥିଲେ । ସେ ଖାଇବାକୁ ମନା କଲେ । ସେ ବୋଧ କଲେ ଯେ ତାଙ୍କ ସ୍ରଷ୍ଟ।ଙ୍କଠାରୁ ତାଙ୍କର ଶେଷ ଡାକରା ଆସିଗଲା ତାଙ୍କ ସ୍ତ୍ରୀ (ସତୀ) ସେହି ରୋଗ ଶଯ୍ୟାରେ ତାଙ୍କର ସେବା କରୁଥିଲେ ।’’

 

ଶେଷରେ ମଧୁସୂଦନ ଲେଖିଅଛନ୍ତି, “ସତୀ ଚିତା ଚାରିପାଖ ତିନିଥର ବୁଲି ଆସିଲେ, ପ୍ରଣାମ କଲେ ଏବଂ ଚିତା ଉପରକୁ ଯାଇ ଫୁଲମାଳ ତାଙ୍କ ସ୍ୱାମୀଙ୍କ ଗଳାରେ ପିନ୍ଧାଇ ଦେଲେ । ସେ ତାଙ୍କ ସ୍ୱାମୀଙ୍କ ପାଦ ପାଖରେ ହାତଯୋଡ଼ି ବସିରହିଲେ ଏବଂ ଚିତାରେ ନିଆଁ ଲଗାଇବା ପାଇଁ ଆଦେଶ ଦେଲେ ।’’

 

ମଧୁସୂଦନ ଜନ୍ମ ହେବା ପରେ ତାଙ୍କ ପିତାଙ୍କର ମଧ୍ୟ ଆଗ ଦୁଇଟି ସନ୍ତାନ ଜାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ତାଙ୍କ କନିଷ୍ଠ ଭ୍ରାତା ଗୋପାଳବଲ୍ଲଭ ଦାସ ଅନ୍ୟତମ । ମଧୁସୂଦନ ଶୈଶବ ଅବସ୍ଥାରେ ତାଙ୍କ ସାଆନ୍ତ ମାଙ୍କ ଯତ୍ନରେ ପ୍ରତିପାଳିତ ହୋଇଥିଲେ । ସାଆନ୍ତ ମା ନବଜାତ ଶିଶୁଟିକୁ ବଡ଼ ସ୍ନେହ ଦୃଷ୍ଟିରେ ଦେଖୁଥିଲେ ।

 

ସାଆନ୍ତ ମା ଶିଶୁ ମଧୁସୂଦନ ପ୍ରାଣରେ ବଂଶର ସମସ୍ତ ଅତୀତ ସ୍ମୃତି ଜାଗରୁତ କରିଥିଲେ ଏବଂ ପ୍ରାୟ ଅଜ୍ଞାତରେ ଶିଶୁ ଅନ୍ତରରେ ଭବିଷ୍ୟତ ପାଇଁ ଉଚ୍ଚ ଆଦର୍ଶ ବୀଜ ରୋପଣ କରିଥିଲେ । ବୃଦ୍ଧା ଅନେକ ବର୍ଷଯାଏ ବଞ୍ଚିଥିଲେ ।

 

‘‘ମଧୁସୂଦନଙ୍କ ନିଜ ବୋଉ ପାର୍ବତୀ ଦେଇ ଉଦାରହୃଦୟା, ନାରୀ ଥିଲେ । ନିଜେ ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ଗର୍ବ ତାଙ୍କଠାରେ ଆଦୌ ଦେଖା ଯାଉ ନ ଥିଲା । ପାର୍ବତୀ ଦେବୀ ଦେଖିବାକୁ ସାବନା ବର୍ଣ୍ଣ । ସେ ଆଧୁନିକ ଶିକ୍ଷାରେ ଶିକ୍ଷିତା ନ ଥିଲେ ମଧ୍ୟ ବୁଦ୍ଧିମତୀ ଥିଲେ । ପାର୍ବତୀ ଦେବୀ ତାଙ୍କ ଗ୍ରାମରେ ଦରିଦ୍ରମାନଙ୍କର ଆଶ୍ରୟଦାତ୍ରୀ ଥିଲେ । ସେ ସମସ୍ତଙ୍କ ଦୁଃଖରେ ସମ ବେଦନା ପ୍ରକାଶ କରୁଥିଲେ । ଏପରି କି ମଧୁସୂଦନ ପରକାଳରେ ଯେଉଁ ସବୁ ଟଙ୍କା ତାଙ୍କୁ ଦେଉଥିଲେ, ସେ ତାହା ଦରିଦ୍ରମ।ନଙ୍କୁ ମୁକ୍ତହସ୍ତରେ ବାଣ୍ଟି ଦେଉଥିଲେ । ମଧୁସୂଦନ ତାଙ୍କ ବୋଉଙ୍କଠାରୁ ଗୋଟିଏ ନୀତି ଭଲ ରୂପେ ଶିଖିଥିଲେ,-

 

“ଆଲୋ ସଖି, ଆପଣା ମହତ ଆପେ ରଖି ।’’

 

୩. ଶୈଶବ

ମଧୁସୂଦନଙ୍କର ବାଲ୍ୟ ଚପଳତା ଯଥେଷ୍ଟ ଥିଲା । ସାଧାରଣ ପିଲାଙ୍କ ଭଲି ସେ ଗାଁରେ ଏଣେତେଣେ ବୁଲୁଥିଲେ । ଗାଁ ଅବଧାନଙ୍କ ସଙ୍ଗେ ଥଟ୍ଟା ପରିହାସ ଖେଳୁଥିଲେ । କିନ୍ତୁ ତାହାଙ୍କର ତୀକ୍ଷ୍‌ଣ ମେଧା ଥିଲା । ଗାଁ ଅବଧାନେ ଜାଣିଥିଲେ ଯେ ମଧୁସୂଦନ ତାଙ୍କ ଚାଟଶାଳୀରେ ସବୁଠାରୁ ବୁଦ୍ଧିଆ ଛାତ୍ର । ଦିନେ କୌଣସି କାରଣରୁ ମଧୁସୂଦନ ରାଗିଯାଇ ଖାଇବେ ନାହିଁ ବୋଲି ତାଙ୍କ ମା’ଙ୍କୁ କହିଲେ । ମା ପୁତ୍ରର କଥା ଶୁଣି ତୁନି ହୋଇ ରହିଲେ । ରାତିରେ ମଧୁସୂଦନଙ୍କୁ ଭାରୀ ଭୋକ ଲାଗିଲା । ସେ ଆଉ କ୍ଷୁଧା ସମ୍ଭାଳି ନ ପାରି ତାଙ୍କ ମା ପାର୍ବତୀ ଦେବୀଙ୍କୁ ଉଠାଇଲେ ଏବଂ ଖାଇବାକୁ ମାଗିଲେ । ପାର୍ବତୀ ଦେବୀ କେବଳ ଧୀର ଗମ୍ଭୀର ସ୍ଵରରେ ଉତ୍ତର ଦେଲେ, “ତୁ ପରା କହିଲୁ ଖାଇବୁ ନ।ହିଁ’’ । ତୋ କଥାଟି କଣ ତୁ ରଖିବୁ ନାହିଁ ?’’ ମଧୁସୂଦନ ତାଙ୍କ ମାତାଙ୍କ ଏହି କୋମଳ ଅଥଚ କଠୋର ଆଦେଶ ଶୁଣି ତୁନି ହୋଇ ଶୋଇ ପଡ଼ିଲେ ।

 

ମଧୁସୂଦନଙ୍କ ଶିକ୍ଷା ଏକ ଗ୍ରାମ୍ୟ ପାଠଶାଳାରେ ଆରମ୍ଭ ହୋଇଥିଲା । ମଧୁସୂଦନଙ୍କ ପିତା ଚୌଧୁରୀ ରଘୁନାଥ ଏକ ଅବଧାନ ପରେ ରଖାଇ ପୁତ୍ରର ଶିକ୍ଷା ଭାଗ ତାଙ୍କ ହାତରେ ଅର୍ପଣ କରିଥିଲେ । ପ୍ରଥମେ ମଧୁସୂଦନ ଓଡ଼ିଆ ଅକ୍ଷର ଚିହ୍ନିବା, ପଢ଼ିବା ଓ ଅଙ୍କ ପ୍ରଭୃତି କଷିବାରେ ମନୋନିବେଶ କଲେ । ଅବଧାନେ ତାଙ୍କ ଘରେ ଖାଉଥିଲେ ଏବଂ ମାସିକ ସାତ ଟଙ୍କା ବେତନ ଗ୍ରହଣ କରୁଥିଲେ । ମଧୁସୂଦନ ତାଙ୍କ ଲିଖିତ ଅସମ୍ପୂର୍ଣ୍ଣ ଆତ୍ମଚରିତରେ ସେହି ସମୟ ଚାଟଶାଳୀରେ ଏକ ସୁନ୍ଦର ଚିତ୍ର ଦେଇ ଅଛନ୍ତି ।

 

ମଧୁସୂଦନ ମାଟିରେ ବସି ଖଡ଼ିଧରି ଓଡ଼ିଆ ଅକ୍ଷର ସବୁ ଲେଖୁଥିଲେ ଏବଂ ଅବଧାନ ମାଟି କାନ୍ଥରେ କେତେ ହିସାବ ପ୍ରଭୃତି ଟିପାଟିପି କରୁଥିଲେ । ଅନେକ ସମୟରେ ତାଙ୍କ ଘର କାନ୍ଥରେ ସ୍ତ୍ରୀମାନଙ୍କ ଦ୍ଵାରା ସୁନ୍ଦର ସୁନ୍ଦର ଚିତା ପଡ଼ୁଥିଲା । ଶିଶୁ ମଧୁସୂଦନ ଖଡ଼ିପାଠ ସାରି ତାଳପତ୍ର, ଲେଖନ ଧରି ପୋଥି, ଖେଦା ଲେଖିବାକୁ ଆରମ୍ଭ କରିଥିଲେ । ସେ ବାଲ୍ୟକାଳରୁ ମେଧାବୀ ଓ ତର୍କପ୍ରିୟ ଥିଲେ ।

 

ଏହି ସମୟରେ ତାହାଙ୍କୁ ସମସ୍ତେ ଅତି ସମ୍ମାନ ଚକ୍ଷୁରେ ଦେଖୁଥିଲେ ଏବଂ ଭାବୁଥିଲେ ଯେ ମଧୁସୂଦନ ଏକ ଐତିହାସିକ ବଂଶର ମୁଖ ଉଜ୍ଵଳ କରିବେ ଏବଂ ଚତୁପାର୍ଶ୍ୱସ୍ଥ ବେଷ୍ଟନୀରୁ ମଧୁସୂଦନ ନିଜେ ନିଜେ ଗର୍ବ ଅନୁଭବ କରିବାପାଇଁ ଅନେକ ଉପାଦାନ ପାଇଥିଲେ ।

 

୪. ଛାତ୍ରାବସ୍ଥା–

ମଧୁସୂଦନଙ୍କ ଗ୍ରାମ୍ୟ ଶିକ୍ଷା ସମାପ୍ତ ହେବା ପୂର୍ବରୁ ଏକ ପ୍ରସିଦ୍ଧ ଜ୍ୟୋତିଷ ତାଙ୍କ ଗ୍ରାମକୁ ଆସିଥିଲେ । ସେ ଶିଶୁ ମଧୁସୂଦନଙ୍କ କୋଷ୍ଠୀ ପ୍ରଭୁତି ଦେଖି ଚୌଧୁରୀ ରଘୁନାଥ ଦାସଙ୍କୁ କହିଲେ ଯେ ଏହି ପିଲାକୁ ଇଂରାଜୀ ବିଦ୍ୟାଳୟକୁ ପଠାନ୍ତୁ । ତେଣେ ଚୌଧୁରୀ ରଘୁନାଥ ପୁତ୍ରଙ୍କୁ କଟକ ମୁକାମକୁ ଆଣି ଗଭର୍ଣ୍ଣମେଣ୍ଟ ଜିଲ୍ଲାସ୍କୁଲରେ ମଧୁସୂଦନ ନାମ ଲେଖାଇ ଦେଲେ । କର୍ମବୀର ଗୌରୀଶଙ୍କର ଏଠାରେ କେତେଦିନ ପାଇଁ ତାଙ୍କର ଗୃହ–ଶିକ୍ଷକ ଥିଲେ । କଟକ ବିଦ୍ୟାଳୟରେ ଅଧ୍ୟୟନ କରିବାପରେ ସେ ବଙ୍ଗାଳୀ ପିଲା ଓ ଶିକ୍ଷକଙ୍କ ସମ୍ପର୍କରେ ଆସିଥିଲେ । ଇଷ୍ଟଇଣ୍ଡିୟା କମ୍ପାନୀ ଶାସନ ଫଳରୁ ଅନେକ ବଙ୍ଗାଳୀ ସେତେବେଳେ ଉତ୍କଳକୁ ଆସିଥିଲେ । ସେମାନେ ଅନେକ ବର୍ଷ ଧରି ଇଂରାଜୀ ଶାସନାଧୀନରେ ଥିବାରୁ ଇଂରେଜୀ ଭାଷା ଓ ଶାସନ ପଦ୍ଧତି ଉତ୍ତମରୂପେ ଅବଗତ ହୋଇଥିଲେ, ତେଣୁ ଉତ୍କଳ ଶାସନ କ୍ଷେତ୍ରରେ ସେମାନେ ଉଚ୍ଚ ରାଜକର୍ମଚାରୀମାନଙ୍କୁ ବଡ଼ ସାହାଯ୍ୟ କରୁଥିଲେ । ସେତେବେଳେ ଉତ୍କଳର ଲୋକେ ବଙ୍ଗାଳୀଙ୍କ ଭଳି ଇଂରେଜୀ ଶାସନ ପଦ୍ଧତି କିମ୍ବା ଶିକ୍ଷା ସହିତ ସେପରି ସଂପୃକ୍ତ ନ ଥିଲେ । ସୁତରାଂ ଉତ୍କଳବାସୀମାନଙ୍କୁ ଘୃଣା ଚକ୍ଷୁରେ ଦେଖିବା ବଙ୍ଗାଳୀମାନଙ୍କ ପକ୍ଷେ ସ୍ଵାଭାବିକ ଥିଲା । ଉତ୍କଳ ଭାରତର ପବିତ୍ର ଭୁଇଁ । ତେଣୁ ଉତ୍କଳବାସୀମାନେ ବଙ୍ଗାଳୀମାନଙ୍କ ଦ୍ୱାରା ଗୃହୀତ ବୈଦେଶିକ ଜୀବନଯାପନ ପ୍ରଣାଳୀ ଗ୍ରହଣ କରିବାକୁ କୁଣ୍ଠିତ ଥିଲେ । ଭାଷା, ପୋଷାକ, ପରିଚ୍ଛଦ, ଖାଦ୍ୟ ପ୍ରଭୃତି ପ୍ରତ୍ୟେକ ବିଷୟରେ ବଙ୍ଗାଳୀ ଓ ଓଡ଼ିଆମାନଙ୍କ ମଧ୍ୟରେ ପ୍ରଭେଦ ପରିଲକ୍ଷିତ ହେଉଥିଲା ।

 

ତେଣୁ ବିଦ୍ୟାଳୟରେ ମଧୁସୂଦନଙ୍କୁ ସାଧାରଣତଃ ବଙ୍ଗାଳୀ ଛାତ୍ରମାନେ ଘୃଣା ଚକ୍ଷୁରେ ଦେଖୁଥିଲେ ଏବଂ ଅଧିକାଂଶ ସମୟରେ ମଧୁସୂଦନଙ୍କ ପ୍ରତି ସେମାନେ କୁବ୍ୟବହାର କରୁଥିଲେ । ମଧୁସୂଦନଙ୍କୁ ସେମାନେ ପରିହାସ ଚକ୍ଷୁରେ ଦେଖୁଥିଲେ ଏବଂ ତାଙ୍କୁ ପରିହାସପୂର୍ଣ୍ଣ କଥା ବାରମ୍ବାର କହୁଥିଲେ । ମଧୁସୂଦନ ତନ୍ତୀବୁଣା ଲୁଗା ପିନ୍ଧୁଥିଲେ ଏବଂ ଦେହରେ ତତ୍‌କାଳୀନ ଉତ୍କଳ ପ୍ରଚଳିତ “ମିରଯାଇ’’ ପରିଧାନ କରୁଥିଲେ । ମଧୁସୂଦନ ତାଙ୍କର ଏହି ଛାତ୍ର ଜୀବନର କୌତୁକକର ଘଟନାବଳୀ ତାଙ୍କ ଅସମ୍ପୂର୍ଣ୍ଣ ଆତ୍ମ-ଜୀବନ-ଚରିତରେ ବର୍ଣ୍ଣନ କରିଅଛନ୍ତି । ସେ ସମୟରେ ତାଙ୍କ ସ୍କୁଲର ଜଣେ ପ୍ରବେଶିକା ପରୀକ୍ଷା ପାଶ (Entrance Pass)ବଙ୍ଗାଳୀ ଯୁବକ ପ୍ରଧାନ ଶିକ୍ଷକ ଥିଲେ । ପ୍ରଧାନ ଶିକ୍ଷକ ଶ୍ରେଣୀରେ ଇଂରାଜୀ ପଢ଼ାଉଥିଲେ । ଦିନେ ଶ୍ରେଣୀର ପାଠ୍ୟପୁସ୍ତକର କୌଣସି ବାକ୍ୟକୁ ଗୋଟିଏ ଧରଣରେ ପ୍ରଧାନ ଶିକ୍ଷକ ବୁଝାଇଲେ । ମଧୁସୂଦନ ସେ ପ୍ରକାର ଅର୍ଥ ଗ୍ରହଣ କଲେ ନାହିଁ । ବାଳକ ମଧୁସୂଦନ ସାହସର ସହିତ ଶ୍ରେଣୀରେ ପ୍ରତିବାଦ କରି ନିଜେ ବୁଝିବା ଅର୍ଥ ବ୍ୟକ୍ତ କଲେ ।

 

ପ୍ରଧାନ ଶିକ୍ଷକ ବାଳକର ଏହି ସତ୍‍ସାହସକୁ ଅବାଧ୍ୟକ୍ଷ ମନେକରି ମଧୁସୂଦନଙ୍କୁ ଏକାବେଳକେ ସ୍କୁଲରୁ ବିତାଡ଼ିତ କଲେ ବାଳକ ମଧୁସୂଦନଙ୍କ ମୁଣ୍ଡରେ ବଜ୍ରପାତ ହେଲା । ସେ ସେଦିନ ରାତ୍ରରେ ଆଦୌ ଶୋଇ ପାରିଲେ ନାହିଁ । ଏହି ପ୍ରସଙ୍ଗରେ ସେ ନିଜେ ତାଙ୍କ ଆତ୍ମଜୀବନଚରିତରେ ନିମ୍ନ ଭାବରେ ଲେଖି ଅଛନ୍ତି ।

 

“ମୁଁ ମୋର ବିଦ୍ୟାଳୟରୁ ବିତାଡ଼ିତ ହେବାର ଅର୍ଥ ବେଶ ଅନୁଭବ କରିଥିଲି । ଇଂରେଜି ଶିକ୍ଷାର ଭବିଷ୍ୟତ ଉନ୍ନତ ପଥରେ ଏହା ପୂର୍ଣ୍ଣଛେଦ ପକାଇ ଥିଲା । ଇଂରେଜ ଜ୍ଞାନପାଇଁ ସେତେବେଳେ ବଙ୍ଗାଳୀମାନେ ଏତେ ପ୍ରାଧାନ୍ୟ ଲାଭ କରିଥିଲେ । ଏହି ଭାଷାଜ୍ଞାନ ବିନା ମୋ ଭବିଷ୍ୟତ ଜୀବନ ଏକ ଶୁଷ୍କ ମରୁ ଭ୍ରମଣ ସଦୃଶ ହେବା ସମ୍ଭବପର।’’

 

ଅନେକ ଛାତ୍ର ତାହାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଉପଦେଶ ଦେଲେ । କିନ୍ତୁ ସ୍ଵାଧୀନଚେତା ମଧୁସୂଦନ ଏପରି କାର୍ଯ୍ୟ କରିବାକୁ ସ୍ଵୀକୃତି ହେଲେ ନାହିଁ । ସେ ଏ ବିଷୟ ବିଭାଗୀୟ ଉଚ୍ଚକର୍ତ୍ତା ମିଷ୍ଟର ହେଲିଙ୍କୁ ଜଣାଇଲେ । ହେଲି ନିଜେ ବିଦ୍ୟାଳୟକୁ ଯାଇ ଏ କଳହର ସୁମୀମାଂସା କଲେ, ଏବଂ ମଧୁସୂଦନ ପୁଣି ସେହି ବିଦ୍ୟାଳୟର ଛାତ୍ର ହେଲେ । ଏହି ଘଟଣା ପରେ ସେ ଗୋଟିଏ ଉଚ୍ଚନୀତି ଜୀବନରେ ଉପଲବ୍‌ଧି କରିବାକୁ ଚେଷ୍ଟା କରିଥିଲେ । ସେ ତାଙ୍କ ଲିଖିତ ଆତ୍ମଜୀବନଚରିତରେ ନିମ୍ନଭାବରେ ଲେଖି ଅଛନ୍ତି : -“ମୁଁ ଜନ୍ମଗତ ସମ୍ମାନ ଓ ନିଜ ଦ୍ଵାରା ଅର୍ଜିତ ସମ୍ମାନର ପାର୍ଥକ୍ୟ ଶିଖିଲି, ଏବଂ ଭବିଷ୍ୟତ ଜୀବନରେ ଏହି ଆତ୍ମ-ଅର୍ଜିତ ସମ୍ମାନ ପାଇବା ପାଇଁ ଚେଷ୍ଟା କରିବି ବୋଲି ଠିକ୍ କଲି ।

 

ବାଳକ ମଧୁସୂଦନ ଷୋଳବର୍ଷ ବୟସରେ ଖ୍ରୀ: ଅ: ୧୮୬୪ ମସିହାରେ ତତ୍‌କାଳୀନ କଲିକତା ବିଶ୍ଵ ଭାରତୀ (University)ର ପ୍ରବେଶିକା ପରୀକ୍ଷା (Entrance Examination)ରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

୫. ବାଲେଶ୍ଵରରେ କାର୍ଯ୍ୟ–

ମଧୁସୂଦନଙ୍କ ବିଦ୍ୟାଳୟ ଜୀବନ ଶେଷ ହେଲା । କିନ୍ତୁ ଉଚ୍ଚଶିକ୍ଷା ପାଇଁ ମଧୁସୂଦନ ବଡ଼ ଆବେଗ ନୟନରେ ଚାହିଁ ରହିଥିଲେ । ସେତେବେଳେ ଉତ୍କଳରେ କୌଣସି ବିଦ୍ୟାପୀଠ (Co।।ege)ନ ଥିଲା । ତେଣୁ ଉଚ୍ଚଶିକ୍ଷା ପାଇଁ ତାଙ୍କୁ କଲିକତା ଯିବାକୁ ହେବ । ସେତେବେଳେ କଲିକତାକୁ ରେଳପଥ ନ ଥିଲା କିମ୍ବା ଉଚ୍ଚଶିକ୍ଷା ଲାଭ କରିବାପାଇଁ ପ୍ରଚୁର ଅର୍ଥ ମଧୁସୂଦନଙ୍କର ନ ଥିଲା । ତେଣୁ ମଧୂବାବୁଙ୍କ କଲିକତା ଯାତ୍ରା ଓ କଟକ ପରିତ୍ୟାଗ ମଧ୍ୟରେ କିଛି କାଳ ଅତିବାହିତ ହୋଇଥିଲା । ଜନମୁଖରୁ ଶୁଣାଯାଏ, ସେ କିଛିଦିନ ପାଇଁ ବାଲେଶ୍ଵରରେ କୌଣସି ରାଜକାର୍ଯ୍ୟରେ ସଂପୃକ୍ତ ଥିଲେ । ଆହୁରି ମଧ୍ୟ ଶୁଣାଯାଏ ଯେ ସେ ସମୟରେ ତାଙ୍କର ଜଣେ କିଏ ଆତ୍ମୀୟ ବାଲେଶ୍ଵରରେ କୌଣସି ରାଜକାର୍ଯ୍ୟ କରୁଥିଲେ, ତେଣୁ ମଧୁସୂଦନ କଟକରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଶ୍ଚୟ ବାଲେଶ୍ଵରରେ କୌଣସି କାର୍ଯ୍ୟ ଗ୍ରହଣ କରିଥିଲେ । ହୁଏତ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ । ସ୍ଵର୍ଗୀୟ ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀବନୀରେ ମଧୂବାବୁଙ୍କ ଏହି ସମୟର କାର୍ଯ୍ୟ ବର୍ଣ୍ଣନା କରିଅଛନ୍ତି । ତେଣୁ ଫକୀରମୋହନଙ୍କ ଲିଖିତ ବିବରଣୀକୁ ସତ୍ୟରୂପେ ଗ୍ରହଣ କରାଯାଇପାରେ । ତାହାହେଲେ ମଧୁସୂଦନଙ୍କ ଏହି ଜୀବନକୁ ଆଉ ଅଜ୍ଞ।ତ ବୋଲି ଧରାଯାଇ ପାରିବ ନ।ହିଁ । ଫକୀରମୋହନ ଲେଖିଛନ୍ତି , ‘‘ବାବୁ ମଧୁସୂଦନ ଦାସ (Honourab।e M.S. Dass, C.I.E.) ସେ ସମୟରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଥାର୍ଡ ମାଷ୍ଟର ଥିଲେ । ତାଙ୍କର ବସା ମଧ୍ୟ ଗଡ଼ଗଡ଼ିଆ ସମୀପରେ ଥିଲା । ଗ୍ରୀଷ୍ମକାଳରେ ଆମ୍ଭେମାନେ ପ୍ରାୟ ପ୍ରତିଦିନ ପରସ୍ପର କଥୋପକଥନ ଓ ବାୟୁସେବନ ନିମନ୍ତେ ଉକ୍ତ ପୁଷ୍କରିଣୀର ପକ୍କାଘାଟରେ ଏକତ୍ରିତ ହେଉଥିଲୁଁ । ପିତାଙ୍କ ଭୟରେ ରାଧାନାଥ ଦିବାଲୋକରେ ପ୍ରକାଶ୍ୟରେ ଆମ୍ଭମାନଙ୍କ ସହିତ ଆସି ବସି ପାରନ୍ତି ନାହିଁ । ଦିନେ ଦିନେ ରାଧାନାଥ, ସନ୍ଧ୍ୟା ଉତ୍ତାରେ ଆସି ପହଞ୍ଚି ଯାଆନ୍ତି । କିନ୍ତୁ ମଧୁସୂଦନ ପ୍ରତ୍ୟହ ଆସି ଅ।ମ୍ଭମାନଙ୍କ ଦଳରେ ମିଶୁଥିଲେ । ସେହି ତରୁଣ ବୟସରେ ମଧ୍ୟ ତାଙ୍କର ଉଚ୍ଚାକାଂକ୍ଷା ବିଷୟ ଶୁଣି ଆମ୍ଭେମାନେ ସ୍ତମ୍ବିତ ହୋଇ ଯାଇଥିଲୁଁ । ସେ ସେଠାରୁ କର୍ମତ୍ୟାଗ କରି କଲିକତା ଚାଲି ଯାଇଥିଲେ ।’’ ବୋଧହୁଏ କଲିକତା ଯିବାପାଇଁ ଶିକ୍ଷକତା କରି ମଧୁସୂଦନ କିଛି ଅର୍ଥ ଉପାର୍ଜନ କରିଥିଲେ ଏବଂ ଏକାକୀ ସେ ଉଚ୍ଚ ଆଦର୍ଶ ଅନ୍ତରରେ ରଖି ପଦବ୍ରଜରେ କିମ୍ବା ଚାନ୍ଦବାଲିଠାରୁ ଷ୍ଟିମରରେ କଲିକତା ଅଭିମୁଖରେ ଯାତ୍ରା କଲେ-। ସେତେବେଳେ କଥା ଥିଲା, “ହଳଦୀ ମଖାମଖି, ନ।ରଣଗଡ ପାରି ହେଲେ କୁଟୁମ୍ବ ଦେଖାଦେଖି-।’’

 

କିନ୍ତୁ ଯୁବକ ମଧୁସୂଦନ ନିଜ ଉଚ୍ଚାକାଂକ୍ଷା ପୂରଣ କରିବା ନିମିତ୍ତ ସୁଦୂର ଅପରିଚିତ କଲିକତା ନଗରୀକୁ ନିର୍ଭୟରେ ବାହାରି ଗଲେ । ବୋଧହୁଏ ମଧୁସୂଦନ ଖ୍ରୀ: ଅ: ୧୮୬୬ ଯାଏ ବାଲେଶ୍ଵରରେ ଥିଲେ ।

 

୬. କଲିକତା ଜୀବନ–

କଲିକତାରେ ମଧୁସୂଦନଙ୍କ ଜୀବନରେ ଅନ୍ୟ ଏକ ଅଧ୍ୟାୟ ଉନୁକ୍ତ ହେଲା । ସେଠାରେ ତାଙ୍କର ଜଣା ଲୋକ କେହି ନ ଥିଲେ । ଓଡ଼ିଆ ବା ଯେଉଁମାନେ ସେଠି ଥିଲେ ସେମାନେ ସମସ୍ତେ ଶ୍ରମିକ । ସର୍ବଦା ସେମାନେ ସେ ଦେଶରେ ଘୃଣିତ । ମଧୁସୂଦନଙ୍କର ବାଲ୍ୟକାଳରୁ ବଙ୍ଗାଳୀମାନଙ୍କ ସଙ୍ଗେ ସଂଘର୍ଷ ଲାଗି ସାରିଥିଲା । ପୁଣି ତାଙ୍କର ଦେଶରେ ବାସ କରି ସେମାନଙ୍କ ସହିତ ଚଳିତା କିପରି ଭୟାବହ ତାହା ତାଙ୍କ ମନରେ ନାନା ସନ୍ଦେହ ଉପୁଯାଇଥିଲା । କିନ୍ତୁ ମଧୁସୂଦନ ଓଡ଼ିଆ ଯୁବକ । ଯୌବନର ଅଦମ୍ୟ ଉତ୍ସାହ ଓ ଉଚ୍ଚଶିକ୍ଷାପ୍ରୀତି ତାହାଙ୍କୁ ତାଙ୍କ କର୍ତ୍ତବ୍ୟପଥରେ ଅଟଳ ରଖିଥିଲା । ସେ ଯେ କେବଳ କଲିକତାରେ ବାସ କଲେ ତାହା ନୁହେଁ, କଲିକତାରେ ବାସ ସଙ୍ଗେ ସଙ୍ଗେ ସେ ତାଙ୍କ ଜାତୀୟ ସମ୍ମାନ ଅଭିବୃଦ୍ଧି ଦିଗରେ ନାନା ପ୍ରଚେଷ୍ଟା କରିଥିଲେ ।

 

୧୮୬୬ ମସିହାରେ ସେ ଏଫ୍.ଏ ଶ୍ରେଣୀରେ ନାମ ଲେଖାଇ ଥିଲେ ଏବଂ ୧୮୬୮ ମସିହାରେ ସେ ଏଫ୍.ଏ. ପାସ୍‌ କଲେ । ତାଙ୍କରି ଏହି ବିଦ୍ୟାପୀଠ ଜୀବନ ବଡ଼ ଦୁଃଖମୟ । ସେ ତତ୍‌କାଳୀନ ଏକ ଖ୍ରୀଷ୍ଟୀୟ ମିସନରୁ ମାସିକ ଆଠ ଟଙ୍କା ବୃତ୍ତି ପାଇ ବିଦ୍ୟାପୀଠ ଜୀବନ ଯାପନ କରୁଥିଲେ । ଏପରି କି ମଧୁସୂଦନ ଅନେକ ରାତ୍ରିରେ କଲିକତା ସହର ରାସ୍ତା ପାଖ ଆଳୁଅରେ ତାଙ୍କ ପାଠ୍ୟ ପୁସ୍ତକ ପଢ଼ୁଥିଲେ । ସେ ଅନେକ ସମୟରେ ଖାଇବାକୁ ନ ପାଇ ଓପାସ ରହୁଥିଲେ; କେଉଁ ଦିନ ଅବା ମୁଢ଼ୀ ଦୁଇ ପଇସ।ର ଖାଇ ଜୀବନ ଧାରଣ କରୁଥିଲେ । ତଥାପି ସେ ତାଙ୍କ ଆଦର୍ଶରୁ ବିଚଳିତ ହୋଇ ନ ଥିଲେ । ଘରୁ କୌଣସି ସାହାଯ୍ୟର ଆଶା ନ ଥିଲା । ଏଫ୍.ଏ. ପାସ ପରେ ସେ ୧୮୬୯ ମସିହାରେ ଖ୍ରୀଷ୍ଟୀୟ ଧର୍ମରେ ଦୀକ୍ଷିତ ହେଲେ । କାହିଁକି ମଧୁସୂଦନଙ୍କ ଖ୍ରୀଷ୍ଟୟ ଧର୍ମ ଗ୍ରହଣ କଲେ ? ଏହି ଛାତ୍ର ଅବସ୍ଥାରେ ମଧୁସୂଦନଙ୍କ ଯୁବକ ପ୍ରାଣରେ ଖ୍ରୀଷ୍ଟଧର୍ମର ପ୍ରେମ ଭାବ ଓ ଯୀଶୁଙ୍କର ତ୍ୟାଗମୟ ଜୀବନ ଖୁବ୍ ସ୍ପନ୍ଦନ ଦେଇଥିଲେ । ସେ ପ୍ରାୟ ମିସନରୀମାନଙ୍କ ଉସ।ହପୂର୍ଣ୍ଣ ବକ୍ତୃତା ଶୁଣିଥିବେ, ଖ୍ରୀଷ୍ଟୀୟ ଗ୍ରନ୍ଥ ପଢ଼ିବାକୁ ପାଇଥିବେ । ବିଶେଷତଃ ଯୀଶୁ ମରିବାକୁ ଯାଉଛନ୍ତି କିନ୍ତୁ କହିଛନ୍ତି “ପିତା ସେମାନଙ୍କୁ କ୍ଷମା ଦିଅ, ସେମାନେ କଣ କରୁଛନ୍ତି ସେମାନଙ୍କୁ ଜଣା ନ।ହିଁ ।’’ ଏହି ବାକ୍ୟ ତାଙ୍କ ପ୍ରାଣକୁ ବଡ ସ୍ପର୍ଶ କରିଥିଲା । ପରେ ଖ୍ରୀ: ଅ: ୧୯୧୪ ମସିହା ଉତ୍କଳ ସମ୍ମିଳନୀ ବକ୍ତୃତ।ରେ ତାଙ୍କର ଏହି ଧର୍ମାନ୍ତର ଗ୍ରହଣକୁ ଦାର୍ଶନିକ ଚକ୍ଷୁରେ ଦେଖି ସେ ଇଂରେଜିରେ କହିଥିଲେ –“ମୁଁ ଖ୍ରୀଷ୍ଟୀୟାନ ହୋଇଛି, କାରଣ ପ୍ରାଚୀର ଶ୍ରେଷ୍ଠ ଚରିତ୍ରର ଆଦର୍ଶ ଅନୁସରଣ କରିବାକୁ । ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ ।’’

 

କିନ୍ତୁ ଯୁବକ ମଧୁସୂଦନ କେବଳ ଧର୍ମ ବିଶ୍ଵାସରେ ଅନୁପ୍ରାଣିତ ହୋଇ ଖ୍ରୀଷ୍ଟୀୟାନ ହୋଇ ନ ଥିଲେ । କାରଣ ତାଙ୍କର ପରକାଳ ଜୀବନର ଚିନ୍ତାଧାରା ପ୍ରତି ଲକ୍ଷ୍ୟ କଲେ ଜଣାଯିବ ଯେ ସେ ଖ୍ରୀଷ୍ଟୀୟାନ ଅପେକ୍ଷା ବେଶି ହିନ୍ଦୁ । ପ୍ରକୃତରେ ପରେ ମଧୁସୂଦନଙ୍କର ଧର୍ମଭାବ ଉଚ୍ଚଧରଣର । ଏହା ଧର୍ମ, ଦଳ ଓ ଆବଦ୍ଧ ନୁହେଁ । ପ୍ରାୟ ଆର୍ଥିକ ଅସୁବିଧାରୁ ଅତ୍ୟାହତ ଲାଭ ନିମନ୍ତେ ସେ ଖ୍ରୀଷ୍ଟିୟାନ ହେଲେ ଏବଂ ଲଣ୍ଡନ ମିସନାରୀ ଅସୋସିଏସନ ତାଙ୍କୁ ବୃତ୍ତି ଦେଉଥିଲେ । ତେଣୁ ସେ ସଂଘର ପାଦ୍ରୀମାନେ ତାଙ୍କ ଏପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବୋଧ ହୁଏ ପ୍ରଭାବ ପକାଇଥିବେ-। ସେ ସମୟରେ ମଧ୍ୟ ଖ୍ରୀଷ୍ଟୀୟାନ କରିବା ପାଇଁ ପାଦ୍ରୀମାନଙ୍କର ପ୍ରବଳ ଉଦ୍ୟମ ହେଉଥିଲେ ।

 

୧୮୭୦ ମସିହାରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ତାଙ୍କର ସେହି ବିଶ୍ୱଭାରତୀ (University) ଅଧ୍ୟୟନ କାଳରେ ସେ ସଂସ୍କୃତ ଉତ୍ତର ଓଡ଼ିଆରେ ଲେଖିବାକୁ ଗୋଟିଏ ଆନ୍ଦୋଳନ ସୃଷ୍ଟି କରିଥିଲେ । ସେ ସମୟରେ ମଧୁସୂଦନ ଜାଣିଲେ ଯେ ସଂସ୍କୃତ ଉତ୍ତର ନିଜ ନିଜ ମାତୃଭାଷାରେ ଲେଖିବାକୁ ସ୍ଵାଧୀନତା ଛାତ୍ରମାନେ ଲାଭ କରିଥିଲେ ମଧ୍ୟ ଓଡ଼ିଆରେ କେହି ଉତ୍ତର ଲେଖି ପାରୁ ନ ଥିଲେ । ତାହାର କାରଣ ତତ୍କାଳୀନ ସଂସ୍କୃତ ପରୀକ୍ଷକ ଡକ୍ଟର କୃଷ୍ଣମୋହନ ବନ୍ଦୋପାଧ୍ୟାୟ ନିଜେ ଓଡ଼ିଆ ଅନଭିଜ୍ଞ ଥିଲେ । ତେଣୁ ପରୀକ୍ଷା ଉତ୍ତର ଓଡ଼ିଆରେ ଲେଖା ହେଲେ ତାଙ୍କୁ ଅସୁବିଧା ହେବ ବୋଲି କେହି ଓଡ଼ିଆରେ ଲେଖିବାକୁ ଅନୁମତି ପାଇ ନ ଥିଲେ । ମଧୂସୁଦୂନ କଲିକତା ବିଶ୍ଵଭାରତୀର ଗ୍ରନ୍ଥ ଥିବା ସମୟରେ ଏ ବିଷୟରେ ଆନ୍ଦୋଳନ କଲେ ଏବଂ ବିଶ୍ଵଭାରତୀର କତ୍ତୃପକ୍ଷଙ୍କୁ ଜଣାଇଲେ । ଶେଷରେ ମଧୁସୂଦନଙ୍କ ଦାବୀ ପୂରଣ ହେଲା ।

 

କଲିକତା ବିଶ୍ଵଭାରତୀରେ ପଢ଼ିଲାବେଳେ ମଧୁସୂଦନ ବଡ଼ ରୁଗ୍‍ଣ ଥିଲେ । ତାହାଙ୍କୁ ପ୍ରାୟ ସର୍ବଦା ଜ୍ଵର ହେଉଥିଲା । ଏପରି କି ଅନେକ ପରୀକ୍ଷାରେ ସେ ପ୍ରଶ୍ନର ଉତ୍ତର ପୂରାପୂରି ଦେଇପାରନ୍ତି ନାହିଁ । ତଥାପି ସେ ପରୀକ୍ଷାରେ କେବେ ଅକୃତକାର୍ଯ୍ୟ ହେଉ ନ ଥିଲେ ।

 

ମଧୁସୂଦନ ବି.ଏ. ପାଶ ପରେ ଗାର୍ଡନରିଚ୍ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟକ କାର୍ଯ୍ୟ ଗ୍ରହଣ କଲେ । ସେତେବେଳେ ମାସିକ ସେ ଅଶି ଟଙ୍କା ବେତନ ପାଉଥିଲେ । କିନ୍ତୁ ସହରର ସାଧାରଣ ବ୍ୟକ୍ତିଙ୍କ ଅବସ୍ଥା ଉନ୍ନତ କରିବାକୁ ସେମାନଙ୍କୁ ଶିକ୍ଷା ଦେବାଲାଗି ଏବଂ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ –ଏବଂ ସେହି ନୈଶ ବିଦ୍ୟାଳୟ ଲାଗି ତାଙ୍କର ପ୍ରାୟ ମାସିକ କୋଡ଼ିଏଟି ଟଙ୍କା ଖର୍ଚ୍ଚ ହୋଇ ଯାଉଥିଲା । ସେ ସେଠାରେ ଥିଲାବେଳେ ୧୮୭୩ ମସିହାରେ ଇଂରାଜିରେ ଏମ୍ .ଏ. ଉପାଧି ଲାଭ କରିଥିଲେ ଏବଂ ସେହିବର୍ଷ ଏକ ବଙ୍ଗୀୟ ଖ୍ରୀଷ୍ଟୀୟ କୁମାରୀଙ୍କର ପାଣିଗ୍ରହଣ କରିଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ସୌଦାମିନୀ ଥିଲା । ସୌଦାମିନୀ ଗୋଟିଏ ବଙ୍ଗୀୟ ଖ୍ରୀଷ୍ଟୀୟ ପରିବାରର ଶିକ୍ଷିତା କନ୍ୟା ଥିଲେ । ମଧୁସୂଦନ ବିଶ୍ଵ ଭାରତୀରେ ପଢ଼ିଲାବେଳୁ ଏହି କନ୍ୟାଙ୍କୁ ପ୍ରେମ ଚକ୍ଷୁରେ ଦେଖୁଥିଲେ । ସୌଦାମିନୀ ମଧୁସୂଦନଙ୍କ ଠାରୁ ଏକବର୍ଷ ବୟୋଜ୍ୟୋଷ୍ଠ ଥିଲେ । ବିବାହ ହେଲାବେଳକୁ ପତି ଓ ପତ୍ନୀଙ୍କର ବୟସ କ୍ରମାନ୍ଵୟରେ ପଚିଶ ଛବିଶ ବର୍ଷ ଥିଲା । ସେତେବେଳେ ମଧୁସୂଦନ ଆଡ଼ମ୍ବର ପ୍ରିୟ ନ ଥିଲେ । ତେଣୁ ତାଙ୍କର ବିବାହ ମଧ୍ୟ ସେହିପରି ସରଳ ଭାବରେ ସମାହିତ ହୋଇଥିଲା ।

 

୧୮୭୫ ମସିହାରେ ଛାତ୍ରମାନଙ୍କର ଇଂରେଜି ଶିକ୍ଷ। ସୁବିଧା ନିମିତ୍ତ ସେ ଏକ ଇଂରେଜୀ ବ୍ୟାକରଣ ଗ୍ରନ୍ଥ ପ୍ରଣୟନ କରିଥିଲେ । ଗ୍ରନ୍ଥଟିର ନାମ ‘ଆଦର୍ଶପ୍ରଶ୍ନ’ (Mode। questions)। ତତ୍‌କାଳୀନ ବିଶ୍ଵ-ଭାରତୀ ପରୀକ୍ଷାରେ ଏହା ଛାତ୍ରମାନଙ୍କୁ ବଡ଼ ସାହାଯ୍ୟ କରୁଥିଲା । ତେଣୁ ବହିଟି ଖୁବ୍ ବିକ୍ରି ହେଉଥିଲା । ଏପରି କି ୧୮୮୪ ମସିହାରେ ଏହାର ଅଷ୍ଟମ ସଂସ୍କରଣ ହୋଇ ପାରିଥିଲା । ସୁପ୍ରସିଦ୍ଧ ଭୂତପୂର୍ବ ଓକିଲ ଜାନକୀନାଥ ବୋଷ ନିଜେ ଏହି ବହିରୁ ଇଂରେଜୀ ବ୍ୟାକରଣ ଜ୍ଞାନ ଲାଭ କରିଛନ୍ତି ବୋଲି କଟକ ହାଇକୋର୍ଟରେ ମଧୁସୂଦନଙ୍କ ସ୍ମୃତି ବିଷୟ କହିବାକୁ ଯାଇ ପ୍ରକାଶ କରିଥିଲେ । ମଧୁସୂଦନ ସେଠାରେ ଓକାଲତ ପାଶ୍‌ କରି ପ୍ରଥମେ କେତେ ବର୍ଷ ପାଇଁ କଲିକତା ହାଇକୋର୍ଟର ଓଡ଼ିଆ ଟ୍ରାନ୍‌ସଲେଟର ଥିଲେ । ମଧୁସୂଦନ ସେତେବେଳେ କଲିକତାରେ କର୍ମମୟ ଜୀବନଯାପନ କରୁଥିଲେ । ତାଙ୍କର ଆଦୌ ଅବସର ନ ଥିଲା । ସେତେବେଳେ ପଶୁ ପକ୍ଷୀ ପାଳିବା ତାଙ୍କର ଖିଆଲ ଥିଲା ।

 

ସେହି ସମୟରେ ମଧୁସୂଦନ ଜୀବନରେ ଏକ ଶ୍ରେଷ୍ଠ ଶିଷ୍ୟ ଲାଭ କରିଥିଲେ । ଡାକ୍ତର ଗଙ୍ଗାଧର ମୁଖାର୍ଜୀଙ୍କପୁତ୍ର ଆଶୁତୋଷ ତାଙ୍କର ଶିଷ୍ୟ ଥିଲେ । ଡାକ୍ତର ଗଙ୍ଗାଧର ପୁତ୍ରର ଶିକ୍ଷ।ପାଇଁ ବିଶେଷ ଯତ୍ନ ନେଉଥିଲେ । ମଧୁସୂଦନ ସେଠାରେ ଟଙ୍କା ପିତାଙ୍କର ଜଣେ ବିଶିଷ୍ଟ ବନ୍ଧୁ ଥିବାରୁ ଆଶୁତୋଷଙ୍କ ଜୀବନ ଉପରେ ସେ ଖୁବ୍‍ ପ୍ରଭାବ ପକାଇ ପାରିଥିଲେ । ଆଶୁତୋଷ ମଧ୍ୟ ମଧୁବାବୁଙ୍କୁ ତାଙ୍କର ‘ଗୁରୁ’ ବୋଲି ସାଧାରଣ କ୍ଷେତ୍ରରେ ସ୍ଵୀକାର କରୁଥିଲେ ।

 

୧୮୭୮ ମସିହାରେ ଦିନେ ରାତ୍ରିରେ ପିଇବା ପାଣି ଆଣିବା ପାଇଁ ଯାଇ ହଠାତ୍ ବସୁ ବସୁ ମଧୁସୂଦନଙ୍କ ପ୍ରିୟ ପତ୍ନୀ ସୌଦାମିନୀଙ୍କର କଲିଜା ଫାଟିଗଲା । ଡେରି ହେବାର ଦେଖି ମଧୁସୂଦନ ଯାଇ ଦେଖନ୍ତି ଯେ ତାଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଛି । କି କରୁଣ ସେ ଦୃଶ୍ୟ !! ସୌଦାମିନୀ ବଡ଼ ସରଳ ଓ ଉଦାରହୃଦୟା ନାରୀ ଥିଲେ । ଦୟା ଓ ସୌଜନ୍ୟରେ ସେ ସମସ୍ତ ପ୍ରତିବେଶୀଙ୍କୁ ପ୍ରୀତ କରୁଥିଲେ । ସେ ବଡ଼ ଧାର୍ମିକା ଓ ପତିପରାୟଣା ନାରୀ ଥିଲେ । ଏପରି କି ଗୃହର ଭୃତ୍ୟମାନେ ପୀଡ଼ିତ ହେଲେ ସୌଦାମିନୀ ନିଜେ ସେମାନଙ୍କର ସେବା କରୁଥିଲେ । ସୌଦାମିନୀ ଓ ମଧୁସୂଦନଙ୍କ ମଧ୍ୟରେ ଗଭରୀ ପ୍ରେମ ଥିଲା । ତେଣୁ ମଧୁସୂଦନ ସୌଦାମିନୀଙ୍କ ମୃତ୍ୟୁ ପରେ ଆଉ ଦାର ପରିଗ୍ରହ କରି ନ ଥିଲେ ।

 

ମଧୁସୂଦନ କଲିକତାରେ ରହି ଓକାଲତି କରିଥିଲେ । ଯେତେଦୂର ସମ୍ଭବ ୧୮୮୭ ମସିହାରେ ସେ କଲିକତାରୁ କଟକ ଆସିଥିଲେ ଓ କଟକରେ ଓକିଲାତି ଆରମ୍ଭ କରିଥିଲେ ।

 

୭. ଓକିଲାତି ଜୀବନ–

ମଧୁସୂଦନ ଯେ ଏତେ ପରିଶ୍ରମ କରି ପାଠ ପଢ଼ିଲେ, ତାହା କାହାପାଇଁ ? ଉତ୍କଳର ପ୍ରଥମ ଏମ୍.ଏ., ପ୍ରଥମ ବି.ଏଲ୍ . ପାସକରି ସେ ବା ବିଦେଶରେ କାହିଁକି ତାଙ୍କ ଜୀବନ କଟାଇବେ-? ଉତ୍କଳ ଯେ ତାଙ୍କୁ ଲୋଡ଼ୁଥିଲା, ଏ କଥା ହୁଏତ ସେ ମନେ ମନେ ଭାବୁଥିଲେ । ଅନେକ ବନ୍ଧୁ ମଧ୍ୟ ତାହାଙ୍କୁ ଉତ୍କଳକୁ ଆସିବାକୁ ଉପଦେଶ ଦେଇଥିଲେ । ତେଣୁ ମଧୁସୂଦନ କଟକ ଫେରିଆସି କଟକରେ ଓକିଲାତି ଆରମ୍ଭ କଲେ । ସେତେବେଳେ କଟକ ଅଦାଲତରେ ବଙ୍ଗାଳୀ ଓକିଲଙ୍କର ହିଁ ପ୍ରତିପତ୍ତି, ଏପରି କି ସେମାନେ ମଧୁସୂଦନଙ୍କୁ ଓକିଲଖାନାରେ ବସିବାକୁ ସ୍ଥାନ ଦେଲେ ନାହିଁ; ମହା ପରିହାସ କଲେ । କିନ୍ତୁ ମଧୁସୂଦନଙ୍କ ଅସୀମ ଧୈର୍ଯ୍ୟ, ସହିଷ୍ଣୁତା କ୍ରମେ ଜୟଯୁକ୍ତ ହେଲା । ୧୮୮୩ ମସିହାଠାରୁ ୧୮୯୦ ଯାଏ ମଧୁସୂଦନ ରେଭେନ୍‌ସା ବିଦ୍ୟାପୀଠ (Ravenshaw College)ର ଆଇନ ଅଧ୍ୟାପକ ଥିଲେ । ଆଇନ ଅଧ୍ୟାପକ ଭାବରେ ତାଙ୍କର ବେଶ୍‌ ସୁଖ୍ୟାତି ଥିଲା । ଛାତ୍ରମାନେ ତାଙ୍କ ସୁ-ଅଧ୍ୟାପନା ଯୋଗୁଁ ପରୀକ୍ଷାରେ ଭଲ ଫଳ ଦେଖାଇଥିଲେ ।

 

ତାଙ୍କ ଓକାଲତି ଜୀବନରେ ତ ତାହାକୁ ଛୋଟ ବଡ଼ ଅସଂଖ୍ୟ ମକଦମାରେ ଓକାଲତି ନେବାକୁ ହୋଇଥିବ । କିନ୍ତୁ କେତେଗୁଡ଼ିଏ ପ୍ରସିଦ୍ଧ ମକଦମାରେ ହିଁ ତାଙ୍କର ପ୍ରସିଦ୍ଧି ଦେଶସାରା ବ୍ୟାପି ଯାଇଥିଲା ।

 

(୧) ପୁରୀ ରାଜାଙ୍କ ମକଦମା (୨) ମାନସିଂହପାଟଣା ଡକାୟତି (୩) ଖଣ୍ଡପଡ଼ା ରାଜାଙ୍କ ମକଦମା (୪) କେନ୍ଦୁଝର ରାଜାଙ୍କ ମକଦମା ପ୍ରଭୃତି । ଉପର ଲିଖିତ ଚାରୋଟି ମକଦମାର ସଂକ୍ଷିପ୍ତ ଆଲୋଚନା କରେ ।

 

(୧)

ପୁରୀ ରାଜାଙ୍କ ମକଦମା – ୧୮୮୬ ମସିହାରେ ପୁରୀ ରାଜାଙ୍କ ବିରୁଦ୍ଧରେ ପୁରୀ ଦେଉଳ ସମ୍ବନ୍ଧରେ ସରକାର ତରଫରୁ ଏକ ମକଦମା ହୋଇଥିଲା । ପୁରୀ ଦେଉଳର ଆୟ ବ୍ୟୟ ହିସାବ ବୁଝିବାକୁ କଟକର ଜଜ୍‌ ସାହେବଙ୍କ ଆଦେଶ ଅନୁସାରେ ଜଣେ କର୍ମଚାରୀ (Receiver) ନିଯୁକ୍ତ ହୋଇଥିଲେ । ପୁରୀ ରାଜାଙ୍କ ସମ୍ମାନରେ ଏହା ଯଥେଷ୍ଟ ହାନି ଘଟାଇ ଥିଲା । ତେଣୁ ଜଜ୍‍ସାହେବଙ୍କର ଏହି ରାୟ ବିରୁଦ୍ଧରେ କଲିକତା ହାଇକୋର୍ଟରେ ଅପିଲ ହେଲା । ମଧୁସୂଦନ ପ୍ରଥମେ କଲିକତାର ବଡ଼ ବଡ଼ ଓକିଲ ଓ ବାରିଷ୍ଟର ଗୁରୁଦାସ ବନ୍ଦୋପାଧ୍ୟାୟ, ରାସବିହାରୀ ଘୋଷ, ମିଷ୍ଟର ଉଡ୍‌ଲଫ ଓ ମିଷ୍ଟର ଇଭାନ୍‌ସଙ୍କ ସଙ୍ଗେ ପରାମର୍ଶ କଲେ । କିନ୍ତୁ ସେମାନେ ମଧୁସୂଦନଙ୍କୁ କୌଣସି ଅନୁକୂଳ ମତ ଦେଲେ ନାହିଁ । ତେଣୁ ମଧୂବାବୁ ନିଜ ମକଦମା ସପକ୍ଷରେ ସମସ୍ତ ଯୁକ୍ତି ଚିଠା କରି ମିଷ୍ଟର ଉଡ୍‌ରଫ ସାହେବଙ୍କୁ ଦେଲେ । ତହୁଁ ମିଷ୍ଟର ଉଡ୍‍ରଫ ହାଇକୋର୍ଟରେ ମକଦମା ଚଳାଇଲେ । ଅବଶେଷରେ ହାଇକୋର୍ଟର ପ୍ରଧାନ ବିଚାରପତି ସରକାରଙ୍କ ବିରୁଦ୍ଧରେ ରାୟ ଦେଲେ । କେବଳ ସେତିକି ନୁହେଁ, ବଙ୍ଗର ତତ୍‍କାଳୀନ ଲାଟ ସାହେବ ପୁରୀ ରାଜାଙ୍କ ସହିତ ମକଦମା ରଫା କରି ଦେବାପାଇଁ ମଧୁବାବୁଙ୍କୁ ତାଙ୍କ କୋଠିକି ଡକାଇଥିଲେ । ସରକାର ଓ ପୁରୀ ରାଜାଙ୍କ ମଧ୍ୟରେ ଗୋଟିଏ ଚୁକ୍ତିପତ୍ର ନିର୍ଦ୍ଧାରିତ ହେଲା । ପୁରୀ ରାଜାଙ୍କୁ ବଂଶାନୁକ୍ରମେ ପୁରୀ ମନ୍ଦିରର ପରିଚାଳକ (Superintendent) ବୋଲି ସରକାର ଗ୍ରହଣ କଲେ ଏବଂ ପରେ ଏପରି ମକଦମା ସରକାର ଚଳାଇ ପାରିବେ ନ।ହିଁ ବୋଲି ସ୍ୱୀକୃତ ହେଲେ । ଏହାଦ୍ଵାରା ମଧୁସୂଦନ ଓଡ଼ିଆ ଜାତିର ଜାତୀୟ ସମ୍ମାନର ଟେକ ରଖିଥିଲେ ।

 

 

(୨)

ମାନସିଂହ ପାଟଣା ଡକାୟତି – ୧୯୦୨ ମସିହାର ମାନସିଂହପାଟଣା ଡକାୟତି ମକଦମା ତାଙ୍କ ଓକାଲତି ଜୀବନରେ ଆଡ ଏକ ଚିତ୍ତାକର୍ଷକ ଘଟଣା । ସେତେବେଳେ କଟକ ମାନସିଂହପାଟଣାରେ ଏକ ଭୀଷଣ ଡକାୟତି ହୋଇ ଅନେକ ସୁନାରୁପା ଚୋରି ଯାଇଥିଲ। ପୁଲିସ୍‍ ନାନା ଅନୁସନ୍ଧାନ କରି ଶେଷରେ ମାନସିଂହ ପାଟଣାର ଦୁଇ ଜଣ ନିରୀହ ବ୍ୟକ୍ତି (ଦାନୀ) ଓ ‘ରଙ୍ଗ।’ କୁ ଚାଲାଣ କଲେ, ଏବଂ ପରେ ସେମାନେ ଦ୍ଵୀପାନ୍ତରେ ଦଣ୍ଡ ପାଇଥିଲେ ।

 

ପୁଲିସ ଯେ କେବଳ ଏହି ଦୁଇଜଣକୁ ଆସାମୀ କରିଥିଲେ ତାହା ନୁହେଁ, ସରକାରଙ୍କୁ ଭିତିରି ଖବର ଦେଇଥିଲେ ଯେ ଚୋରୀ ହୋଇଥିବା ସମସ୍ତ ସୁନାରୂପା ମଧୁସୂଦନଙ୍କ ହସ୍ତଗତ ହୋଇଅଛି । ସେତେବେଳକୁ ମଧୁସୂଦନଙ୍କ ଓଡ଼ିଶା ଆର୍ଟ ଓୟାର ଇଣ୍ଡଷ୍ଟ୍ରି (Orissa Art Ware Industry) କାରଖାନା ହୋଇ ସାରିଥିଲା । ତେଣୁ ପୁଲିସ୍‍ଙ୍କର ବିଶ୍ୱାସ ଥିଲା ଯେ ଏହି କାରଖାନାରେ ଚୋରା ମାଲ-ସୁନାରୂପା ସବୁ ଆଉଟା ହୋଇଛି । ମଧୁସୂଦନଙ୍କ ସ୍ଵାଧୀନତା ଓ ନିର୍ଭୀକ ସମାଲୋଚନା ସ୍ଥାନୀୟ ରାଜକର୍ମଚାରୀଙ୍କର ଚକ୍ଷୁଶୂଳ ହୋଇଥିଲା; ତେଣୁ ପୁଲିସ୍‍ର ଏହିପରି ପ୍ରସ୍ତାବ ସେମାନେ ବା କାହିଁକି ଅକୁଣ୍ଠିତ ଚିତ୍ତରେ ଗ୍ରହଣ ନ କରିବେ । କିନ୍ତୁ ଏହି ମକଦମା ନିଷ୍ପତ୍ତି ହେବାର କିଛି ଦିନ ପରେ ବଙ୍ଗଳା ଗୁପ୍ତଚର ବିଭାଗର ପୁଲିସ୍‍ ଠିକ କଲେ ଯେ ମାନସିଂହପାଟଣା ଡକାୟତି କଲିକତାର ଅନ୍ୟ ଏକ ଡକାୟତ ଦଳଙ୍କଦ୍ଵାରା ହୋଇଥିଲା । ସେମାନେ ଅନ୍ୟ ଗୋଟିଏ ମକଦମାରେ ଧରା ହେଲେ ।

 

ମଧୁସୂଦନ ଏ ସମ୍ବାଦ ପାଇ ବଙ୍ଗଳା ଗଭର୍ଣ୍ଣରଙ୍କୁ ଉକ୍ତ ମକଦମାର ସମସ୍ତ ବିବରଣୀ ଲେଖିଲେ । ତାହାର ଫଳରେ ରଙ୍ଗା ଓ ଦାନୀ ଦ୍ୱୀପାନ୍ତରରୁ ଫେରି ଆସିଲେ । ପୁଲିସ କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ ଆଦେଶ ହେଲା । ସରକାର ମହଲରେ ଏକ ଆନ୍ଦୋଳନ ପଡ଼ିଲା ।

 

ସରକାର ମଧୁସୂଦନଙ୍କ ଉପରେ ବିଶ୍ଵାସ ହରାଇ ନାହାନ୍ତି ଜଣାଇବା ପାଇଁ ୧୯୦୪ ମସିହାରେ ତାହାଙ୍କୁ ସି।. ଆଇ. ଇ. ( C . I .E ) ପଦରେ ଭୂଷିତ କଲେ ।

 

(୩)

ଖଣ୍ଡପଡ଼ା ରାଜାଙ୍କ ମକଦମା – ଖଣ୍ଡପଡ଼ା ରାଜାଙ୍କ ମକଦମା ମଧୁବାବୁଙ୍କ ଓକିଲାତି ଜୀବନରେ ଅନ୍ୟ ଏକ କୀର୍ତ୍ତି । ଖଣ୍ଡପଡ଼ାଙ୍କ ରାଜା ନଟବର ପ୍ରତାପ ସିଂହ ନୂଆପଡ଼ା ମେଳିରେ ସାତଜଣ ଲୋକଙ୍କୁ ମାରି ପକାଇଥିଲେ । ଖଣ୍ଡପଡ଼ାରେ ଏ ସମସ୍ତ କାଣ୍ଡ ଭିଆଇ ରାଜା କଟକ ପଳାଇ ଆସି ମଧୁବାବୁଙ୍କ ସଙ୍ଗେ ସଙ୍ଗାତ ବସିଲେ ଏବଂ କହିଲେ, “ସଙ୍ଗାତ, ଏ ଜୀବନଟା ତମର, ତୁମ ପାଖରେ ଶରଣ ପଶିଲି, ଖଣ୍ଡପଡ଼ା ରାଜ୍ୟ ତମର।’’ ରାଜାଙ୍କୁ ପ୍ରଥମେ ଦ୍ଵୀପାନ୍ତର ଆଦେଶ ହୋଇଥିଲା, କିନ୍ତୁ ମଧୁବାବୁ ହାଇକୋର୍ଟରେ ରାଜାଙ୍କୁ ଖଲାସ କଲେ । ଏହି ମକଦମାରେ ମଧୁସୂଦନ ଓକିଲ ହିସାବରେ ସବୁଠାରୁ ବେଶ ଅର୍ଥ ଏକାଦିନରେ ରୋଜଗାର କରିଥିଲେ । ପ୍ରାୟ ଏକଲକ୍ଷ ଟଙ୍କା ଓ ଅନେକ ସୁନା, ମଣି ମାଣିକ୍ୟ ଓ ଅଳଙ୍କାର ସେ ରାଜାଙ୍କଠାରୁ ଉପହାର ସ୍ୱରୂପ ପାଇଥିଲେ ।

 

 

(୪)

କେନ୍ଦୁଝର ରାଜା ମକଦମା –ଖ୍ରୀ; ଅ: ୧୮୯୧ କେନ୍ଦୁଝର ମେଳି ସମୟରେ ମଧ୍ୟ ମଧୁସୂଦନ ରାଜା ଧନୁର୍ଚ୍ଚୟ ଭଞ୍ଜଙ୍କୁ ଯତ୍‍ପରୋନାସ୍ତି ସାହାଯ୍ୟ କରିଥିଲେ । ଧନୁର୍ଜୟ ଭଞ୍ଜଙ୍କୁ ମେଳି ସମୟରେ କଟକ ବସାରେ ରଖି, ତାଙ୍କପାଇଁ ସରକାରଙ୍କ ନିକଟରେ ଲଢ଼ି ତାଙ୍କୁ ପୁଣି ରାଜ୍ୟ ଫେରି ପାଇବାରେ ସାହାଯ୍ୟ କରିଥିଲେ ମୁଖ୍ୟତଃ ମଧୁସୂଦନଙ୍କ ଲାଗି କେନ୍ଦୁଝର ରାଜା ମେଳି ପରେ ଭାସ ରାଜ୍ୟ ଫେରି ପାଇଥିଲେ ।

 

କେନ୍ଦୁଝର ରାଜ୍ୟର ତତ୍‌କାଳୀନ ମ୍ୟାନେଜର ଫକୀରମୋହନ ବାବୁ ତାଙ୍କ ଆତ୍ମଜୀବନ ଚରିତରେ ଲେଖିଛନ୍ତି –

 

“ଉତ୍କଳର ସର୍ବପ୍ରଧାନ ଓକିଲ ବାବୁ ମଧୁସୂଦନ ଦାସ କେଉଁଝର ମହାରାଜାଙ୍କ ତରଫରୁ କଲିକତାରୁ ଯାଇ ଲେଫ୍‍ଟନେଣ୍ଟ ଗଭର୍ଣ୍ଣରଙ୍କ ଦରବାରରେ ମହାରାଜାଙ୍କ ବିପକ୍ଷରେ ଟୟନବୀ ସାହେବଙ୍କଦ୍ଵାରା ଆନୀତ ବିଦ୍ରୋହ ସମ୍ବନ୍ଧରେ ଦୋଷମାନ ଖଣ୍ଡନ କରି ମହାରାଜଙ୍କ ନିର୍ଦ୍ଧୋଷିତ ପ୍ରମାଣ କଲେ ।’’

 

ଏ କ୍ଷୁଦ୍ର ସଂକ୍ଷିପ୍ତ ଜୀବନୀରେ ତାଙ୍କ ଦୀର୍ଘ ଓକାଲତି ଜୀବନର ନାନା ବିଭାବ ଆଲୋଚନା ହେବା ଅସମ୍ଭବ । ଅଧିବକ୍ତା (Advocate) ଭାବରେ ସେ ତାଙ୍କ ଯୁକ୍ତିତର୍କରେ ଯଥେଷ୍ଟ ମୌଳିକତା ଦେଖାନ୍ତି । ସେ ସାଧାରଣତଃ ଆଇନର ସାଧାରଣ ନୀତି ଦିଗରୁ ତର୍କ ଆରମ୍ଭ କରନ୍ତି ଏବଂ ତାଙ୍କ ସୁଆଲ-ଜବାବ ହାସ୍ୟରସଦ୍ଵାରା ପୂର୍ଣ୍ଣ ହେଉଥିବାରୁ ଶ୍ରୋତୃବର୍ଗଙ୍କର ଚିତ୍ତାକର୍ଷକ ହୁଏ ।

 

ମଧୁସୂଦନ କେବେ କୌଣସି ମକଦମାର ନଥି ତନ୍ନ ତନ୍ନ କରି ନ ଦେଖି ମହକିଲଙ୍କ ପାଇଁ ସୁଆଲ-ଜବାବ କରିବାକୁ ମିସଲରେ ଛିଡ଼ା ହେଉ ନ ଥିଲେ । ଅବଶ୍ୟ ମହକିଲଙ୍କଠାରୁ ବେଶ୍ ଫିସ୍ ନେଉଥିଲେ, କିନ୍ତୁ ତାହା ବିନିମୟରେ ସେ ସେହିପରି ପରିଶ୍ରମ କରୁଥିଲେ । ଅନ୍ୟାନ୍ୟ ଯେଉଁ ଓକିଲମାନେ ତାଙ୍କ ନିକଟରେ ସରକାରୀ ରୂପେ କାର୍ଯ୍ୟ କରୁଥିଲେ, ସେମାନଙ୍କୁ ସେ ମଧ୍ୟ ଉତ୍ତମରୂପେ ଫିସ୍ ଦିଆଉଥିଲେ । ମଧୁସୂଦନଙ୍କ ଅନେକ ଯୁନିୟର ଓକିଲଙ୍କଠାରୁ ଏ ବିଷୟରେ ଚିଠି ଓ ପ୍ରମାଣ ମିଳିଅଛି । ସେମାନଙ୍କର ମତ ଯେ ମଧୁସୂଦନ କୌଣସି ନଥି ଯୁନିୟରମାନଙ୍କୁ କାମ କରିବାକୁ ହେଲେ ତାହା ସହିତ ଯଥା ପ୍ରାପ୍ୟ (ବେଳେ ବେଳେ ପ୍ରାପ୍ୟଠାରୁ ମଧ୍ୟ ଅତି ଅଧିକ) ଟଙ୍କା ସେମାନଙ୍କୁ ଦିଆଉଥିଲେ ।

 

ଓକିଲ ଭାବରେ ମଧୁସୂଦନଙ୍କ ଏହି ଗୁଣପାଇଁ ସେ ଦେଶରେ ସମସ୍ତ ମହକିଲଙ୍କର ପ୍ରଶଂସାଭାଜନ ହୋଇଥିଲେ ।

 

ଓକିଲ ଭାବରେ ସେ ସୁବକ୍ତା ଓ ଆଇନ ଶାସ୍ତ୍ରରେ ସୁପଣ୍ଡିତ ଥିଲେ । ତାଙ୍କର ବିଚକ୍ଷଣତା, ପ୍ରତ୍ୟୁତ୍ପନ୍ନମତି, ତର୍କର ମୌଳିକତା ତାଙ୍କୁ ଆଇନ ବ୍ୟବସାୟରେ ଶ୍ରେଷ୍ଠ ଆସନ ଦେଇଥିଲା; ଏପରି କି ଉତ୍କଳରେ ସେ ଅନେକ ଓକିଲଙ୍କର ଆଦର୍ଶ ହୋଇ ପାରିଥିଲେ, ଦାଣ୍ଡରେ ପିଲାମାନେ ମଧ୍ୟ କହନ୍ତି –

 

“ପାଠ ପଢ଼ିବି, ଓକିଲ ହେବି

ମଧୁବ।ରିଷ୍ଟର ସଙ୍ଗେ ଲଢ଼ିବି ।’’

 

ମଧୁବାବୁଙ୍କ ଓକିଲାତି ଜୀବନରେ ସ୍ମୃତି ତ ଆଜି ଆମ୍ଭମାନଙ୍କର ପ୍ରବଚନରେ ପରିଣତ ହୋଇଅଛି । ଏହିଠାରେ ହିଁ ତାଙ୍କ ଓକାଲତି ଜୀବନର ସାର୍ଥକତା । ଉଚ୍ଚ ଅଦାଲତର ବିଚାରପତିଙ୍କଠାରୁ ଆରମ୍ଭ କରି ସକଳ ଶ୍ରେଣୀରେ ଓକିଲ, ମୁକ୍ତାର, ମହକିଲ ତାଙ୍କୁ ଏକ ସ୍ଵରରେ ପ୍ରଶଂସା କରିଛନ୍ତି ।

 

ମଧୁସୂଦନ ୧୮୮୭ ଜାନୁୟାରୀ ୨୫ ତାରିଖରେ କଲିକତା ହାଇକୋର୍ଟର ଓକିଲ ହୋଇଥିଲେ । ଖ୍ରୀ: ଅ: ୧୯୧୬ ମସିହାରେ ପାଟଣା ଉଚ୍ଚ ଅଦାଲତ ( High court )ର ଅଧିବକ୍ତା ( Advocate ) ହୋଇଥିଲେ ।

 

୮. ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନ

(କ) ଉତ୍କଳ ସମ୍ମିଳନୀ –

 

ଏହି ସମ୍ମିଳନୀ            ଜାତି ପ୍ରାଣ ସିନ୍ଧୁ

କୋଟି ପ୍ରାଣ ବିନ୍ଦୁ ଧରେ

ତୋର ପ୍ରାଣ ବିନ୍ଦୁ            ମିଶାଇ ଦେ, ଭାଇ ।

ଡେଇଁ ପଡ଼ି ସିନ୍ଧୁ ନୀରେ ।

(ମଧୁବାବୁ)

 

ମଧୁସୂଦନଙ୍କ ଭଳି ଉତ୍ସାହୀ, ଦେଶପ୍ରେମିକ କେବଳ ଯେ ଓକାଲତି କରି ବହୁ ଅର୍ଥ ଉପାର୍ଜନ କରି ଶାନ୍ତିରେ ରହିବେ, ତାହା ଅସମ୍ଭବ । ଅବଶ୍ୟ ମଧୁସୂଦନ ସମ୍ମିଳନୀ ପ୍ରତିଷ୍ଠା କରିବା ପୂର୍ବରୁ ବଙ୍ଗ ବ୍ୟବସ୍ଥାପକ ସଭାରେ ଯୋଗ ଦେଇଥିଲେ । ସେ ପ୍ରସଙ୍ଗ ବ୍ୟବସ୍ଥାପକ ମଧୁସୂଦନ ପ୍ରସଙ୍ଗରେ ଆଲୋଚନା କରିବି । ମଧୁସୂଦନ ଉତ୍କଳ ସମ୍ମିଳନୀ କଲେ କାହିଁକି ? ଏହି ପ୍ରଶ୍ନର ଉତ୍ତରରେ ଆମ୍ଭେମାନେ ଦେଖିବା ଯେ ମଧୁସୂଦନଙ୍କ ଜୀବନରେ ସବୁଠାରୁ ଶ୍ରେଷ୍ଠ ଲକ୍ଷ୍ୟ ଉତ୍କଳର ସଂଗଠନ ଓ ଓଡ଼ିଆ ଜାତିକୁ ଏକ ଶାସନାଧୀନ କରିବା । ଏହା ବ୍ୟତୀତ ୧୯୦୩ ମସିହାରେ କେତେଗୁଡ଼ିଏ ଘଟଣା ଘଟିଲା ଯେଉଁ କାରଣରୁ ସେ ଉତ୍କଳ ସମ୍ମିଳନୀ ସୃଷ୍ଟି କରିବାକୁ ବଦ୍ଧପରିକର ହେଲେ ।

 

ବଙ୍ଗଳାର ସମସାମୟିକ ରାଜନୀତିଜ୍ଞ ସୁରେନ୍ଦ୍ରନାଥ ସେହି ସମୟରେ ଗୋଟିଏ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଗଠନ କରିଥିଲେ ଏବଂ ଉତ୍କଳକୁ ସେହି ଅନୁଷ୍ଠାନର ଅଧୀନ କରିବାକୁ ମଧୁବାବୁଙ୍କ ଅନୁରୋଧ କରିଥିଲେ ।

 

 

୨.

୧୯୦୩ ମସିହାର ଇଷ୍ଟର ଛୁଟିରେ ଗଞ୍ଜାମ ଅଞ୍ଚଳବାସୀମାନେ ‘‘ଗଞ୍ଜାମ ଜାତୀୟ ସମିତି’’ର ଗୋଟିଏ ସଭା ଆୟୋଜନ କରିଥିଲେ । ତହିଁରେ ମଧୁସୂଦନ ଯୋଗ ଦେଇଥିଲେ ଏବଂ ତାଙ୍କ ମନରେ ଭାବ ଆସିଥିଲା ଯେ ଏମିତି ଗୋଟିଏ ଉତ୍କଳର ଜାତୀୟ ସମ୍ମିଳନୀ ଗଢ଼ିଲେ ଯୁଗୋଚିତ ହେବ ।

 

 

୩.

୧୯୦୨ ରେ କଲିକତା ବିଶ୍ଵ ଭାରତୀରେ ଓଡ଼ିଆ ଏକ ଭାଷା ରୂପେ ଗୃହୀତ ହେଲା । କିନ୍ତୁ ସେଥିପାଇଁ ବଙ୍ଗାଳୀମାନେ ନାନା ନିରର୍ଥକ ଆପତ୍ତି ଉଠାଇଥିଲେ ।

 

ତେଣୁ ବଙ୍ଗ ଓ ଉତ୍କଳ ମଧ୍ୟରେ ଏକ ଫାଙ୍କା ସୃଷ୍ଟି ହୋଇଥିଲା । ଏଣେ ଉତ୍କଳର ସ୍ୱତନ୍ତ୍ରତା ରଖିବା ଲାଗି ସେ ସମୟରେ ଭଦ୍ରବ୍ୟକ୍ତିମାନେ ଚେଷ୍ଟା କରୁଥିଲେ । ତେଣୁ ମଧୁସୂଦନ ସୁରେନ୍ଦ୍ରନାଥଙ୍କ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିରେ ଯୋଗ ନ ଦେଇ ଏକ ସ୍ୱତନ୍ତ୍ର ସମ୍ମିଳନୀ ଉତ୍କଳପାଇଁ ସୃଷ୍ଟି କଲେ ।

 

୧୯୦୩ ମସିହା ଅକ୍ଟୋବର ପଚିଶି ତାରିଖରେ କଟକ କନିକା ରାଜବାଟୀରେ ଗୋଟିଏ ପ୍ରାରମ୍ଭିକ ଅଧିବେଶନରେ ମଧୁସୂଦନ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଜଣାଇବାକୁ ଯାଇ କହିଥିଲେ –

 

“ଇଉରୋପରେ ନେଶନ ଅର୍ଥାତ୍ ଜାତି ଶବ୍ଦ ଗୋଟିଏ ରାଷ୍ଟ୍ର ବା ଦେଶର ଲୋକ ସମୂହକୁ ବୁଝାଏ । ଇଉରୋପୀୟ ଜାତି ସମୂହ ପରସ୍ପରଠାରୁ ଯେଉଁ ପରିମାଣରେ ବିଭିନ୍ନ, ଭାରତବର୍ଷର ପ୍ରାଦେଶିକ ଲୋକ ସମୂହ ସେହିପରି ନାନା ବିଷୟରେ ପରସ୍ପର ଠାରୁ ବିଭିନ୍ନ ।

 

ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରତା ବର୍ଦ୍ଧନ କରିବା ପାଇଁ ଦୃଢ଼ ନିର୍ବନ୍ଧ ସହିତ କୌଣସି ଜାତୀୟ ଅନୁଷ୍ଠାନ କରିବା ଏକାନ୍ତ ଆବଶ୍ୟକ ।

 

ଅତଏବ ଏକ ଜାତିର ଉନ୍ନତି ନିମିତ୍ତ ଅପର ଜାତିର ସଙ୍ଗ ଆବଶ୍ୟକ ଏବଂ ପ୍ରସ୍ତାବିତ ଉତ୍କଳୀୟ ସାର୍ବଜନୀନ ସଭା ସେହି ନୀତି ଅନୁସାରେ ପ୍ରତିଷ୍ଠିତ ହେବା ଉଚିତ । ଉକ୍ତ ମହାସଭାରେ ଓଡ଼ିଆ ଜାତି ଓ ସେଥି ସଙ୍ଗେ ଏକୀଭୁତ ଉତ୍କଳୀୟମାନେ ନିମନ୍ତ୍ରଣକାରୀ ଓ ଶିକ୍ଷାର୍ଥୀର ସ୍ଥଳାଭିଷିକ୍ତ ହେବେ । ବର୍ତ୍ତମାନ ଅବସ୍ଥାରେ ଦୋଷାଦୋଷ ବିଚାର ଅପେକ୍ଷା ଆତ୍ମା ନିର୍ଭର ସହ ଉଦ୍‌ଯୋଗ ଅଧିକ ଶ୍ରେୟସ୍କର । ଏହା ଜାଣି ଶାସନତନ୍ତ୍ରର ସମାଲୋଚନା ଓ ଧର୍ମ ବିଷୟକ ତର୍କାଦି ସମ୍ପୂର୍ଣ୍ଣରୂପେ ବର୍ଜ୍ଜନ କରିବା ଉଚିତ ।’’

 

ତେଣୁ ଉତ୍କଳ ସମ୍ମିଳନୀ ଗଠନ କରିବା ବେଳେ ମଧୁବାବୁଙ୍କ ଲକ୍ଷ୍ୟ ଅଲଗା ଥିଲା । ଉତ୍କଳର ସାମାଜିକ, ବୈଷୟିକ ଓ ଆର୍ଥିକ ଉନ୍ନତି କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଉତ୍କଳ ସମ୍ମିଳନୀ ତାହାର ଜୀବନ କାଳ ମଧ୍ୟରେ ଦେଶର କିପରି ଓଡ଼ିଆ ଆନ୍ଦୋଳନ ଚଳାଇବା ସଙ୍ଗେ ନାନା ଦେଶହିତକର କାର୍ଯ୍ୟ କରିବାକୁ ଚେଷ୍ଟା କରିଛି, ତାହାର ସଂକ୍ଷିପ୍ତ ପରିଚୟ ମାତ୍ର ଦିଆଯାଇଛି-

 

ଖ୍ରୀ: ଅ: ୧୯୦୩ ମସିହାରେ ଏହାର ପ୍ରଥମ ଆରମ୍ଭ । ଏହି ସମ୍ମିଳନୀଗୁଡ଼ିକର ପ୍ରସ୍ତାବଳୀ ଓ କାର୍ଯ୍ୟକ୍ରମ ଆଲୋଚନା କଲେ ଜଣାଯାଏ । ଯେ ମୁଖ୍ୟତଃ ଏହା ଉତ୍କଳର ସର୍ବବିଧ ଉନ୍ନତି ନିମିତ ପ୍ରଚେଷ୍ଟା କରୁଥିଲା ।

 

(୧) ପ୍ରାକୃତିକ ଉତ୍କଳର ଏକତ୍ରୀକରଣ ।

(୨) ଉତ୍କଳର କୃଷି, ବାଣିଜ୍ୟ ଓ ଶିଳ୍ପର ଉନ୍ନତି ସାଧନ ।

(୩) ଉତ୍କଳରେ ଶିକ୍ଷା ଓ ସାହିତ୍ୟ ପ୍ରଚାର ।

 

ସମ୍ମିଳନୀର ପ୍ରତ୍ୟେକ ଅଧିବେଶନରେ ପ୍ରାୟ ଏହିପରି ଧରଣର ପ୍ରସ୍ତାବ ଗୃହୀତ ହୋଇଅଛି ଏବଂ ସେଥିପାଇଁ ମଧ୍ୟ କ୍ଷୀଣ ଚେଷ୍ଟାରେ କେତେକ କାର୍ଯ୍ୟ କରାଇବାର ଚେଷ୍ଟା କରା ହୋଇଅଛି । ମଧୁବାବୁ ସମ୍ମିଳନୀର ଜନ୍ମଦାତା ଓ ମନ୍ତ୍ରଦାତା ରୂପେ ନିଜେ ଅନ୍ତରରେ ଅନେକ କଳ୍ପନା ଜଳ୍ପନା କଲେ ମଧ୍ୟ ଦେଶର ତତ୍‍କାଳୀନ ବେଷ୍ଟନୀ ତାଙ୍କର ପ୍ରତିବନ୍ଧକ ହୋଇଥିଲା । ସମ୍ମିଳନୀ ଉତ୍କଳର ଜାତୀୟ-ଜାଗରଣର ପଥ –ପ୍ରଦର୍ଶକ କହିଲେ ଅତ୍ୟୁକ୍ତି ହେବ ନ।ହିଁ ।

 

ସୂକ୍ଷ୍ମତା ମଧୁବାବୁଙ୍କ ଜାତି ଗଠନ ପରିକଳ୍ପନା ଘେନି ସମ୍ମିଳନୀ ସଂଗଠିତ ହୋଇଥିଲା ଏବଂ ସେ ଏହାର ପ୍ରଥମେ ସମ୍ପାଦକ ଓ ପରେ ଦୁଇଟି ଅଧିବେଶନରେ ସଭାପତି ହୋଇଥିଲେ ।

 

(ଖ) ଓଡ଼ିଆ ଆନ୍ଦୋଳନ– ପ୍ରାକୃତିକ ଉତ୍କଳ ଓ ରାଜନୀତିକ ଉତ୍କଳ ସମାନ ନୁହେଁ । ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜର ଚାରୋଟି ପ୍ରଦେଶରେ ଉତ୍କଳ ଛିନ୍ନ ବିଚ୍ଛିନ୍ନ ହୋଇ ଚାରି ଶାସନାଧୀନ ହୋଇ ରହିଥିଲା । ତେଣୁ ଏସବୁ ଅଞ୍ଚଳକୁ ମିଶାଇ ଏକ ଶାସନାଧୀନ କରିବା ଲାଗି ଉତ୍କଳରେ ଯେଉଁ ଆନ୍ଦୋଳନ ହୋଇ ଆସୁଥିଲା, ତାହାକୁ ହିଁ ଆମ୍ଭେମାନେ ଓଡ଼ିଆ ଆନ୍ଦୋଳନ କହୁଁ-। କିନ୍ତୁ ଏ ଆନ୍ଦୋଳନକୁ କେବଳ ସ୍ଥୂଳ ଦୃଷ୍ଟିରେ ଦେଖିଲେ ହେବ ନ।ହିଁ । ବରଂ ଓଡ଼ିଆ ଜାତୀୟତାର ନାନା ବିଭାଗର ବିକାଶ ଏହି ଆନ୍ଦୋଳନରେ ବ୍ୟକ୍ତ । ମଧୁସୂଦନ ବ୍ୟକ୍ତିଗତ ଭାବରେ ଏହି ଆନ୍ଦୋଳନ ପାଇଁ ଅନେକ କାର୍ଯ୍ୟ କରି ଯାଇଅଛନ୍ତି । ଛିନ୍ନ ଭିନ୍ନ ଉତ୍କଳକୁ ଏକ ଶାସନାଧୀନ ଦେଖି ଯିବା ତାଙ୍କର ଏକ ଚିରଇପ୍‌ସିତ ଆଶା ଥିଲା ଏବଂ ମରିବା ପୂର୍ବରୁ ନବ ଉତ୍କଳ ପ୍ରଦେଶ ଦେଖି ବୃଦ୍ଧ କମ୍ ଆନନ୍ଦ ଲାଭ କରି ନ ଥିଲେ ।

 

ବ୍ୟକ୍ତିଗତ ଭାବରେ ମଧୁସୂଦନ ନାନା ସ୍ଥାନରେ ନାନା ଭାବରେ ଏହି ଆନ୍ଦୋଳନରେ କାର୍ଯ୍ୟ କରି ଯାଇଅଛନ୍ତି । ବ୍ୟବସ୍ଥାପକ ସଭାଠାରୁ ଆରମ୍ଭ କରି ନାନା ସଭାରେ, କମିଟି ସମ୍ମୁଖରେ ଇଂଲଣ୍ଡରେ ଓଡ଼ିଆର ଏହି ଜାତୀୟ ଅଭାବ ଜଣାଇ ଆସିଅଛନ୍ତି । ୧୮୯୫ ମସିହାରେ ଯେତେବେଳେ ସାର ଜନ୍ ଉଡବର୍ଣ୍ଣ ସମ୍ବଲପୁରରୁ ଓଡ଼ିଆ ଭାଷା ଉଠାଇ ହିନ୍ଦିଭାଷା ପ୍ରଚଳନ ହେବା ନିମନ୍ତେ ଆଦେଶ ଦେଇଥିଲେ, ମଧୁସୂଦନ ତାହା ବିରୁଦ୍ଧରେ ସେମାନେ ସେକ୍ରେଟେରୀ ଅଫ୍‌ ଷ୍ଟେଟ୍‍ ଫର ଇଣ୍ଡିଆ (Secretary of state for India)ଙ୍କୁ ଏହାର ପ୍ରତିବାଦ ଜଣାଇଥିଲେ । ଶେଷରେ ତାଙ୍କର ପ୍ରତିବାଦ ସଫଳ ହେଲା । ୧୯୦୬ରେ ତେଣୁ ଆମ୍ଭେମାନେ ସମ୍ବଲପୁରକୁ ଉତ୍କଳରେ ପାଇଲୁ ।

 

୧୯୦୮ରେ ମଧୁସୂଦନ ଇଂଲଣ୍ଡରେ ଓଡ଼ିଆ ଆନ୍ଦୋଳନ ସପେକ୍ଷରେ ଅନେକ କାର୍ଯ୍ୟ କରିଥିଲେ । ‘ଅଶାନ୍ତମୟ ଭାରତ’ (Discontented India) ନାମକ ଗୋଟିଏ ପୁସ୍ତିକା ଲେଖି ସେଠି ଛପାଇ ତହିଁରେ ଉତ୍କଳର ଅଭାବ ଅଭିଯୋଗ ବ୍ୟକ୍ତ କରିଥିଲେ । ସେଠାରେ ପାର୍ଲିମେଣ୍ଟର କେତେକ ସଦସ୍ୟଙ୍କୁ ଏକ ସଭାରେ ଓଡ଼ିଆମାନଙ୍କର ଅଭାବ, ଅଭିଯୋଗ ବିଷୟରେ ଗୋଟିଏ ବକ୍ତୃତା ଦେଇଥିଲେ । ୧୯୧୭ରେ ମଣ୍ଟେଗୁ, ଚେମସ୍‌ଫୋର୍ଡ଼ଙ୍କ ସହିତ ସାକ୍ଷ।ତ କରି ସେମାନଙ୍କୁ ଛିନ୍ନ ବିଛିନ୍ନ ଉତ୍କଳର ଦୁର୍ଦ୍ଦଶା ଜଣାଇ ଥିଲେ । ୧୯୨୫ରେ ମୃଡ଼ମ୍ୟାନ କମିଟି ଆଗରେ ଏ ବିଷୟ ସପକ୍ଷରେ ସାକ୍ଷ୍ୟ ଦେଇଥିଲେ । ଉତ୍କଳ ସମ୍ମିଳନୀ ଓ ‘ଓଡ଼ିଆ’ ପତ୍ରିକାରେ ଏହି ଆନ୍ଦୋଳନ ଚଳାଇଥିଲେ । ସାଇମନ କମିଶନଙ୍କୁ ଯେଉଁ ମେମୋରାଣ୍ଡମ୍ ଦିଆଯାଇଥିଲା, ତହିଁରେ ମଧୁସୂଦନଙ୍କ ଭାବଧାରର ଗୋଟିଏ ନୋଟ ଦିଆଯାଇଥିଲା । ଏହା ବ୍ୟତୀତ ୧୯୩୦ରେ ଓଡ଼ନେଇ କମିଟି ସମ୍ମୁଖରେ ସାକ୍ଷ୍ୟ ଦେଇଥିଲେ । ଶେଷରେ ମଧ୍ୟ ହବାକ୍ କମିଟିରେ ଜଣେ ସଦସ୍ୟ ଥିଲେ । ତେଣୁ ଏହି ଆନ୍ଦୋଳନକୁ ଉତ୍କଳରେ ଜୀବିତ ରଖିବା ପାଇଁ ମଧୁସୂଦନଙ୍କ ଚେଷ୍ଟା କମ୍ ନୁହେଁ । କେବଳ ଏତିକି ନୁହେଁ, ଉତ୍କଳୀୟ ଜୀବନ ମରଣ ସମସ୍ୟା ମଧୁସୂଦନ ଥାଉଁ ଥାଉଁ କେତେକାଂଶରେ ପରିପୂର୍ଣ୍ଣ ମଧ୍ୟ ହେଲା ।

 

୯. ଅନ୍ୟାନ୍ୟ ଶିଳ୍ପୋନୀତି

(୧) ଓଡ଼ିଶା ସୂକ୍ଷ୍ମକଳା କାର୍ଯ୍ୟାଳୟ– ମଧୁସୂଦନ ୧୮୯୭ ରେ ବିଲାତ ଯାଇଥିଲେ । ସେ ଇଉରୋପର ଅଧିକ ଉନ୍ନତି ଦେଖିଥିଲେ ଏବଂ ତାହାର କାରଣ ଶିଳ୍ପୋନ୍ନତି ଏହା ମଧ୍ୟ ସେ ପ୍ରାଣେ ପ୍ରାଣେ ଅନୁଭବ କରିଥିଲେ । ତେଣୁ ସେ ୧୯୮୭ ମସିହାରେ ପ୍ରଥମେ ଓଡ଼ିଶା ଆର୍ଟ ଓୟାର (Orissa Art Wares) ବା ଉତ୍କଳ ସୂକ୍ଷ୍ମ କଳାର କାରଖାନା ନିଜର ଧନରେ କଟକରେ ଖୋଲିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଯେ କଟକରେ ବଣିଆ ଓ ଅନ୍ୟ ଅନ୍ୟ ଶିଳ୍ପୀମାନଙ୍କୁ ବୈଜ୍ଞାନିକ ଶିଳ୍ପ ଶିକ୍ଷା ଦେଇ ସେମାନଙ୍କର ଅର୍ଥ ଉପାର୍ଜନର ପଥ ସୁଗମ କରିବେ ।

 

ମଧୁସୂଦନଙ୍କର ବିଶ୍ଵାସ ଥିଲା ଯେ ପ୍ରତ୍ୟେକ ଜାତି ବା କୌଣସି ବିଶିଷ୍ଟ ସ୍ଥାନ ଏକ ଏକ ବିଶିଷ୍ଟ ଶିଳ୍ପ ଲାଗି ପ୍ରସିଦ୍ଧି ଲାଭ କରେ । ସେହିପରି କଟକର ତାରକସି କାମ ଅତି ପ୍ରାଚୀନ କାଳରୁ ପସିଦ୍ଧି ଲାଭ କରିଥିଲା । ତେଣୁ ସେ କାମକୁ ଆଧୁନିକ ଶିଳ୍ପ–କାରାଖାନା ନିୟମରେ ପକାଇ ପୃଥିବୀବିଖ୍ୟାତ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ତତ୍‍କାଳୀନ କଟକ ଗେଜେଟିୟରରେ ଏହାର ଯେଉଁ ପ୍ରଶଂସା ବାହାରି ଥିଲା ତାହାର ଅବିକଳ ଅନୁବାଦ ନିମ୍ନରେ ଦିଆଗଲା -

 

“ଓଡ଼ିଶା ସୂକ୍ଷ୍ମକଳା କାର୍ଯ୍ୟାଳୟରେ ଅତି ସୁନ୍ଦର ପଦାର୍ଥ ପ୍ରସ୍ତୁତ ହେଉଅଛି ଏବଂ ମିଷ୍ଟର ଏମ୍ ଏସ୍ ଦାସ, ସି ଆଇ. ଇ, ତାହାର ମାଲିକ ଅଟନ୍ତି । ତାହାଙ୍କ ଯତ୍ନରେ ଆଧୁନିକ ଧରଣର କଳ ଅଣାପାଇଁ ଦେଶୀୟ ଶିଳ୍ପୀଙ୍କ ବଂଶାନୁଗତ ଶିକ୍ଷା ଓ କୌଶଳକୁ ସାହାଯ୍ୟ କରାଯାଇଅଛି ।’’

 

ଓଡ଼ିଶା ସୂକ୍ଷ୍ମକଳା କାର୍ଯ୍ୟାଳୟରେ ରୂପା, ସୁନା, କାଠ, ଆଲୁମିନିୟମ, ଲୁଗା ପ୍ରସ୍ତୁତି ନାନପ୍ରକାର କଳାର କାରୁକାର୍ଯ୍ୟମାନ ହେଉଥିଲା ଏବଂ ଏହାର ପ୍ରସ୍ତୁତ ପଦାର୍ଥଗୁଡ଼ିକ ସୁଦୂର ବିଦେଶରେ ମଧ୍ୟ ଆଦୃତ ହେଉଥିଲା । ରାଜା, ମହାରାଜା, ଜମିଦାର ଓ ଉଚ୍ଚ ରାଜକର୍ମଚାରୀମାନେ ଏହି କାରଖାନା ପ୍ରସ୍ତୁତ ପଦାର୍ଥ ବ୍ୟବହାର କରୁଥିଲେ ଏବଂ ଏହାର କଳାକୁଶଳତା ଦେଖି ମୁଗ୍ଧ ହେଉଥିଲେ । ତତ୍‌କାଳୀନ ବେଙ୍ଗଲ ଗଭର୍ଣ୍ଣର ସାର ଜନ୍ ଗଡ଼ବର୍ଣ୍ଣ ‘‘ନିଜେ ଏହି କଳା-ଭବନ ପରିଦର୍ଶନ କରିଥିଲେ ଏବଂ ଏହାର ଉନ୍ନତି କଳ୍ପେ ସାହାଯ୍ୟ କରିବେ ବୋଲି ଅଭୟବାଣୀ ଦେଇଥିଲେ । କିନ୍ତୁ ସେ ରାଜକାର୍ଯ୍ୟରୁ ଅବସର ଗ୍ରହଣ କରିବାରୁ ତାହା କାର୍ଯ୍ୟରେ ପରିଣତ ହୋଇ ପାରିଲା ନାହିଁ । ଲେଡ ଇଲିୟଟ ନିଜେ ଲେଖିଥିଲେ –

 

“ଯଦିଚ ମୁଁ ଭାରତରେ ଏତେଦିନ ଥିଲି ତଥାପି ଏପରି ନିପୁଣ କଳା-କୁଶଳତାର ନିଦର୍ଶନ ଅନ୍ୟତ୍ର କେଉଁଠି ଦେଖି ନାହିଁ । କଳା –କୁଶଳତାର ସୂକ୍ଷ୍ମତା ଅତି ସୁନ୍ଦର ।’’

 

ଏହା ବ୍ୟତୀତ ଲର୍ଡ କର୍ଜନଙ୍କର ପ୍ରାଇଭେଟ୍‍ ସେକ୍ରେଟାରୀ, ମିଷ୍ଟର ଓ ମିସେସ ଟୟନ୍‌ବି, ମିଷ୍ଟର କେ ଜି ଗୁପ୍ତ, ଓଡ଼ିଶାର ଭୂତପୂର୍ବ କମିସନର ମିଷ୍ଟର ଡିଉକ, ମିଷ୍ଟର ହାରିସ, ମିଷ୍ଟର ଓବଷ୍ଟର , ମିଷ୍ଟର ଗେଟ, ମିଷ୍ଟର ମାଡକ୍‌ସ, କାଶ୍ମୀର ଓ ଜାମ୍ମୁର ମେଜର ଜେନେରାଲ ମହାରାଜା ସାରା ପ୍ରତାପ ସିଂହ ବାହାଦୂର, ମୟୂରଭଞ୍ଜର ମହାରାଜା ଓ ମହାରାଣୀ, ମହାରାଜା ଯତୀନ୍ଦ୍ରନାଥ ଠାକୁର ପ୍ରଭୃତି ଭଦ୍ରବ୍ୟକ୍ତି ଗଣ ଏହି କାର୍ଯ୍ୟାଳୟର କଳା କର୍ମ ଦେଖି ଯେଉଁ ପ୍ରଶଂସା-ପତ୍ର ଦେଇଥିଲେ ତାହା ଉତ୍କଳ ପକ୍ଷରେ ଗର୍ବର କଥା । ପ୍ରକୃତରେ ଓଡ଼ିଆ ଶିଳ୍ପୀ ତା’ର କର୍ମକୁଶଳତା ଓ କଳା-କମନୀୟତା ସେ ସମୟରେ ସେହି କାରୁକାର୍ଯ୍ୟରେ ଫୁଟାଇ ପାରିଥିଲା । କ୍ରମେ ଏହି ଶିଳ୍ପ-କାରଖାନାଟି ଭାଙ୍ଗିଗଲା । କିନ୍ତୁ ଏହାର ପ୍ରଭାବ କଟକ ସହରରେ ଜୀବିତ ଅଛି । ତେଣୁ କଟକ ତାରକସି କାମର ଆଜି ସଂଗଠିତ ଉଦ୍ୟମ ନ ଥିଲେ ମଧ୍ୟ ଶିଳ୍ପଟି ନ ମରି ବଞ୍ଚି ରହି ପାରିଅଛି ।

 

(୨) ଉତ୍କଳ ଟ୍ୟାନେରୀ –ଉତ୍କଳ ଟ୍ୟାନେରୀ ନାମକ ଯେଉଁ ସ୍ଵଦେଶୀ ଜୋତା କାରଖାନା ମଧୁସୂଦନ କରିଥିଲେ, ତାହା ସହିତ ତାଙ୍କ ଶିଳ୍ପପ୍ରତିଭା, ବ୍ୟବସାୟ ବୃଦ୍ଧି ଓ ଜୀବନର ନାନା ସ୍ମୃତି ଜଡ଼ିତ ।

 

୧୯୦୫ ମସିହାରେ ଉତ୍କଳ ଟ୍ୟାନେରୀର ଆରମ୍ଭ । ସ୍ଵଦେଶୀ ଶିଳ୍ପ ଉନ୍ନତି-ଢେଉ ବଙ୍ଗ କିମ୍ବା ଭାରତରେ ଆସିବା ପୂର୍ବରୁ ମଧୁବାବୁ ସ୍ଵଦେଶୀ ଶିଳ୍ପର ପୁନର୍ଗଠନ ପାଇଁ ନାନା କଲ୍ପନା କରୁଥିଲେ । ଏପରିକି ଅଛୁଆଁ ଜାତିମାନେ ଆମ ଦେଶରେ ଯେଉଁ କାମ କରୁଥିଲେ ।

 

୧୯୦୬ ଓ ୧୯୦୭ ରେ ଉତ୍କଳ ଟ୍ୟାନେରୀର ବେଶ୍ ପ୍ରସାର ହୋଇଥିଲା ଏବଂ ସେହି ବର୍ଷ କଲିକତା ପ୍ରଦର୍ଶନୀରେ ଟ୍ୟାନେରୀ ତାହାର ପ୍ରସ୍ତୁତ ପଦାର୍ଥ ପଠାଇ ସ୍ଵର୍ଣ୍ଣପଦକ ପାଇଥିଲା ।

 

୧୯୦୮ ରେ ଜେ. ଜି. କନି , ଆଇ ସି-ଏସ୍ (ପରେ ବଙ୍ଗଳା ଏକ୍‌ଜିକ୍ୟୁଟିଭ କାଉନ୍‌ସିଲର ସଭ୍ୟ) କଲିକତା ଗେଜେଟ୍‌ରେ ବଙ୍ଗଳା ପ୍ରଦେଶର ଶିଳ୍ପ ସମ୍ବନ୍ଧୀୟ ଏକ ମନ୍ତବ୍ୟ ପ୍ରକାଶ କରିଥିଲେ । ସେଥିରେ ସେ କେବଳ ତିନୋଟି ଫ୍ୟାକ୍‍ଟରୀର ନାମ ଉଲ୍ଲେଖ କରିଥିଲେ । ସେଥିରେ ଉତ୍କଳ ଟ୍ୟାନେରୀର ସ୍ଥାନ ଥିଲା ।

 

୧୯୦୯ ରେ ବଙ୍ଗର ଗଭର୍ଣ୍ଣର ସାର ଏଡ୍‌ଉଆଡ୍‌ ବେକର ଉତ୍କଳ ଟ୍ୟାନେରୀ ଦେଖିବାକୁ ଆସିଥିଲେ । କ୍ୟାପ୍‌ଟେନ ଆଲିଂଟନ ସୈନ୍ୟମାନଙ୍କ ପାଇଁ ଜୋତା ନେଇ ବଡ଼ ସନ୍ତୁଷ୍ଟ ହୋଇଥିଲେ ଏବଂ ବଡ଼ ପ୍ରଶଂସାପତ୍ର ଦେଇଥିଲେ । ୧୯୧୦ ଜୁନ ୨ ତାରିଖ କଲିକତା କାପିଟାଲ ପତ୍ରିକାରେ ଏହାର ଭୂୟସୀ ପ୍ରଶଂସା ପ୍ରକାଶ ପାଇଥିଲା । ୧୯୧୧ ରୁ ୧୯୧୮ ଯାଏ ଗଭର୍ଣ୍ଣମେଣ୍ଟଙ୍କର ଆଡ଼ମିନିଷ୍ଟ୍ରେଟିଭି ରିପୋଟ (Administrative Report )ରେ ଉତ୍କଳ ଟ୍ୟାନେରୀର ପ୍ରଶଂସା ବାହାରୁ ଥିଲା । ଶେଷ ରିପୋର୍ଟରେ ଲେଖାଅଛି:–

 

‘‘ଉତ୍କଳ ଟ୍ୟାନେରୀର ବୁଟ, ଜୋତ। ଓ ଅନ୍ୟାନ୍ୟ ଚମଡ଼ା ଜିନିଷ ବଜାରରେ ତାର ସମ୍ମାନ ବଜାୟ ରଖି ପାରିଥିଲା ।’’

 

ଚମଡ଼ା କଷିବା ବ୍ୟବସାୟ କରିବାକୁ ଗଲେ ଯେ କେବଳ ଇଉରୋପରୁ ମିସ୍ତ୍ରୀ ଆଣିଲେ ହେବ, ତାହା ନୁହେଁ, ବରଂ ଦେଶୀୟ ଜଳବାୟୁକୁ ଘେନି ବ୍ୟବସାୟ ସୃଷ୍ଟି କରିବା ଉଚିତ ।

 

ବିଗତ ମହାଯୁଦ୍ଧ ସମୟରେ କଲିକତାରେ ଅନେକ ଚମଡ଼ା କଷିବା ବ୍ୟବସାୟ (ଟ୍ୟାନିଙ୍ଗ ଫ୍ୟାକଟରୀ) ହୋଇଥିଲା । ମାତ୍ର ଉତ୍କଳ ଟ୍ୟାନେରୀ ଭଳି କେହି ପ୍ରସିଦ୍ଧି ଲାଭ କରି ନାହାନ୍ତି ବରଂ କ୍ଷତିଗ୍ରସ୍ତ ହୋଇ ଅଛନ୍ତି । କିନ୍ତୁ ମଧୁସୂଦନ ଯେଉଁ ବ୍ୟବସାୟ ଆରମ୍ଭ କଲେ ଏବଂ ଯହିଁର ଆଦର୍ଶରେ ସ୍ଵଦେଶୀ ଶିଳ୍ପର ପୁନର୍ଗଠନ କଲେ ତାହା ଭାରତରେ ଅଦ୍ଵିତୀୟ ।

 

୧୯୨୦ ମସିହା ଡିସେମ୍ବର ୧୬ ତାରିଖରେ ବିହାର ଓଡ଼ିଶା ଶିଳ୍ପ ବିଭାଗର ଡିରେକ୍ଟର ଉତ୍କଳ ଟ୍ୟାନେରୀ ସମ୍ବନ୍ଧେ ଯେଉଁ ମତବ୍ୟକ୍ତ କରିଥିଲେ ତାହା ପ୍ରଣିଧାନଯୋଗ୍ୟ ।

 

“ଉତ୍କଳ ଟ୍ୟାନେରୀ ନାନା ବାଧା ବିଘ୍ନ ମଧ୍ୟରେ କାର୍ଯ୍ୟ କରି, ଯେପରି କାର୍ଯ୍ୟ କରି ପାରିଅଛି, ତାହା ଅତି ପ୍ରଶଂସା ଯୋଗ୍ୟ । ମୂଳଧନ, ବିଶେଷଜ୍ଞ ଏବଂ ଦାୟୀତ୍ଵପୂର୍ଣ୍ଣ ପରିଚାଳକ ଅଭାବମାନ ଟ୍ୟାନେରୀର ରହିଅଛି । ଚମଡ଼ା କାମ ବିଶେଷତଃ କୁମ୍ଭୀର ଏବଂ ଗୋଧୀ ତମର କାମ ଅତି ଭଲ ଏବଂ ଏହି ଚମଡ଼ା ସବୁ ଅତି ସୁନ୍ଦର ଭାବରେ ତିଆରି ହେଉଅଛି । ବୁଟ, ଜୋତା, ଅନ୍ୟାନ୍ୟ ସୁନ୍ଦର ଚମଡ଼ା କାମ ଯେ କୌଣସି ସ୍ଥାନରେ ବିକ୍ରୀ ହୋଇପାରିବ । ମିଷ୍ଟର ଦାସ ମଧ୍ୟ ଭାରତୀୟ ସୈନ୍ୟ ବିଭାଗକୁ ଜୋତା ଯୋଗାଇ ଅଛନ୍ତି । ଉପର ଲିଖିତ କାରଣରୁ ସେ ସୈନ୍ୟ ବିଭାଗକୁ ଜୋତା ଯୋଗାଇ ପାରୁନାହାନ୍ତି । ମୁ ଅତି ଉଚ୍ଚ ପଦସ୍ଥ ଲୋକଙ୍କଠାରୁ ବୁଝିଛି ଯେ, ଟ୍ୟାନେରୀର ଜୋତା ସଂପର୍କରେ କିଛି କହିବାକୁ ନ।ହିଁ ।’’

 

ଉପର ଲିଖିତ ଅଭିମତରୁ ଜୋତା ଶିଳ୍ପ କାରଖାନାଟିର ବିବରଣୀ ସୁସ୍ପଷ୍ଟ । ତା ପରେ କଲିକତା ରିସର୍ଚ୍ଚ ଡିପାର୍ଟମେଣ୍ଟର ସୁପରିନ୍‌ଟେଣ୍ଡେଣ୍ଟ ମିଷ୍ଟର ବି.ଏମ.ଦାସ ଏହି ଉତ୍କଳ ଟ୍ୟାନେରୀ କାରଖାନା ଅନୁସନ୍ଧାନ କରି ଗୋଟିଏ ସୁବିସ୍ତୃତ ବିବରଣୀ ଦେଇଥିଲେ । ତାହା ମଧ୍ୟ ସଂକ୍ଷେପରେ ଏଠାରେ ଆଲୋଚନା କରାଯାଉ: -

 

କାରଖାନାର ସ୍ଥାନ ନିରୂପଣ-

(କ)

କଟକ ଷ୍ଟେସନ ଓ ମହାନଦୀ ଠାରୁ ଅଳ୍ପ ଦୂରରେ କାରଖାନାଟି ଅବସ୍ଥିତ । ତେଣୁ ଶିଳ୍ପ ପଦାର୍ଥର ଆଦାନ ପ୍ରଦାନ ପାଇଁ ସୁବିଧାଜନକ ।

(ଖ)

କାରଖାନାର ତିନି ଏକର ଜମି ଅଛି ଏବଂ କାରଖାନାକୁ ଲାଗି ୩୬ ଏକର ଜମି କାରଖାନା ଗ୍ରହଣ କରିଅଛି । ତହିଁରେ ବବୁରୀ, ସୁନାରୀ,ଡିବିଡିବି, କଣ୍ଟି ପ୍ରଭୁତି ଗଛ ଅଛି । ଏହିସବୁ ଗଛ ଚମଡ଼ା ବଷା କାମରେ ବିଶେଷ ଲୋଡା ।

 

କାରଖାନା ପାଇଁ ଚମଡ଼ା ଆମଦାନି

(୧)

ଉତ୍କଳର ଦେଶୀୟ ରାଜ୍ୟରୁ ଯେଉଁସବୁ ପଶୁ ପ୍ରାକୃତିକ ମୃତ୍ୟୁରେ ମରୁଛନ୍ତି, ସେମାନଙ୍କ ଚମଡ଼ା ସୁବିଧାରେ ମହାନଦୀ ନୌପଥ ଦେଇ ଟ୍ୟାନେରୀକୁ ଆସି ପାରୁଅଛି ।

(୨)

କଟକ ସହରର ଅନ୍ୟାନ୍ୟ ଚମଡ଼ା ମଧ୍ୟ ଏହି କମ୍ପାନୀ ଗ୍ରହଣ କରୁଅଛି ।

 

କାରଖାନାର ବିଭିନ୍ନ ଚମଡ଼ା କାମ

(୧)

ଟ୍ୟାନିଂ

 

(କ) ପ୍ରତି ସପ୍ତାହରେ ୩୦୦ ଗୋରୁ ଚମଡ଼ା, ୨୦୦ ମଇଁଷି ଚମଡ଼ା କଷା ହୋଇ ପାରୁଅଛି ।

 

(ଖ) ପ୍ରତି ସପ୍ତାହରେ ୩୦୦ ବକ୍‌ସାଇଡସ୍‌ କିମ୍ବା ୬୦୦ ରୁକିଡ଼ମ ଟ୍ୟାନିଂ ହୋଇ ପାରୁଅଛି ।

 

ଚମଡ଼ା ପଦାର୍ଥ ତିଆରି କରିବା

(୨)

(କ) ପ୍ରତି ସପ୍ତାହରେ ୫୦୦ ବୁଟ୍‌ ତିଆରି ହୋଇ ପାରୁଅଛି । ବ୍ୟାଗ, ସୁଟକେସ୍, ଟଙ୍କା ମୁଣି (purses), ଘୋଡା ଜିନ୍‌ସ ପ୍ରଭୃତି ହେଉଅଛି ।

 

ବିଶେଷତ୍ଵ

(୧)

“ଗଛ ଛେଲିରେ କଷା ଗୋରୁଚମ (Vegetable tanned cow hide), ର ରସେଟ ଚମଡ଼ା (Russet Leather)” ରେ ସୈନ୍ୟମାନଙ୍କର ବୁଟ୍‌ ହେଉଅଛି । ମଇଁଷି ଚମରେ ଜୋତାର ସୋଲ (So।e Leather)”, ପ୍ରସ୍ତୁତି ହେଉଅଛି ।

(୨)

ମେଣ୍ଢା ଚମର କ୍ରୋମ ଟ୍ୟାନିଙ୍ଗ ପାଇଁ ଉତ୍କଳ ଟ୍ୟାନେରୀର ପ୍ରସିଦ୍ଧି ଅଛି ।

(୩)

ଗୋଧି, କୁମ୍ଭୀର, ଚମଡ଼ା କଷିବା ପାଇଁ ଟ୍ୟାନେରୀର ବାହାଦୂରୀ ଅଛି । ତାହା ଗଛର ଛେଲିରେ କଷା ହେଉଅଛି ଏବଂ ନାନା ରକମ ରଙ୍ଗ ଦିଆ ଯାଇ ପାରୁଅଛି ଏବଂ ନରମ (Chrome) ଚମଡ଼ାରେ ମଧ୍ୟ ପରିଣତ ହୋଇ ପାରୁଅଛି ।

 

ସହଜରେ ଗୋଧି ଚମ ମିଳେ ନ।ହିଁ । ତେଣୁ ମଧୁବାବୁ ପ୍ରଥମେ ଖଣ୍ଡେ ଖଣ୍ଡେ ଗୋଧି ଚମଡ଼ାକୁ ଦୁଇ ଟଙ୍କା ଦେଉଥିଲେ । ପାଣ, କଣ୍ଡରା, ଶହର ପ୍ରଭୁତି ଗୋଧି ମାରି ଲାଭବାନ ହେଉଥିଲେ । ପ୍ରାୟ ଏହିପରି ଏକଲକ୍ଷ ଚମଡ଼ା ଟ୍ୟାନେରୀରେ କଞ୍ଚା ହୋଇଥିଲା । ଏହି ‘‘ଗୋଧି ଚମଡ଼ା ପରଖ” ( Lizard skin experiment )ରେ ମଧୁବାବୁ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଏହାର ପ୍ରସାର ଓ ପ୍ରଚାର ପୃଥିବୀବ୍ୟାପୀ ହୋଇଥିଲା ।

 

ଜର୍ମାନ, ଅଷ୍ଟ୍ରିୟ।ନ ଓ ଭାରତୀୟ କର୍ମୀମାନେ ଏହି ଶିଳ୍ପକାରଖାନାରେ କାମ କରୁଥିଲେ ।

 

ମିଷ୍ଟର ବି, ଏସ୍, ଦାସ ମଧୁସୂଦନଙ୍କ କ୍ଷତି ଓ ଅନ୍ୟାନ୍ୟ ପରିଶ୍ରମ ବିଚାର କରି ମଧୁସୂଦନଙ୍କୁ ଟ ୫୦,୦୦୦ ଙ୍କା ବ୍ୟବସାୟରେ ନାଁ (Good will) ଦେବାପାଇଁ ସୁପାରିସ କରିଥିଲେ । ସେ ଏହି କାରଖାନା ସମ୍ପିତ୍ତର ଗୋଟିଏ ଦେଇଥିଲେ । ତାହା ନିମ୍ନରେ ଦିଆଗଲା-

 

୧.

କୋଠା ପ୍ରଭୁତି

ଟ ୪୭,୬୫୯/

୨.

ଅନ୍ୟାନ୍ୟ ଆସବାବପତ୍ର

ଟ ୨୯, ୧୭୬/

୩.

କଳ କବଜା

ଟ ୬୮, ୯୩୪/

୪.

୩୦ ଏକର ଜମିର ଦାମ

ଟ ୫୦, ୦୦୦ /

୫.

ବ୍ୟବସାୟରେ ନାଁ (Good will)

ଟ ୫୦, ୦୦୦ /

 

 

ଟ ୨୪୬ , ୭୬୯/

 

ତେଣୁ ଏହିପରି ଗୋଟିଏ ବ୍ୟବସାୟର ରକ୍ଷାପାଇଁ ମଧୁସୂଦନ ୧୯୨୨ ରେ ଗୋଟିଏ କମ୍ପାନୀ କରି ତାହାକୁ ଏହି ଟ୍ୟାନେରୀ ଚଳାଇବା ଭାର ଦେବାପାଇଁ ମନସ୍ଥ କଲେ ।

 

ଏହି ଟ୍ୟାନେରୀପାଇଁ ମଧୁସୂଦନ ଅନେକ କରଜ କରିଥିଲେ । ଅନ୍ୟାନ୍ୟ କରଜ ବ୍ୟତୀତ କକ୍ସ ଏଣ୍ଡ କୋର (Bankers in Calcutta ) ର ଟ ୧,୮୩ ୧୦୦ / ପାହୁଲା କରଜ ଥିଲା-। ୧୯୨୧ ରେ ମନ୍ତ୍ରୀତ୍ଵ ଗ୍ରହଣ କରିବାକୁ ସେ ନିଜେ ଉତ୍କଳ ଟ୍ୟାନେ କମ୍ପାନୀ ସହିତ ଅଙ୍କନ ଅନୁଯାୟୀ ସଂପୃକ୍ତ ରହି ପାରି ନ ଥିଲେ ।

 

ଏହିପରି କାରଣରୁ ଟ୍ୟାନେରୀକୁ କମ୍ପାନୀରେ ପରିଣତ କରିବାପାଇଁ ଖୁବ୍ ଚେଷ୍ଟା ହୋଇଥିଲା । ୧୯୨୩ ରେ ଜଏଣ୍ଟଷ୍ଟକ କମ୍ପାନୀଟି ରେଜେଷ୍ଟର କରାଗଲା । ୧୯୨୬ରେ କମ୍ପାନୀ ଭାଗ ବିକ୍ରୟଦ୍ଵାରା ଟ ୧,୧୩,୯୪୯୧୯ ପାହୁଲା ମିଳିଥିଲା । ତାହା କକ୍ସ ଏଣ୍ଡ କୋର କରଜ ବାବତକୁ ଦିଆ ଯାଇଥିଲା । କମ୍ପାନୀର ଆହୁରି କରଜ ରହିଲା । କକ୍ସ ଏଣ୍ଡ କୋ କାରଖାନାଟିକୁ ନିଲାମ ଉଠାଇଲେ । ନିଲାମରେ ପୁରୀ ରାଜା ଧରିଲେ । କମ୍ପାନୀ ହୋଇ ଉତ୍କଳ ଟ୍ୟାନେରୀ ରକ୍ଷା ହୋଇ ପାରିଲା ନାହିଁ । ଏହାକୁ କମ୍ପାନୀରେ ପରିଣତ କରିବା ପାଇଁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଚେଷ୍ଟା କରୁଥିଲେ । କିନ୍ତୁ ଏହା ବିଫଳ ହେବାରୁ ମଧୁସୂଦନ ଦେଶରେ ବଡ଼ ଅନାଦୃତ ହେଲେ ।

 

ଏହା ବ୍ୟତୀତ ମଧୁସୂଦନ ବ୍ୟବସ୍ଥାପକ ସଭାର ସଦସ୍ୟ ଭାବରେ ଏବଂ ଉତ୍କଳ ସମ୍ମିଳନୀ ଜରିଆରେ ଦେଶର ଶିଳ୍ପୋନ୍ନତି ପାଇଁ ନାନା ଉଦ୍ୟମ କରିଥିଲେ ।

 

ମଧୁସୂଦନଙ୍କର ଏହି ଶିଲ୍ପୋନ୍ନତି ଚେଷ୍ଟା ସଫଳ ନ ହେଲା କାହିଁକି ?

୧.

ତାହାର ପ୍ରଧାନ କାରଣ ଏହି ସମସ୍ତ ଶିଳ୍ପୋନ୍ନତି ପାଇଁ ସ୍ପନ୍ଦନ କେବଳ ମଧୁସୂଦନଙ୍କଠାରୁ ଆସୁଥିଲା । ଜାତି ସମୂହ ଭାବରେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ପାରି ନ ଥିଲା ।

୨.

ମଧୁସୂଦନ ଯଦିଓ ଶିଳ୍ପ ବିଷୟରେ ଜଣେ ବଡ଼ ଭାବୁକ ଥିଲେ, ତଥାପି ବ୍ୟବସାୟରେ ବୁଦ୍ଧିର, ବାସ୍ତବତା ଦିଗ ସହିତ ତାଙ୍କର ସମ୍ପର୍କ ନ ଥିଲା କିମ୍ବା ସେ ବିଷୟରେ ସେ ପିଲାଦିନୁ କୌଣସି ଶିକ୍ଷା ପାଇ ନ ଥିଲେ ।

୩.

ତେଣୁ ତାଙ୍କର ଆଦର୍ଶର ତନ୍ମୟତାକୁ ଆଶ୍ରାକରି ଅନ୍ୟ କର୍ମୀମାନେ ଯଥେଚ୍ଛା ଖର୍ଚ୍ଚକରି ମଧୁସୂଦନଙ୍କୁ ବିପନ୍ନ କଲେ ।

 

୧୦. ବ୍ୟବସ୍ଥାପକ ମଧୁସୂଦନ

ମଧୁବାବୁ ପ୍ରାୟ ଆଜୀବନ ଜଣେ ବ୍ୟବସ୍ଥାପକ ଥିଲେ ଖ୍ରୀ: ଅ: ୧୮୯୭ ମସିହାରେ ପ୍ରଥମେ ସେ ବଙ୍ଗ ବ୍ୟବସ୍ଥାପକ ସଭାର ସଭ୍ୟ ହୋଇଥିଲେ ।

 

୧୮୯୬, ୧୮୯୭, ୧୯୦୦ରୁ ୧୯୦୨ରୁ ୧୯୦୮ରୁ ୧୯୧୧ ମସିହାମାନଙ୍କରେ ସେ ବଙ୍ଗ ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ ।

 

ବଙ୍ଗ ବ୍ୟବସ୍ଥାପକ ସଭାରେ ମଧୁସୂଦନଙ୍କ କାର୍ଯ୍ୟ –

ମଧୁସୂଦନଙ୍କ ବଙ୍ଗ ବ୍ୟବସ୍ଥାପକ ସଭାରେ ‘ବଜେଟ ବକ୍ତୃତା’ ଗୋଟିଏ ପଢ଼ିବାର ବିଷୟ । ସେଗୁଡ଼ିକ ତାଙ୍କ ବହୁଦର୍ଶିତାର ପରିଚୟ ଦିଏ ଏବଂ ସେ ସର୍ବଦା ପ୍ରକୃତ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାପାଇଁ ସରକାରଙ୍କୁ ଜଣାଇ ଆସିଅଛନ୍ତି । ସେ ବଙ୍ଗ ବ୍ୟବସ୍ଥାପକ ସଭାରେ ଥିଲାବେଳେ ଅନେକ କ।ମ କରିଅଛନ୍ତି । କେତେଗୁଡ଼ିଏ ପ୍ରଧାନ କର୍ମର ତାଲିକା ନିମ୍ନରେ ଦିଆଗଲା ।

 

(୧)

୧୮୯୬ ମାର୍ଚ୍ଚ ୨୮ ତାରିଖରେ ସେ ସଭାରେ ପ୍ରଶ୍ନ ଉଠାଇଲେ ଯେ ଓଡ଼ିଶାର ଯେଉଁ ଛାତ୍ରମାନେ ବି,ଏଲ, ପରୀକ୍ଷାରେ ରେଭନ୍‌ସା ବିଦ୍ୟାପୀଠରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ଓଡ଼ିଶାରେ ମୁନସଫ ହେବାର ସୁବିଧା ଦେବା ଉଚିତ । ଏ ବିଷୟରେ ସରକାର ଓ ତାଙ୍କ ମଧ୍ୟରେ ନାନା ଆଲୋଚନା ପରେ ସରକାର ମଧୁସୂଦନଙ୍କ ନୀତିକୁ ଗ୍ରହଣ କଲେ ।

 

(୨)

୧୯୦୧ ଅପ୍ରେଲ ୧୨ ତାରିଖରେ ବନ୍ଦୋବସ୍ତ ସମନ୍ଧୀୟ କାଗଜପତ୍ର ବଳରାମପୁର, ରଗୁଡ଼ି, ଚଉଷଠି ଗଡ଼ ଜମିଦାରମାନଙ୍କୁ ତତ୍‌କାଳୀନ କମିଶନର ଦେଖିବାକୁ ଦେଲେ ନାହିଁ । ସେମାନଙ୍କର ଖଜଣା ବୃଦ୍ଧି ହୋଇଥିଲା । ସେମାନେ ଭାରତ ସରକାରଙ୍କ ସ୍ଥାନରେ ଆପତ୍ତି କରିବାକୁ ଚେଷ୍ଟା କରୁଥିଲେ ।

 

ମଧୁସୂଦନ ବ୍ୟବସ୍ଥାପକ ସଭାରେ ସେ ପ୍ରସଙ୍ଗ ପଚାରି କମିଶନରଙ୍କର ଏହି ଅନ୍ୟାୟ ବିଚାରର ତୀବ୍ର ପ୍ରତିବାଦ କଲେ । ଶେଷରେ ଉପର ଲିଖିତ ଜମିଦାରମାନେ ବନ୍ଦୋବସ୍ତ ସଂକ୍ରାନ୍ତ କାଗଜପତ୍ର ପାଇ ପାରିଥିଲେ ।

 

(୩)

ସାନ୍ତାଳପ୍ରଗଣାରେ କେହି ଆସାମୀ ଓକିଲ ଦେବାକୁ ଇଚ୍ଛା କଲେ ତାହାକୁ ସେ ସୁବିଧା ଦିଆଯିବା ସମ୍ପର୍କରେ ୧୯୧୧ରେ ମଧୁସୂଦନ କହିଥିଲେ –

 

‘‘ମୁଁ ଏମିତି ମକଦମା ଶୁଣିଛି, ଯହିଁରେ ସାନ୍ତାଳପ୍ରଗଣାରେ ଜଣେ ମାଜିଷ୍ଟ୍ରେଟ ଏକ ଅଦ୍ଭୁତ ଧରଣର ଆଇନଗତ ମୀମାଂସାରେ ଉପନୀତ ହୋଇଥିଲେ । ଜଣଙ୍କ ବିରୋଧରେ ମକଦ୍ଦମା ଚାଲିଥିବା ବେଳେ ସେ ଲୋକଟି ମରିଗଲା ଓ ତାହାର ପୁଅକୁ ତଲବ କରାଗଲା । ମାଜିଷ୍ଟ୍ରେଟ ଯୁକ୍ତି ଦେଖାଇଲେ ଯେ ଲୋକଟି ଯଦି ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ହେଲା ତାହେଲେ ପିତାର ଦୋଷପାଇଁ କାହିଁକି ଦଣ୍ଡ ପାଇବ ନାହିଁ ? ମାଜିଷ୍ଟ୍ରେଟଙ୍କର ଏ ଗୋଟିଏ ବଡ଼ ବିଚିତ୍ର ବୁଝାମଣା ।

 

(୪)

୧୯୧୦ ମସିହାରେ ରେଭେନ୍‌ସା କଲେଜରେ ଇତିହାସ ବିଭାଗ ସ୍ଥାପନ ପାଇଁ ଆନ୍ଦୋଳନ କରି ସଫଳ କାମ ହୋଇଥିଲେ । ଏହା ବ୍ୟତୀତ ମଧୁସୂଦନ ଉତ୍କଳ ଓ ବଙ୍ଗଳା ସମ୍ବନ୍ଧୀୟ ନାନା ବିଲ୍‌ ସବ୍‍କମିଟିରେ ସଭ୍ୟ ଥିଲେ ଏବଂ ପ୍ରାୟ ପ୍ରତ୍ୟେକ ଆଲୋଚନାରେ ଯୋଗ ଦେଉଥିଲେ । ସେତେବେଳେ ବଙ୍ଗଳାର ସାର ସୁରେନ୍ଦ୍ରନାଥ ପ୍ରଭୃତ ବଙ୍ଗ ବ୍ୟବସ୍ଥାପକସଭାର ସଭ୍ୟ । ସମସ୍ତ ସରକାରୀ ଓ ବେ-ସରକାରୀ ସଭ୍ୟ ମଧୁସୂଦନଙ୍କ ବାଗ୍ମିତା ଏବଂ ଜ୍ଞାନପୂର୍ଣ୍ଣ ଆଲୋଚନାରେ ମୁଗ୍‌ଧ ହୋଇଥିଲେ ।

 

ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭା

 

ମଧୁସୂଦନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ୧୯୧୩ ରୁ ୧୯୧୮, ୧୯୧୮ରୁ ୧୯୨୧,୧୯୨୧ରୁ ୧୯୨୩ ମସିହାମାନଙ୍କରେ ସଭ୍ୟ ଥିଲେ ।

 

(୧)

ପ୍ରଥମେ ଓଡ଼ିଶା ପ୍ରଜାସ୍ଵତ୍ଵ ଆଇନର ସବ୍‌କମିଟିରେ ମଧୁସୂଦନ ଥିଲେ ଏବଂ ଅନେକ କାମ ଏହି ବିଲ ପାଇଁ କରିଥିଲେ ।

(୨)

ଜୁରୀ ବିଚାରର ପ୍ରସାର ପାଇଁ କଟକରେ ଇଞ୍ଜିନିୟରିଂ ସ୍କୁଲ ସ୍ଥାପନ ପାଇଁ ସେ ଅନେକ ଚେଷ୍ଟା କରିଥିଲେ ।

 

ତାହାଙ୍କ ବ୍ୟବସ୍ଥାପକ ଜୀବନର ଶେଷ ପରିଣତି ତାଙ୍କର ମନ୍ତ୍ରୀତ୍ୱ ତେଣୁ ମନ୍ତ୍ରୀତ୍ଵ ପ୍ରସଙ୍ଗର ସ୍ଵତନ୍ତ୍ର ଆଲୋଚନା କରାଯିବ । ମଧୁସୂଦନ ୧୯୧୩ରେ ମଧ୍ୟ-ଭାରତୀୟ ଇମ୍ପିରିୟାଲ ଲେଭିସଲେଟିଭ କାଉନ୍‍ସିଲର ସଦସ୍ୟ ହୋଇ ପାରିଥିଲେ ।

 

୧୧. ଜୀବନର ମଧ୍ୟାହ୍ନ

ମଧୁସୂଦନ କଲିକତାର ଦୁଃଖମୟ ଛାତ୍ର ଜୀବନ ପରେ ଜୀବନରେ ଅନେକ ଦୂର ଚାଲି ଯାଇଥିଲେ । କଲିକତାରେ ପ୍ରିୟ ପତ୍ନୀକୁ ହରାଇ ସେ ଆଉ ଦାର ପରିଗ୍ରହ କରିନାହାନ୍ତି । ଓକିଲାତି ଜୀବନର ସଫଳତା ଓ ଦେଶ କାର୍ଯ୍ୟରୁ ସମ୍ମାନ ତାହାକୁ ଯଥେଷ୍ଟ ମିଳିଥିଲା । ପ୍ରଥମେ ବିହାରବାଗରେ ସେ ବାସ କରୁଥିଲେ । ସେତେବେଳେ ମହାସମାବେଶହରେ ସେ ତାଙ୍କର କନିଷ୍ଠ ଭ୍ରାତା ଗୋପାଳ ବାବୁଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ମଧୁସୂଦନଙ୍କର ସମ୍ମାନ ଓ ଅର୍ଥ ଉପାର୍ଜନ ଦେଖିବାକୁ ତାଙ୍କର ବୃଦ୍ଧ ପିତା ଚୌଧୁରୀ ରଘୁନାଥ ଓ ତାଙ୍କ ବୃଦ୍ଧ ମାତା ସାବିତ୍ରୀ ଦେବୀ ବଞ୍ଚିରହିଥିଲେ । ମଧୁସୂଦନ ତାଙ୍କ ମାକୁ ଯାହା ଟଙ୍କା ଦେଉଥିଲେ, ସେ ତାହାସବୁ ଦୁଃଖୀମାନଙ୍କୁ ବାଣ୍ଟି ଦେଉଥିଲେ ।

 

ପୁରୀ ରାଜାଙ୍କ ମକଦ୍ଦମାରେ ଜୟଯୁକ୍ତ ହୋଇଥିବାରୁ ମଧୁସୂଦନ ବିଶେଷ ସମ୍ମାନ ଲାଭ କରିଥିଲେ । ତାଙ୍କର ବୃଦ୍ଧା ମାତା ଯେଉଁଦିନ ପୁରୀ ମନ୍ଦିରକୁ ଗଲେ ସେଦିନ ତାଙ୍କୁ ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ମନ୍ଦିର ମଧ୍ୟକୁ ସମସ୍ତଙ୍କୁ ଅନ୍ତର କରାଯାଇଥିଲା । ବୃଦ୍ଧା ନିଶ୍ଚଳରେ ମହାପ୍ରଭୁଙ୍କର ଦର୍ଶନ ପାଇବାର ସୁଯୋଗ ଲାଭ କରିଥିଲେ ।

 

ମଧୁବାବୁ ବଡ଼ ସାମାଜିକ ଓ ବଡ଼ ଖେଳପ୍ରିୟ ଥିଲେ । ନିଜେ ଅନେକ ବିଦେଶୀ ଖେଳ ଖେଳି ପାରୁଥିଲେ । ତାଙ୍କ ବସାଠାରେ ନଗରର ଭଦ୍ରବ୍ୟକ୍ତି ଓ ଯୁବକମାନେ ସମବେତ ହେଉଥିଲେ-। ଟଙ୍କା ଚାରିପାଖରେ କଟକର ତଥା ଉତ୍କଳର ରାଜନୀତିକ, ସାଧାରଣ ଜାତୀୟ ଜୀବନ ଗଢ଼ି ଉଠୁଥିଲା ।

 

ମଧୁସୂଦନଙ୍କ ଜୀବନର ନାନା କର୍ମ ମଧ୍ୟରେ ଏଠାରେ ଆଉ କେତେକ ସଂକ୍ଷିପ୍ତ ସୂଚନା ଦିଆଗଲା ।

 

୧୮୯୧ଠାରୁ ୧୮୯୫ ପର୍ଯ୍ୟନ୍ତ ସେ କଟକ ଡିଷ୍ଟ୍ରିକ ବୋର୍ଡର ପ୍ରଥମ ବେସରକାରୀ ଭାଇସ୍‌ ଚେୟାଗମ୍ୟାନ ହୋଇଥିଲେ ଏବଂ ତତ୍କାଳୀନ କଲେକ୍ଟର ଜି:ଷ୍ଟିଭେନ୍‌ସନ ଟଙ୍କା ଉପରେ ଚେୟାରମ୍ୟାନ୍‌ କ୍ଷମତା ଅର୍ପଣ କରିଥିଲେ । ସେ ବଙ୍ଗ କାଉନ୍‌ସିଲକୁ ଗଲାରୁ ସେହି ସାଧାରଣ କାର୍ଯ୍ୟରୁ ଇସ୍ତଫା ଦେଲେ । ୧୮୯୮ ମସିହାରେ ଗଭର୍ଣ୍ଣମେଣ୍ଟ ବର୍ଦ୍ଧମାନ ସଙ୍ଗେ ଓଡ଼ିଶାକୁ ମିଶାଇ ଏକ ଭୋଟ ନିର୍ବାଚନ ମଣ୍ଡଳୀ ସୃଷ୍ଟି କରିବେ ବୋଲି ଠିକ କରିଥିଲେ । ମଧୁସୂଦନ ତାହାର ପ୍ରତିବାଦ କରି ସାର୍‍ ବେଲିଙ୍କ ପାଖକୁ ଲେଖିଥିଲେ ଏବଂ ଶେଷରେ ତାଙ୍କର ପ୍ରତିବାଦ ସଫଳ ହୋଇଥିଲା ।

 

୧୯୦୧ ରେ ସେ ଭିକ୍‌ଟୋରିଆ ସ୍ମୃତି ରକ୍ଷା ପାଣ୍ଠି କମିଟିରେ ଯୋଗ ଦେଇଥିଲେ ।

 

୧୯୦୪ରେ ସେ ଉତ୍କଳରେ ଏକ ବିରାଟ ପ୍ରଦର୍ଶନୀର ଆୟୋଜନ କରିଥିଲେ । ଏ ପ୍ରଦର୍ଶନୀର ଗୋଟିଏ ପ୍ରଧାନ ଉଦ୍ଦେଶ୍ୟ ଥିଲା ଯେଉଁ ଦେଶୀୟ ଦ୍ରବ୍ୟ ବା ଦେଶଜାତ ଦ୍ରବ୍ୟଦ୍ଵାରା ବାଣିଜ୍ୟର ଶ୍ରୀବୁଦ୍ଧି ହେବ ଓ ଯାହା ବିଶେଷ ପରିମାଣରେ ବିକ୍ରି ହୋଇ ପାରିବ ସେହି ଦ୍ରବ୍ୟଗୁଡ଼ିକୁ ଉତ୍ସାହ ଦିଆଯିବ ।’’

 

୧୯୦୪ ରେ ଉତ୍କଳ ସମ୍ମିଳନୀ ସମୟରେ ଯେଉଁ ଉତ୍କଳ ଯୁବକ ମଣ୍ଡଳୀ (Utka।Youngman’s Association) ହୋଇଥିଲା, ମଧୁସୂଦନ ତା’ର ପରିଚାଳନା ପାଇଁ ସମସ୍ତ ଅର୍ଥ ଦେଇଥିଲେ ।

 

୧୯୦୮ରେ କଟକ ରେଭେନ୍‌ସା ବାଳିକା ବିଦ୍ୟାଳୟ ପାଇଁ ବିଭିନ୍ନ ସମୟରେ ସେ ପ୍ରାୟ ୨୦,୦୦୦ ଟଙ୍କା ଦେଇଥିଲେ ଏବଂ ତାହା ବ୍ୟତୀତ ତାଙ୍କରି ଉତ୍ସାହ ଓ ଉଦ୍ୟମରେ ହିଁ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

 

୧୯୦୭ରେ ଇଂଲଣ୍ଡରେ ଭାରତୀୟ ଶିଳ୍ପ ଉପରେ ବ୍ରିଟିଶ ପ୍ରଭାବ (British Influence on Indian Industry) ବୋଲି ଗୋଟିଏ ସୁଚିନ୍ତିତ ପ୍ରବନ୍ଧ ପାଠ କରିଥିଲେ । ୧୯୦୭ ରେ ବିଲାତରୁ ଫେରି ଆସି ଦେଖିଲେ ଯେ ଉତ୍କଳରେ ଏକ ଭୟଙ୍କର ଦୁର୍ଭିକ୍ଷ । ସେ ଦୁର୍ଭିକ୍ଷରେ ମଧୁସୂଦନ ପ୍ରାଣପଣେ କାର୍ଯ୍ୟ କରିଥିଲେ ଏବଂ –ଗଭର୍ଣ୍ଣମେଣ୍ଟଙ୍କର ଶିଥିଳ ନୀତିର ତୀବ୍ର ସମାଲୋଚନା କରିଥିଲେ । ତତ୍କାଳୀନ କଲେକ୍ଟର ମିଷ୍ଟର ଗ୍ୟାଲେଟ୍‌, କମିସନର ମିଷ୍ଟର ଡିଉକ୍‍ଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନ ହୋଇ ନିଜେ ବଙ୍ଗର ଗଭର୍ଣ୍ଣର ମିଷ୍ଟର ଆଣ୍ଡଫ୍ରେକଲଙ୍କ ନିକଟ ଟେଲିଗ୍ରାମ କରି ତାଙ୍କୁ ଘଟଣା ସ୍ଥଳକୁ ଆଣିଥିଲେ ।

 

ସେ ବର୍ଷ ବଡ଼ଦିନ ଉପହାର ସ୍ୱରୂପ ସେହି ଦୁର୍ଭିକ୍ଷ ଛବି ସବୁ ତାଙ୍କ ଇଉରୋପୀୟ ବନ୍ଧୁମାନଙ୍କୁ ଦେଇଥିଲେ । ମିଷ୍ଟର ନେଭିନସନ୍‌ ସେ ବର୍ଷ ଉତ୍କଳକୁ ଆସି ଯେଉଁ ନିଉଇଣ୍ଡିଆ (New India) ବହି ଲେଖିଥିଲେ, ସେ ଖଣ୍ଡି ପଢ଼ିଲେ ସହଜରେ ଜଣାଯାଏ ଯେ ମଧୁସୂଦନ କିପରି କାର୍ଯ୍ୟ କରୁଥିଲେ ଏବଂ ଲୋକମାନେ ତାଙ୍କୁ କିପରି ସମ୍ମାନ ଦେଖାଉଥିଲେ । ଏହା ବ୍ୟତୀତ ମଧୁସୂଦନ ଯେ କିପରି ଓ କେତେ ଭାବରେ କେତେ ଲୋକଙ୍କୁ ସାହାଯ୍ୟ ସହାନୁଭୁତି ଦେଇଥିଲେ , ତାହା ଏଠାରେ ପ୍ରକାଶ କରାଯାଇ ପାରିବ ନାହିଁ । ଜୀବନ ମଧ୍ୟାହ୍ନ ତାଙ୍କର କର୍ମମୟ-। ଅନ୍ତରରେ ଅଦମ୍ୟ ସ୍ପନ୍ଦନ, ଉତ୍ସାହ ଧରି ଏକ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ମଧୁସୂଦନ ଯେଉଁ କାର୍ଯ୍ୟ ଉତ୍କଳରେ କରି ଯାଇଛନ୍ତି, ତାହା ଆଜି ଆମ୍ଭମାନଙ୍କୁ କେବଳ ବିସ୍ମିତ କରେ ।

 

ମଧୁବାବୁଙ୍କ ବ୍ୟକ୍ତିତ୍ୱର କର୍ମତତ୍ପରତା ଓ ଦେଶ ଉପରେ ପ୍ରଭାବରେ ସାର୍ଥକତା ବୁଝିବାକୁ ହେଲେ ସେ ଯୁଗର ବେଷ୍ଟନୀକୁ ଭୁଲି ଯିବା ଅନୁଚିତ । ତାଙ୍କର ଭାଷାରେ କହିବାକୁ ଗଲେ –

 

“ମୁଁ କେବଳ ଅସ୍ଥି- ଅସ୍ଥିଗଦା ଚତୁର୍ଦ୍ଧିଗରେ ଦେଖୁଥିଲି ଏବଂ ଏହି ଅସ୍ଥିକଙ୍କାଳକ ଜୀବନ ଦେବାର ଭାର ମୁଁ ଗ୍ରହଣ କରିଥିଲି । ଏମାନଙ୍କ ଅସ୍ଥିରେ ମାଂସପେଶୀ ଦେଲି ଏବଂ ବାହୁରେ ଯୁଦ୍ଧ କରିବାକୁ ଅସ୍ତ୍ର ଦେଲି । କିନ୍ତୁ ମୁଁ କେବଳ ଉପରୁ ଭଗବାନଙ୍କ ବ୍ୟତୀତ କାହାଠାରୁ ହେଲେ ସାହାଯ୍ୟ ପାଇ ନାହିଁ ।‘’

 

୧୨. ବକ୍ତା ମଧୁସୂଦନ

“ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି କି ? ଜାତି ଜାତି ମଧ୍ୟରେ ଭାବ ହେବା ନିମନ୍ତେ ଜାତୀୟ ଜୀବନର ଆବଶ୍ୟକ । ଆମ୍ଭମାନଙ୍କ ମଧ୍ୟରେ ଯେଉଁ ଜୀବନ ପରିଲିଖିତ ହୁଏ ତାହା ବ୍ୟକ୍ତିଗତ ଜୀବନ । ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ । ତାହା କାଲି ଶ୍ମଶାନରେ ଶେଷ ହେବ ।’’ x x x ।’’

 

ବକ୍ତା ମଧୁସୂଦନ ବକ୍ତୃତାଗୁଡ଼ିକ ଆଲୋଚନା କଲାବେଳେ ଦେଖୁଁ ଯେ ଏହା ଏକ ବଡ଼ ସ୍ପନ୍ଦନମୟୀ । ପ୍ରତ୍ୟେକ ଶବ୍ଦରେ ଶକ୍ତି ଅଛି । ଭାଷାରେ ପ୍ରାଣ ଫୁଟି ଉଠି ସାରିଛି । ଭାବଦ୍ଵାରା ଭାଷା ନମ୍ର ହୋଇ ପଡ଼ିଛି ।

 

ମଧୁସୂଦନଙ୍କ ବକ୍ତୃତା ସାହିତ୍ୟ ଦୁଇଟି ଭାଷାରେ ଦେଖିବାକୁ ମିଳେ-ଗୋଟିଏ ଇଂରାଜିରେ, ଅନ୍ୟଟି ଓଡ଼ିଆରେ । ଓଡ଼ିଆ ବକ୍ତୃତାଗୁଡ଼ିକ ସାଧାରଣତଃ ଉତ୍କଳ ସମ୍ମିଳନୀରେ ଦିଆଯାଇଥିଲା ।

 

ଇଂରାଜି ବକ୍ତୃତ। କେତେକ ବଙ୍ଗ ଓ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ପ୍ରଦତ୍ତ ହୋଇଥିଲା । କେତେକ ସାଧାରଣ ସଭାମାନଙ୍କରେ ମଧୁସୂଦନ ପ୍ରଦାନ କରିଥିଲେ । ତାଙ୍କ ଦୀର୍ଘ ସାଧାରଣ ରାଷ୍ଟ୍ରନୈତିକ ଜୀବନର ବକ୍ତୃତା ସାହିତ୍ୟ ଗୋଟିଏ ବିରାଟ ଦାନ ହୁଅନ୍ତା; କିନ୍ତୁ ସେଗୁଡ଼ିକ ଏତେ ବା କିଏ ଲେଖି ରଖିଅଛି ? ତଥାପି ଯାହା ସଂଗ୍ରହ କରାଯାଇଅଛି, ତାହା ମଧ୍ୟ କମ ନୁହେ ।

 

ଏଠାରେ ସେ ସମସ୍ତ ବକ୍ତୃତାର ସୁଆଲୋଚନ କରିବା ଅସମ୍ଭବ । ଏତିକି କହିଲେ ଯଥେଷ୍ଟ ହେବ ଯେ ମଧୁସୂଦନଙ୍କ ବହୁମୁଖୀ ଚିନ୍ତାଧାରାର ପରିଚୟ ଆମ୍ଭେମାନେ ତାଙ୍କ ବକ୍ତୃତାରୁ ପାଉଁ ।

 

ମଧୁସୂଦନଙ୍କ ବକ୍ତୃତା ଯେଉଁମାନେ ତାଙ୍କ ମୁହଁରୁ ଶୁଣିଛନ୍ତି, ସେମାନେ ତ ନିଶ୍ଚୟ ତନ୍ମୟ ହେଉଥିବେ । ଇଂରେଜୀ ଓ ଓଡ଼ିଆ ଉଭୟବିଧ ବକ୍ତୃତା ତାଙ୍କର ସରସ, ଭାବପୂର୍ଣ୍ଣ ଓ ସ୍ପନ୍ଦନମୟୀ ହୋଇ ପାରିଅଛି ।

 

ବକ୍ତା ଭାବରେ ୧୯୧୬ରେ ସେ ଭାରତୀୟ ଖ୍ରୀଷ୍ଟୀୟ ମଣ୍ଡଳୀର ସଭାପତିତ୍ୱ ଗ୍ରହଣ କରିପାରିଥିଲେ । ୧୯୧୨ରେ ବିହାରୀ ଛାତ୍ର ସମ୍ମିଳନୀରେ ସଭାପତି ହୋଇ ଗୋଟିଏ ସୁନ୍ଦର ଦୀର୍ଘ ଭାବଗର୍ବିଙ୍କ ବକ୍ତୃତା ପ୍ରଦାନ କରିଥିଲେ । ୧୯୨୪ ଫେବୃୟାରୀ ୧୭ ତାରିଖରେ ବିହାର ଯୁବକମାନଙ୍କୁ ‘ଶ୍ରମ ମର୍ଯ୍ୟାଦା’ (Dignity of Labour) ବିଷୟରେ ଗୋଟିଏ ଚିନ୍ତ।ପୂର୍ଣ୍ଣ ବକ୍ତୃତା ଦେଇଥିଲେ । ୧୮୯୬ ଠାରୁ ୧୯୧୧ ଯାଏ ବଙ୍ଗ ବ୍ୟବସ୍ଥାପକ ସଭାରେ ଯେଉଁ ‘ବଜେଟ ବକ୍ତୃତା’ (Budget-speeches)ମାନ ଦେଇଥିଲେ ତାହା ଅତି ଉପାଦେୟ ।

 

ବକ୍ତା ମଧୁସୂଦନଙ୍କ ପ୍ରାଣରେ ଉନ୍ମ।ଦନା ସେ ବକ୍ତୃତାରେ ତାଳି ଦେଇଥିଲେ । ବକ୍ତୃତାଗୁଡ଼ିକ ଯେପରି ଶିକ୍ଷାପ୍ରଦ, ସେହିପରି ଆମ ଜାତିର ଜାତୀୟ ବକ୍ତୃତାସାହିତ୍ୟ । ଏହି ବକ୍ତୃତାଗୁଡ଼ିକ ଦେଶ, କାଳ, ପାତ୍ର ଦ୍ଵାରା ଆବଦ୍ଧ ନୁହେ । ମଧୁସୂଦନଙ୍କ ବକ୍ତୃତାଗୁଡ଼ିକର ସାହିତ୍ୟରେ ଏକ ଚିରସ୍ଥାୟୀ ସ୍ଥାନ ଅଛି ।

 

୧୩. ପଦ୍ୟ କର୍ତ୍ତା ମଧୁସୂଦନ

ମଧୁସୂଦନଙ୍କ ପ୍ରତିଭା ବହୁମୁଖୀ । ମଧୁସୂଦନ ନିଜେ ସାହିତ୍ୟକୁ ବେଶୀ କିଛି ଦାନ କରି ନ ଥିଲେ ମଧ୍ୟ ଜୀବନ ବ୍ୟାପି ସେ ଜଣେ ଉଚ୍ଚ ସାହିତ୍ୟରସିକ ଥିଲେ । ସେ ପ୍ରାଚୀନ ଓ ନବୀନ ଉଭୟ ସାହିତ୍ୟକୁ ମନଯୋଗ ସହିତ ଅଧ୍ୟୟନ କରୁଥିଲେ । ଅନେକ ସମୟରେ ପ୍ରାଚୀନ କବିମାନଙ୍କର ଦୀର୍ଘ କବିତାମାନେ ତାଙ୍କର କଣ୍ଠସ୍ଥ ଥିବାର ପରିଚୟ ତାଙ୍କର ଅନେକ ବନ୍ଧୁ ପାଇ ଅଛନ୍ତି । ମଧୁସୂଦନ ଜଣେ ସାହିତ୍ୟର ଚିହ୍ନରା ଗ୍ରାହକ ଥିଲେ । ଓଡ଼ିଶା ବଙ୍ଗଳା ଓ ଇଂରାଜୀ ସାହିତ୍ୟ ତାଙ୍କ ସାହିତ୍ୟର ବିଳାସଭୂଇଁ ଥିଲା ।

 

ମଧୁସୂଦନଙ୍କ ପ୍ରାଣର ପ୍ରଚୁରତା ଓ ସ୍ପନ୍ଦନ ଅନେକ ସମୟରେ ଆମ୍ଭେମାନେ ବକ୍ତୃତାରେ ଦେଖୁଁ । କିନ୍ତୁ ଏହା ବ୍ୟତୀତ ତାଙ୍କ ପ୍ରାଣରେ ଯେଉଁ ଜାତୀୟତାର ସ୍ରୋତ ଉଚ୍ଛ୍ୱସିତ ହେଉଥିଲା ତାହା ସେ ପଦ୍ୟ ସାହିତ୍ୟରେ ଫୁଟାଇ ପାରିଛନ୍ତି । ଯେଉଁ ଜାତୀୟତା-ମନ୍ତ୍ରରେ ସେ ପ୍ରଥମେ ଓଡ଼ିଆ ଜାତିକୁ ଦେଲେ, ସେ ଜାତୀୟତାର ଭାବନ୍ତ ସ୍ଵପ୍ନ ଆମ୍ଭେମାନେ ପାଉଁ ତାଙ୍କ ଲିଖିତ କ୍ଷୁଦ୍ର ‘ଜାତୀୟ ଗୀତ’ ପୁସ୍ତିକାରେ ।

 

ଓଡ଼ିଆ ସାହିତ୍ୟରେ ଏହି ମୌଳିକ ଜାତୀୟ ଗୀତଗୁଡ଼ିକୁ କେହି ଭୁଲି ପାରିବେ ନାହିଁ । ଏହା ତ ଆଜି ଘରେ ଘରେ କାନ୍ଥରେ ଲେଖା ହୋଇ ସାରିଅଛି । ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ତ ପଦ୍ୟପଂକ୍ତିଗୁଡ଼ିକୁ କଣ୍ଠସ୍ଥ ସାରିଛନ୍ତି । ଏଠାରେ ହିଁ ମଧୁସୂଦନଙ୍କ ପଦ୍ୟର ସାର୍ଥକତା ।

 

“ମାଆ ଆମା ବୋଲି      କେତେ ମୁଁ ଖୋଜିଲି

ମାଆକୁ ପାଇଲି ନ।ହିଁ

ଭାଇ ଭାଇ ବୋଲି      କେତେ ମୁଁ ଖୋଜିଲି

ନ ଦେଲେ ଉତ୍ତର କେହି ।’’

 

ଏହା ହିଁ ସେ ଯୁଗର ଉତ୍କଳର ଜାତୀୟ ଜୀବନ ।

 

“କୋଟିଏ ସନ୍ତାନ            ଗୋଟିଏ ସ୍ଵରରେ

ଜନନୀ ଜନନୀ ଡାକ

ତୃଷ୍ଣାରେ କାତର            ଗଠନକୁ ଚାହିଁ

ଯେସନେ ଡାକେ ଚାତକ ।“

 

କୋଟିଏ ସନ୍ତାନଙ୍କର ସ୍ଵର ଗୋଟିଏ ନହେଲେ କଣ ଏ ହତଭାଗ୍ୟ ଜାତିର ଉଦ୍ଧାର ଅଛି-? ଏକତା ଲାଗି ମଧୁସୂଦନଙ୍କର ଏହା ମହାବାକ୍ୟ ।

 

“ଜାତି-ପ୍ରେମ-ବହ୍ନି            ପ୍ରଜ୍ଜ୍ୱଳିତ କରି

ସ୍ଵାର୍ଥକୁ ଦିଅ ଆହୁତି

ସ୍ଵାର୍ଥ-ମେଧ ଯୁଜ୍ଞ            ଘୁରିଆଡ଼େ ନାଚ

ଛାତିକୁ ମିଶାଇ ଛାତି ।’’

 

ମଧୁସୂଦନଙ୍କ ପ୍ରତ୍ୟେକ ପଦ୍ୟର ଶ୍ଳୋକଗୁଡ଼ିକ ଯେପରି ଜାତୀୟ ଭାବାପନ୍ନ ସେହିପରି ପ୍ରାଣସ୍ପର୍ଶୀ । ମଧୁସୂଦନଙ୍କ ପଦ୍ୟର ପଟାନ୍ତର ଓଡ଼ିଆ ସାହିତ୍ୟରେ ନ।ହିଁ । ଭାଷା ସରଳ, କିନ୍ତୁ ଭାବ ଓ ସ୍ପନ୍ଦନଦ୍ଵାରା ଏହା ଉଚ୍ଛ୍ୱସିତ । ଏଗୁଡ଼ିକ ପଢ଼ିଲାବେଳେ ପାଠକ ପାଠିକାଙ୍କ ପ୍ରାଣତନ୍ତ୍ରରେ ଆଘାତ ଲାଗେ, ଅନ୍ତରରେ ଝଙ୍କାର ଉଠେ, ଅଙ୍ଗ ରୋମାଞ୍ଚିତ ହୁଏ । କିନ୍ତୁ ମଧୁସୂଦନ ଲେଖି ଅଛନ୍ତି ଅଳ୍ପ । ତାହାହିଁ ଓଡ଼ିଆ ଜାତୀୟ ସାହିତ୍ୟର କୋଠ ସମ୍ପତ୍ତି । “ଜାତୀୟ ଗୀତ’’ ପୁସ୍ତକ ଆକାରରେ ପ୍ରଥମେ ୧୯୧୫ରେ ପ୍ରକାଶ ପାଇଥିଲ। । କିନ୍ତୁ ଏହା ପୂର୍ବରୁ ଉତ୍କଳ ସମ୍ମିଳନୀରେ ବିଭିନ୍ନ ଅଧିବେଶନ ସମୟରେ ଏହା ଲିଖିତ ହୋଇଥିଲା ।

 

୧୪. ସାମ୍ବାଦିକ ମଧୁସୂଦନ

ଖ୍ରୀ: ଅ: ୧୯୧୭ ମସିହାରେ ପ୍ରଥମେ “ଓଡ଼ିଆ’ ନାମକ ଏକ ଇଂରାଜୀ ସାପ୍ତାହିକ ସମ୍ବାଦ ପତ୍ର ମଧୁସୂଦନଙ୍କ ସମ୍ପାଦକତ୍ଵରେ ପ୍ରକାଶିତ ହୋଇଥିଲା । ଏହା ଉତ୍କଳର ତତ୍କାଳୀନ ମୁଖପତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଅବଶ୍ୟ ଏହା ପୂର୍ବରୁ କ୍ଷୀରୋଦବାବୁ “ଷ୍ଟାର ଅଫ୍ ଉତ୍କଳ’ (Star of Utkal) ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ । ତହିଁରେ ମଧୁସୂଦନ ଅନେକ ସମୟରେ ଇଂରାଜୀ ପ୍ରବନ୍ଧମାନ ଲେଖୁଥିଲେ । ମଧୁବାବୁଙ୍କ ରାଜନୀତିକ ଓ ଅନ୍ୟାନ୍ୟ ବିଷୟର ମତଦାନ ଜାଣିବାକୁ ଏହି “ଓଡ଼ିଆ’’ ସମ୍ବାଦ ପତ୍ର ବଡ଼ ଉପାଦେୟ । ପ୍ରଥମେ ମଧୁସୂଦନ ଏହାର ସମ୍ପାଦକ ଥିଲେ । କିନ୍ତୁ ୧୯୧୯ରେ ସେ ସମ୍ପାଦକତ୍ଵ ତ୍ୟାଗ କଲେ ।

 

ଓଡ଼ିଆରେ ପ୍ରକାଶିତ ତାଙ୍କର ପ୍ରବନ୍ଧ, ଟୀକା ଟିପ୍‍ଣୀ ପ୍ରଭୃତି ଯେପରି ଭାବଗର୍ଭକ, ସେହିପରି ଚିତ୍ତାକର୍ଷକ । ଏଗୁଡ଼ିକ ମଧୁସୂଦନଙ୍କର ବହୁମୁଖୀ ଚିନ୍ତାଧାରା ଓ ପ୍ରତିଭାର ପରିଚୟ ଦିଏ । ତେବେ ‘ଓଡ଼ିଆ’ ପତ୍ରିକାରେ ପାଠକ ପାଠିକାମାନେ ଜାଣିବେ ଯେ ମଧୁସୂଦନଙ୍କର ଏହି ଭାବ-ପୂଜାରୀ ଭାବରେ ମଧୁସୂଦନଙ୍କର ହିଁ ଏହିଠାରେ ବିଶେଷତ୍ୱ । ଯଦିଓ ସେ ସେଯୁଗରେ ମାନବ, ଯଦିଓ ତାଙ୍କ ରାଜନୀତିକ ମତବାଦ ଓ ପ୍ରଣାଳୀ ଆଜିକାଲି ଅନେକ ପରିମାଣରେ ଭାରତରେ ପରିବର୍ତ୍ତତ ହୋଇଅଛି , ତଥାପି ତାଙ୍କ ଚିନ୍ତାଧାରାର ମୂଳଭିତ୍ତି ପରିବର୍ତ୍ତିତ ହୋଇନ।ହିଁ ଏବଂ ହେବନାହିଁ । ମଧୁସୂଦନ ଦାର୍ଶନିକ । ସେହି ଦର୍ଶନର ଭାବ ସେ ବକ୍ତା, କବି ଲେଖକ ଓ ସାମ୍ବାଦିକ ଭାବରେ ଦେଶରେ ଖେଳାଇ ଦେଇ ଯାଇଅଛନ୍ତି । ତେଣୁ ମଧୁସୂଦନଙ୍କ ଲେଖାବଳି କେବଳ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ କେବେ ଆବଦ୍ଧ ହୋଇ ପାରିବ ନାହିଁ । ନିମ୍ନରେ କେତୋଟି ଭାବଧାରାର ଦୃଷ୍ଟାନ୍ତ ଦିଆଗଲା –

 

ନାରୀଶିକ୍ଷା ବିଷୟ ନେଇ ମଧୁସୂଦନ ଲେଖିଛନ୍ତି –

“ଜାତି ପକ୍ଷରେ ସ୍ତ୍ରୀ ଶିକ୍ଷା ଅତୀବ ଆବଶ୍ୟକ । ପ୍ରତ୍ୟେକ ବାଳିକା ଭାବୀ ମାତା । ବର୍ତ୍ତମାନର ବାଳିକାମାନେ ଭବିଷ୍ୟତରେ ମାତା ହେବ । ଯେଉଁ ଉତ୍ସରୁ ସ୍ରୋତ ବହିଯାଉଛି ସେହି ସ୍ରୋତ ଉତ୍ସ ଅପେକ୍ଷା ଅଧିକ ଉଚ୍ଚକୁ ଉଠିପାରେ ନାହିଁ, ବା ଅଧିକ ବିଶୁଦ୍ଧ ହୋଇପାରେ ନାହିଁ । କୌଣସି ଜାତି ସ୍ଵଜାତିର ନାରୀମାନଙ୍କଠାରୁ ଅଧିକ ଉଚ୍ଚସ୍ତରକୁ ଉଠିପାରେ ନାହିଁ, କାରଣ ଉତ୍ସ ପରି ନାରୀ ଜାତି ଜାତୀୟ ହୃତ୍‌ପିଣ୍ଡରେ ପ୍ରବାହିତ ରକ୍ତ ଯୋଗାଏ ।’’

 

ଉଦ୍ଧୃତାଂଶରୁ ଜଣାଯିବ ଯେ ନାରୀମାନଙ୍କୁ ମଧୁସୂଦନ କି ଉଚ୍ଚ ଚକ୍ଷୁରେ ଦେଖୁଥିଲେ ଏବଂ ସେ ଆଧୁନିକ ପ୍ରଚଳିତ ନାରୀଶିକ୍ଷାର ପୂର୍ଣ୍ଣ ବିରୁଦ୍ଧବାଦୀ ଥିଲେ । ମଧୁସୂଦନ ପ୍ରଗତିଶୀଳ ବୋଲି ପାଶ୍ଚାତ୍ୟ ଶିକ୍ଷାର ଅତୀତ ଭକ୍ତ ନ ଥିଲେ । “ଓଡ଼ିଆ’’ (The Oriya)ରେ ପ୍ରକାଶିତ ଓଡ଼ିଆଙ୍କର ଜେରୁଜେଲମ୍ ( The Jerusalem of the Oriyas ) ଓ ଫ୍ୟାରୀମୋହନଙ୍କର ଶ୍ର।ଦ୍ଧ ଦିବସ; ଯୁଦ୍ଧହିଁ ବ୍ୟବସାୟ ଓ ବ୍ୟବସାୟହିଁ ଯୁଦ୍ଧ (War is business and business is war), ଅର୍ଥନୀତିକ ବନ୍ଧନରୁ ମୁକ୍ତି (Freedom from industrial captivity), ଅର୍ଥନୀତକ ଜାଗରଣ (Industrial awakening) ପ୍ରବନ୍ଧଗୁଡ଼ିକ ଯେପରି ସୁଚିନ୍ତାପୂର୍ଣ୍ଣ, ସେହିପରି ମଧୁବାବୁଙ୍କ ଗଭୀର ଜ୍ଞାନର ପରିଚୟ ଦିଏ । ମଧୁସୂଦନଙ୍କ ଅନ୍ୟାନ୍ୟ ସୁଚିନ୍ତାପୂର୍ଣ୍ଣ ଅଗ୍ରଲେଖା ମଧ୍ୟରେ ‘ଓଡ଼ିଶା ଇରିଡେଣ୍ଟ’ ( Orissa Irredenta ) ପ୍ରବନ୍ଧ ପ୍ରଣିଧାନ ଯୋଗ୍ୟ ।

 

“ଉତ୍କଳର ସ୍ଵତନ୍ତ୍ର ସଭ୍ୟତା ବିକ।ଶହିଁ ତାର ଇତିହାସ । ଅତୀତରେ ଏହି ସାମାଜିକ ଓ ରାଜନୀତିକ ଅନୁଷ୍ଟାନର ସ୍ଵ।ତନ୍ତ୍ର୍ୟ ପାଇଁ ଉତ୍କଳର ପ୍ରାକୃତିକ ବିଚ୍ଛିନ୍ନତାହିଁ ସାହାଯ୍ୟ କରିଥିଲା ।’’

 

ଏହି ପ୍ରବନ୍ଧରେ ମଧୁସୂଦନ ଉତ୍କଳୀୟ ସଭ୍ୟତାର ଅନେକ ବିଶେଷତ୍ଵ ଉଲ୍ଲେଖ କରି ଅଛନ୍ତି । ଏହା ବ୍ୟତୀତ ଅନେକ ସମୟରେ ତାଙ୍କ ‘ଓଡ଼ିଆ’ ପତ୍ରିକାରେ ନାନା ଟିପ୍‌ଣୀ ମଧ୍ୟରେ ତାଙ୍କ ଚିନ୍ତାଧାରା ଖେଳାଇ ପାରିଛନ୍ତି । ଟୀକା ବା ଟିପ୍‌ଣୀଗୁଡ଼ିକ ସଂକ୍ଷିପ୍ତ ହେଲେ ମଧ୍ୟ ଦାର୍ଶନିକ ଭାବପୂର୍ଣ୍ଣ । ସମାଜର ନାନା ସମସ୍ୟାର ଆଲୋଚନା କରିବାକୁ ଯାଇ, ସେ ଯେଉଁ କ୍ଷୁଦ୍ର କ୍ଷୁଦ୍ର ଟିପ୍‌ଣୀ ଲେଖିଛନ୍ତି, ସେଗୁଡ଼ିକ ଯେପରି ଭାବ- ବ୍ୟଞ୍ଜକ ସେହିପରି ପ୍ରାଣସ୍ପର୍ଶୀ ।

 

ସାମ୍ବାଦିକ ମଧୁସୂଦନଙ୍କର ଧର୍ମ, ସମାଜ, ରାଷ୍ଟ୍ରନୀତି, ଅର୍ଥନୀତି ସବୁ ଦିଗରେ ମତବାଦ ଆମ୍ଭେମାନେ ‘ଓଡ଼ିଆ’ ପତ୍ରିକାରେ ଦେଖିବାକୁ ପାଉଁ । ସେ ସର୍ବତ୍ର ପ୍ରସଙ୍ଗଗୁଡ଼ିକ ଗୋଟିଏ ସାଧାରଣ ନୀତିରୁ ଆଲୋଚନା କରୁଥିଲେ । ତେଣୁ ସେହି ପ୍ରବନ୍ଧ ଓ ଟୀକା ଟୀପ୍ପଣୀଗୁଡିକ ମଧୁସୂଦନଙ୍କ ଭାବଧାରା ଜାଣିବାକୁ ବଡ଼ ଉପାଦେୟ ।

 

ସାମ୍ବାଦିକ ଭାବରେ ମଧୁସୂଦନଙ୍କର ଲକ୍ଷ୍ୟ କଣ ଥିଲା ? ତାଙ୍କର ଲକ୍ଷ୍ୟ ନ ଥିଲା ଯେ, ସମ୍ବାଦପତ୍ର ପରିଚାଳନା କରି ଅର୍ଥ ଉପାର୍ଜନ କରିବେ ।

 

ଦେଶ ଓ ଜାତିର ଅଭାବ ଅସୁବିଧା ସରକାର ତଥା ଅନ୍ୟ – ମାନଙ୍କୁ ଜଣାଇବା ପାଇଁ ‘ଉତ୍କଳ’ ସମ୍ମିଳନୀର ସମ୍ବାଦ ଗୋଟିଏ ପତ୍ରିକାରେ ବାହାରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ଟଙ୍କା କିଏ ଦେଉଛି ? ମଧୁସୂଦନ ନିଜେ ହାତରୁ ଟଙ୍କା ଖର୍ଚ୍ଚ କରି ପତ୍ରିକାଟି ବାହାର କରିଥିଲେ । ଲାଭବାନ୍‌ ହେବା ଦୂରେ ଥାଉ ବରଂ କ୍ଷତିଗ୍ରସ୍ତ ହୋଇଥିଲେ।

 

୧୫. ମନ୍ତ୍ରୀ ମଧୁସୂଦନ

ମଧୁସୂଦନଙ୍କ ବ୍ୟବସ୍ଥାପକ ଜୀବନର ପରିସମାପ୍ତୀ ମନ୍ତ୍ରୀତ୍ୱରେ । ତାଙ୍କ ମନ୍ତ୍ରୀତ୍ଵ ଗ୍ରହଣ କରିବା ସମୟ ଭାରରେ ଏକ ଜଟିଳ ସମୟ । ୧୯୨୧ ମସିହା ଭାରତରେ ଏକ ସ୍ମରଣୀୟ ବର୍ଷ । ଅସହଯୋଗର ପ୍ରବଳ ସ୍ରୋତରେ ଦେଶ ପ୍ଳାବିତ ହେବାକୁ ଉଦ୍ୟତ । ଜାତିର ସେହି ଜଟିଳ ଅବସ୍ଥାରେ ଲର୍ଡ ସିଂହ ବିହାର ଓଡ଼ିଶାର ଛୋଟଲାଟ ହେଲେ । ସେ ମଧୁସୂଦନଙ୍କୁ ହଠାତ୍‌ କଲିକତାକୁ ଡକାଇ ପଠାଇଲେ । ମଧୁସୂଦନ ତା’ର ସମ୍ବାଦ ପାଇଁ କଲିକତାରେ ତାଙ୍କୁ ଦେଖା କଲେ । ମଧୁସୂଦନଙ୍କୁ ସେ ମନ୍ତ୍ରୀପଦରେ ବରଣ କରିବେ ବୋଲି ତାଙ୍କ ସମ୍ମୁଖରେ ପ୍ରକାଶ କଲେ । ମଧୁସୂଦନ ଏ ବିଷୟ ସାର୍‌ ଆଶୁତୋଷଙ୍କ ସଙ୍ଗେ ପରାମର୍ଶ କଲେ । ଆଶୁତୋଷ ମନ୍ତ୍ରୀତ୍ଵ ଗ୍ରହଣର ଅନୁକୂଳ ମତ ଦେଲେ । ମଧୁସୂଦନ ବ୍ୟବସ୍ଥାପକ ସଭାରେ କାର୍ଯ୍ୟ କରିପାରିବେ, ବିଶ୍ଵାସକରି ମନ୍ତ୍ରୀତ୍ଵ ଗ୍ରହଣ କଲେ ।

 

ମଧୁସୂଦନ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ ନାହିଁ କାହିଁକି ?-

 

(୧)

ଅସହଯୋଗର ପନ୍ଥା ପ୍ରତି ତାଙ୍କର ବିଶ୍ଵାସ ନ ଥିଲା । ସେ ଭାବୁଥିଲେ ଯେ କଂଗ୍ରେସର ଆଦର୍ଶ ବଡ଼, ଭାରତରେ ଜନ ସାଧାରଣ ସେତେଦୁର ଯାଇ ପାରିବେ ବୋଲି ତାଙ୍କର ବିଶ୍ଵାସ ନ ଥିଲା ତାଙ୍କର ଗୋଟିଏ ଚିଠିରୁ କେତେ ଧାଡ଼ି ଉଦ୍ଧାର କରି ଦିଆଗଲା –

 

“ଭାରତୀୟ ଜାତୀୟ କଂଗ୍ରେସ ଏକ ଉଡ଼ାଜାହାଜ । ସାଧାରଣ କେକେ ଯେଉଁଠି ବାସ କରନ୍ତି ତାହାଠାରୁ ବହୁଦୂରରେ ଏହା ଉଡ଼ୁଅଛି । ଭାରତରେ ଅତି ପ୍ରଗତିଶୀଳ ସନ୍ତାନମାନେ ସେହି ଦୂର ଉଚ୍ଚତାରୁ ଭାରତକୁ ଦେଖୁଅଛନ୍ତି ।’’

 

(୨)

‘ଅସହଯୋଗ’ଦ୍ଵାରା ଭାରତୀୟ ସ୍ଵାଧୀନତା ଅଣାଯାଇପାରେ ଏ ବିଶ୍ଵାସ ତାଙ୍କର ଆଦୌ ସେତେବେଳେ ନ ଥିଲା ।

 

(୩)

ବ୍ୟବସ୍ଥାମୂଳକ କର୍ମପନ୍ଥାଦ୍ଵାରା ଦେଶର ବିକାଶ କରିବାରେ ତାଙ୍କର ବିଶ୍ଵାସ ଥିଲା । ତେଣୁ ବିଦ୍ରୋହମୂଳକ କାର୍ଯ୍ୟପାନ୍ଥରେ ସେ ବିଶ୍ଵାସ ସ୍ଥାପନ କରି ପାରିଲେ ନାହିଁ ।

 

ମନ୍ତ୍ରୀ ହୋଇ ମଧୁସୂଦନ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ରହିଲେ ମଧ୍ୟ ସେ ଜଣେ ସାଧାରଣ ଯୋହୁକୁମ୍‌ ମନ୍ତ୍ରୀ ହୋଇ ରହିପାରିଲେ ନାହିଁ ତାଙ୍କର ପୂର୍ଣ୍ଣ ବିଶ୍ଵାସ ଥିଲା, କଂଗ୍ରେସ ଯେ ଲୋକମାନଙ୍କ ଉପରେ ପ୍ରଭାବ ପକାଇ ପାରିଛି, ତାହାର କାରଣ କେତେଗୁଡ଼ିଏ ନେତାଙ୍କର ତ୍ୟାଗ ଓ ଆଦର୍ଶମୟ ଜୀବନ ।

 

ତେଣୁ ଯଦି ସରକାର ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବାକୁ ଚାହାନ୍ତି, ତେବେ ସରକାରଙ୍କ ମନ୍ତ୍ରୀମାନେ ସେହିପରି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ତ୍ୟାଗମୟ ଜୀବନ ଯାପନ କରିବା ଉଚିତ । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ କିପରି ମନ୍ତ୍ରୀତ୍ଵ ତ୍ୟାଗ କଲେ ତାହା ନିମ୍ନରେ ବିବୃତ୍ତ ହେଲା। କିନ୍ତୁ ମନ୍ତ୍ରୀତ୍ଵ ସମୟରେ ତାଙ୍କର ନାନା କାର୍ଯ୍ୟ ମଧ୍ୟରେ ସ୍ୱାୟତ୍ତ ଶାସନ ବିଲହିଁ ପ୍ରଧାନ । ତଦ୍ଦ୍ୱାରା ଜିଲ୍ଲାବୋର୍ଡ଼, ଲୋକାଲ ବୋର୍ଡ଼ ଓ ମୁନିସିପାଲିଟିଗୁଡ଼ିକ ଯଥେଷ୍ଟ ସ୍ଵାଧୀନତା ଲାଭ କଲେ । ବେ-ସରକାରୀ ସଭ୍ୟମାନେ ସେହି ବିଲ ଅନୁସାରେ ଅନେକ ଅଧିକାର ଲାଭ କଲେ । ଏହା ପୂର୍ବରୁ ଜିର୍ଲାବୋର୍ଡ, ଲୋକାଲ ବୋର୍ଡ, ମ୍ୟୁନିସିପାଲିଟି କେବଳ ସରକାରଙ୍କର ହାତ – ପିତୁଳା ହୋଇଥିଲା । ତହିଁରେ ସାଧାରଣଙ୍କର ସେପରି କ୍ଷମତା ନ ଥିଲା । ମାଜିଷ୍ଟ୍ରେଟମାନେ ସାଧାରଣତଃ ଏହି ଜନହିତକର ଅନୁଷ୍ଠାନ ଗୁଡ଼ିକର ସର୍ବେସବା ହେଉଥିଲେ । ସେ ଏ ବିଷୟରେ ଯେଉଁ ବକ୍ତୃତାଟି ଦେଇଥିଲେ ତାହା ଗୋଟିଏ ସ୍ମରଣୀୟ ବକୃତା ।

 

ତା ପରେ ମଧୁ ମଧୁସୂଦନଙ୍କ ଆଦର୍ଶ ଓ ନୀତି ସହିତ ସରକାରଙ୍କ ଆଦର୍ଶ ଓ ନୀତିର ପାର୍ଥକ୍ୟ ହେଲା । ସେ ଯେଉଁ ପ୍ରସ୍ତାବ ଆଣିଲେ ତାହାହିଁ ତାଙ୍କୁ ସଦା ଅମର କରି ରଖିଥିବ । ମଧୁସୂଦନ ଭାରତୀୟ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଥମ, ଯେ ନୀତି ଲାଗି ମାସିକ ପାଞ୍ଚ ହଜାର ଟଙ୍କାକୁ ଖାତିରି ନ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଅଛନ୍ତି । ଅର୍ଥ ତାଙ୍କୁ ଲକ୍ଷ୍ୟଭ୍ରଷ୍ଟ କରି ନାହିଁ । ତାଙ୍କ ମନ୍ତ୍ରୀତ୍ଵ ତ୍ୟାଗପତ୍ର ଗୋଟିଏ ପଢ଼ିବାର କାଗଜ । ତତ୍‌କାଳୀନ ବିହାର-ଓଡ଼ିଶାର ଗଭର୍ଣ୍ଣର ହେନେରୀ ହୁଇଲରଙ୍କ ସମ୍ମତିକ୍ରମେ ସେ ପତ୍ର ସାଧାରଣଙ୍କ ଜାଣିବାଲାଗି ସମ୍ବାଦ-ପତ୍ରରେ ପ୍ରକାଶ ପାଇଥିଲା । ସେଥିରେ ସାରା ଭାରତ ତାଙ୍କ ଆଦର୍ଶରେ ଚମକି ଯାଇଥିଲା । ମ୍ୟୁନିସିପାଲିଟି ପ୍ରଭୃତିର ଚେୟାରମ୍ୟାନ ପ୍ରଭୃତି ଅବୈତନିକ କାର୍ଯ୍ୟ କଲାବେଳେ, ସେମାନଙ୍କ ବିଭାଗରେ ଶ୍ରେଷ୍ଠ ଅଧିକାରୀ ସ୍ୱାୟତଶାସନ ବିଭାଗର ମନ୍ତ୍ରୀପଦ ଅବୈତନିକ ହେବା ବିଧେୟ । ପରେ ସେ ଅଳ୍ପ ଦରମାରେ କାମ କରିବେ ବୋଲି ରାଜି ହୋଇଥିଲେ, ତାହାର କାରଣ ମଧ୍ୟ ସେ ଦେଇଥିଲେ । ଶେଷରେ ସେ ଲେଖିଥିଲେ:-

 

“ମୁଁ ଊଣା ବେତନ ନେବାକୁ ରାଜି ହୋଇଥିଲି, କାରଣ ମୋର ଅନ୍ୟ ମନ୍ତ୍ରୀ ଭାଇ ଏହା ଗ୍ରହଣ କରିବାକୁ ରାଜି ଥିଲେ । ସେ ଭାବୁଥିଲେ ଯେ ମୁଁ ତାଙ୍କ ପଥର କଣ୍ଟକ ହୋଇଥିଲି । ତାଙ୍କର ଅବସ୍ଥାକୁ ଉନ୍ନତ କରିବାକୁ ମୁଁ ଏପରି ପ୍ରସ୍ତାବରେ ରାଜି ହୋଇଥିଲି । ବର୍ତ୍ତମାନ ମୋର ଭାଇଙ୍କର ସ୍ଥାନ ସୁସ୍ଥିର ହେବାରୁ ମୁଁ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀତ୍ଵରୁ ଇସ୍ତଫା ଦେଲି । ମୋର ବର୍ତ୍ତମାନ ସୁଦ୍ଧା ବିଶ୍ଵାସ ଯେ ଏହି ଅଫିସ ଅବୈତନିକ ହେବ ।’’

 

ତାହାପରେ ସେ ଯେଉଁ ଚିଠି ଗଭର୍ଣ୍ଣରଙ୍କ ପାଖକୁ ଦେଇଥିଲେ ତହିଁରେ ସେ ଲେଖିଥିଲେ :-

 

“ହଜାର ହଜାର ଅବୈତନିକ କର୍ମୀମାନଙ୍କ ଉପରେ ଜଣେ ବେତନଭୋଗୀ ଅଫିସର ଏକ ବୈଷମ୍ୟ । ସେ ସେମାନଙ୍କ ଭକ୍ତିଭାଜନ ହୋଇ ନ ପାରେ, ତେଣୁ ଲୋକମାନଙ୍କ ଦେଶପ୍ରେମ ବା ତ୍ୟାଗମୂଳକ ଭାବକୁ ସ୍ପନ୍ଦିତ କରିବା ପାଇଁ ତାର ସମସ୍ତ ଚେଷ୍ଟା ଲୋକମାନଙ୍କର ହାସ୍ୟ-ରସର ସାମଗ୍ରୀ ମାତ୍ର ହେବ ।’’

 

ମଧୁସୂଦନ ସମସ୍ତ କାରଣ ଦର୍ଶାଇବା ସତ୍ତ୍ୱେ ସରକାର ତାଙ୍କ ମତ ପରିବର୍ତ୍ତନ କଲେ ନାହିଁ । ମଧୁସୂଦନ ୧୯୨୩ ମାର୍ଚ୍ଚ ୮ ତାରିଖରେ ମନ୍ତ୍ରୀତ୍ଵ ପଦରୁ ସ୍ଵ ଇଚ୍ଛାରେ ଇସ୍ତଫା ଦେଲେ ।

 

୬. କୁଳବୃଦ୍ଧ ମଧୁସୂଦନ

କୁଳବୃଦ୍ଧ ମଧୁସୂଦନଙ୍କର ଜୀବନ ବଡ଼ କରୁଣ । ମନ୍ତ୍ରୀତ୍ଵ ତ୍ୟାଗ କଲାବେଳକୁ ମଧୁସୂଦନଙ୍କର ବୟସ ୭୫ ବର୍ଷ । ଉତ୍କଳ ଟ୍ୟାନେରୀ କମ୍ପାନୀ କରିବାକୁ ଚେଷ୍ଟା କରି ବିଫଳ ହେଲେ । ଅବଶ୍ୟ କମ୍ପାନୀଟିକୁ କୌଣସି ଇଂରେଜ କମ୍ପାନୀକୁ ବିକ୍ରି କରି ଦେଇଥିଲେ ମଧୁସୂଦନ ଲାଭବାନ ହୋଇଥାନ୍ତେ, କିନ୍ତୁ ମଧୁସୂଦନଙ୍କ ପ୍ରାଣ ଅନ୍ୟ ଉପାଦାନରେ ଗଢ଼ା ହୋଇଥିଲା । ମଧୁସୂଦନ ଜୀବନ ସାରା ରାଜା ଭଳି ରୋଜଗାର କରିଥିଲେ , କିନ୍ତୁ ସମସ୍ତ ଜାତି ପାଇଁ ମୁକ୍ତ ହସ୍ତରେ ଖର୍ଚ୍ଚ କରିଥିଲେ । ଏପରିକି ମଧୁସୂଦନଙ୍କ ଦୀର୍ଘ ସାଧାରଣ ଜୀବନ ମଧ୍ୟରେ ସେ କେବେ ଦେଶ କାମ ଲାଗି କାହାକୁ ହାତ ପତାଇ କିଛି ଅର୍ଥ ମାଗୁନଥିଲେ । ନିଜର ବା କିଏ ଥିଲେ ଯେ କାହାପାଇଁ ସଞ୍ଚୟ କରି ରଖିବେ । କିନ୍ତୁ ମଧୁସୂଦନ ମିତବ୍ୟୟୀ ନଥିଲେ । ସେ ଅମୀର ମେବାରର ଲୋକ ଥିଲେ । ତେଣୁ ଖର୍ଚ୍ଚ ପ୍ରତି ତାଙ୍କର ଖାତିର ନଥିଲା । ସେ ଜୀବନରେ ଅନେକଗୁଡ଼ିଏ ଋଣ କରିଥିଲେ । ସେଗୁଡ଼ିକ ଆଉ ଶୁଝିବାର କୌଣସି ବାଟ ନ ଥିଲା । ଉତ୍କଳ ଟ୍ୟାନେରୀ ନିଲାମ ହେଲା । ମଧୁସୂଦନ ଦିଆଳିଆ (Insolvent) ହେବେ ବୋଲି ଦରଖାସ୍ତ କଲେ । ମଧୁସୂଦନଙ୍କର କଟକ କୋଠି, ଆସବାବପତ୍ର ଓ ତାଙ୍କ ପ୍ରିୟ ଗ୍ରନ୍ଥାଗରଟି ନିଲାମ ହୋଇଗଲା । ମଧୁସୂଦନ ଦାଣ୍ଡର ଭିକାରୀ ହେଲେ ।

 

ଦିଆଳିଆ ହେବା ପରେ ହାଇକୋର୍ଟରେ ଓକିଲାତି କରିବାକୁ ସେ ଏକ ବିଶେଷ ସୁବିଧା ପାଇଥିଲେ । ବୃଦ୍ଧ ମୃତ୍ୟୁ ପର୍ଯ୍ୟନ୍ତ ନିଜେ ନିଜର ସମସ୍ତ ଖର୍ଚ୍ଚ ରୋଜଗାର କରୁଥିଲେ । ସେ କାହା ଆଶ୍ରୟ ଖୋଜି ନ ଥିଲେ । ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ କର୍ମତତ୍ପରତା କମି ନଥିଲା । ୧୯୨୧ ଠାରୁ ସେ ଉତ୍କଳର ସାଧାରଣ ନେତୃତ୍ଵରୁ ବିଦାୟ ନେଇଥିଲେ । ତାଙ୍କ ସ୍ଥାନ ତାଙ୍କ ଶିଷ୍ୟମାନଙ୍କ ଦ୍ଵାରା ମୁଦ୍ରଣ ହେଲା । କିନ୍ତୁ ମଧୁସୂଦନଙ୍କୁ କୁଳବୃଦ୍ଧ ବୋଲି ସମସ୍ତେ ସମ୍ମାନ ଦେଖାଇବାକୁ ପଶ୍ଚାତପଦ ହେଉ ନଥିଲେ ।

 

ମଧୁସୂଦନ ଦିଆଳିଆ ହୋଇ ମଧ୍ୟ କେତେ କଲେଜପିଲାଙ୍କୁ ସାହାଯ୍ୟ କରୁଥିବାର ପ୍ରମାଣ ମିଳିଅଛି । ଏପରି କି ସାର ସୁରେନ୍ଦ୍ରନାଥଙ୍କ ମୃତ୍ୟୁରେ ଯେଉଁ ସାଧାରଣ ସଭା କଟକରେ ହୋଇଥିଲା ତାହାର ଶୋକସମ୍ବାଦ ପଠାଇବା ଖର୍ଚ୍ଚ ସେ ନିଜେ ଦେଇଥିଲେ । ବନ୍ୟାବେଳେ ତାଙ୍କ ସାଧ୍ୟ ଅନୁସାରେ ସାହାଯ୍ୟ କରୁଥିଲେ । ମଧୁସୂଦନ ସବୁବେଳେ ଦେଶ କାମ ପାଇଁ ମୁକ୍ତ ହସ୍ତ । ମଧୁସୂଦନଙ୍କ ଦୁର୍ବଳତା ଥାଇପାରେ, ମନୁଷ୍ୟଭାବରେ ସମସ୍ତଙ୍କର ଥିବା ମଧ୍ୟ ସ୍ଵାଭାବିକ, କିନ୍ତୁ ଦେଶକାର୍ଯ୍ୟ ପାଇଁ ଏପରି ଅକାତରରେ ଅର୍ଥ ଓ ସ୍ଵାର୍ଥତ୍ୟାଗ କ୍ୱଚିତ ଦେଖାଯାଏ । ତାଙ୍କ ନିଜର

ବା ସ୍ଵାର୍ଥ କ’ଣ ଥିଲା ? ମଧୁସୂଦନ ଯଦି ଟଙ୍କା ଜମା କରିବାକୁ ଇଚ୍ଛାକରି ଥାଆନ୍ତେ ତେବେ ସେ ଭାରତର ଆଜି ଜଣେ ଧନୀ ଲୋକ ହୋଇ ଥାଆନ୍ତେ । କିନ୍ତୁ ତାହା ହେଲେ ମଧୁସୂଦନ ଆମ୍ଭମାନଙ୍କ ପ୍ରାଣରେ ଏତେ ନିକଟବର୍ତୀ ହୋଇ ନ ଥାନ୍ତେ ।

 

କୁଳବୃଦ୍ଧ ଦେଶର ଜୀବନ୍ତ ରାଷ୍ଟ୍ରନୀତିରୁ ବିଦାୟ ନେଇଥିଲେ ମଧ୍ୟ ଦେଶର ସୁଖ ଦୁଃଖରେ ସମବେଦନା ପ୍ରକାଶ କରୁଥିଲେ । ଏହି ଅବସ୍ଥାରେ (୧୯୨୫ରେ) ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହିତ ଦେଖା ହୋଇଥିଲା । ଗାନ୍ଧୀଜୀ ମଧୁସୂଦନଙ୍କ ବ୍ୟକ୍ତିତ୍ଵରେ ଖୁବମୁଗ୍ଧ ହୋଇଥିଲେ ଏବଂ ସେ ମଧ୍ୟ ମଧୁସୂଦନଙ୍କ ଘରେ ଆତିଥ୍ୟ ଗ୍ରହଣ କରିଥିଲେ ।

 

ମଧୁସୂଦନ ଯେ ‘ଚମଡ଼ା ବ୍ୟବସାୟ’ ନେଇ ଏତେ ଭାବିଛନ୍ତି ସେଥିପାଇଁ ସେ ବଡ଼ ମୁଗ୍ଧ ହୋଇଥିଲେ ଏବଂ ତାଙ୍କ ‘ୟଂ ଇଣ୍ଡିଆ’ ପତ୍ରିକାରେ ସେ ବିଷୟରେ କେତେକ ଟୀକା ଟିପ୍‍ଣୀ ଲେଖିଥିଲେ ।

 

କୁଳବୃଦ୍ଧ ମଧୁସୂଦନ ଶେଷରେ ଓଡ଼ନେଲ କମିଟି ଆସିଲାବେଳେ ଓଡ଼ିଆ ଆନ୍ଦୋଳନ ଓ ଉତ୍କଳର ସ୍ଵତନ୍ତ୍ରୀକରଣପାଇଁ ଯଥେଷ୍ଟ କାର୍ଯ୍ୟ କରିଥିଲେ । ତାଙ୍କ ବୃଦ୍ଧ ଶରୀରରେ ପୁଣି ସେପରି ସେ ନବ ଜୀବନ ଫେରି ପାଇଥିଲେ । ନିଜେ ମଧ୍ୟ ସେ ଏକ ଦୀର୍ଘ ସୁଯୁକ୍ତିପୂର୍ଣ୍ଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ମଧୁସୂଦନ ମଧ୍ୟ ହବାକ୍‌ କମିଟିର ଖଣ୍ଡେ ସଦସ୍ୟ ରୂପେ ମନୋନୀତ ହୋଇଥିଲେ ।

 

୧୭. ମଧୁସୂଦନଙ୍କ ବ୍ୟକ୍ତିତ୍ଵ ଓ ନୀତି

ମଧୁସୂଦନଙ୍କର ଏହି ସଂକ୍ଷିପ୍ତ ଜୀବନବୃତ୍ତାନ୍ତ ଶେଷ ହେବା ପୂର୍ବରୁ ମଧୁସୂଦନଙ୍କ ବ୍ୟକ୍ତିତ୍ୟ ଓ ନୀତି ପ୍ରସଙ୍ଗରେ କିଛି ଲେଖିବା ବିଧେୟ । ମଧୁସୂଦନଙ୍କ ବ୍ୟକ୍ତିତ୍ୟକୁ ଅନେକେ ଏକ ବୃଦ୍ଧ; ବଟଗଛ ସଙ୍ଗେ ତୁଳନା କରନ୍ତି । କେହି କେହି ଏକ ଆଲୋକ ସ୍ତମ୍ଭ ସଙ୍ଗେ ତୁଳନା କରନ୍ତି । ସେ ଯାହାହେଉ, ମଧୁସୂଦନଙ୍କ ଜୀବନ ହିଁ ଉତ୍କଳ ଅର୍ଦ୍ଧ ଶତାବ୍ଦୀ ବ୍ୟାପୀ ସାଧାରଣ ଜୀବନ । ମଧୁସୂଦନ ଜନନେତା ଥିଲେ ।

 

ଜନନେତାଙ୍କର ଗୋଟିଏ ବଡ଼ ଗୁଣ ସାମାଜିକତା । ମଧୁସୂଦନ ମାନବ ସମାଜ ଓ ଜାତିକୁ ବଡ଼ ଶ୍ରଦ୍ଧା ଚକ୍ଷୁରେ ଦେଖୁଥିଲେ । ମଧୁସୂଦନ ଏକ ଅସାଧାରଣ ପ୍ରତିଭାଶାଳୀ ବ୍ୟକ୍ତି ଭାବରେ, ଉତ୍କଳ ନୁହେଁ ଭାରତ ତଥା ଇଉରୋପର କେତେକ ଦେଶରେ, ସୁପରିଚିତ । ସେ ଭଗବାନଙ୍କଠାରେ ବିଶ୍ୱାସ କରୁଥିଲେ । ତାଙ୍କର ଧର୍ମଭାବ କୌଣସି ଗୋଷ୍ଠୀ ବା ଦଳର ଗଣ୍ଡିରେ ଆବଦ୍ଧ ନଥିଲା । କର୍ମଯୋଗୀ ଭାବରେ ମଧୁସୂଦନଙ୍କ ପ୍ରାଣରେ ଅଦମ୍ୟ ଉତ୍ସାହ ଓ କଳ୍ପନା ଥିଲା ।

 

ସ୍ଵପ୍ନବିତ୍ତ୍‌ ମଧୁସୂଦନଙ୍କ ସ୍ଥାନ ଭାରତୀୟ ରାଷ୍ଟ୍ରନୀତିଜ୍ଞମାନଙ୍କ ମଧ୍ୟରେ ଖୁବ୍‌ ଉପରେ । ସ୍ଵଦେଶ ଶିଳ୍ପ ସଂଗଠନ ବିନା ଜାତି ଉଠିନ ପାରେ ଏହା ତାଙ୍କର ଉନବିଂଶ ଶତାବ୍ଦୀର ଚିନ୍ତା ଧାରା । ଅସ୍ପୃଶ୍ୟତା ନିବାରଣ, ଅରଟ ପ୍ରଚଳନ, ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର ପ୍ରଭୃତିରୁ ବେଶ୍‍ ଜଣାଯିବ ମଧୁସୂଦନ କିପରି ଦେଶର ଅର୍ଥନୀତିକ ସମସ୍ୟାକୁ ସେ ଯୁଗରୁ ବୁଝି ପାରିଥିଲେ ।

 

ମଧୁସୂଦନଙ୍କ ଗୁରୁଭକ୍ତି ଅସାଧାରଣ । ସେ ତାଙ୍କ ଗାଁ ଅବଧାନଙ୍କୁ ଅନେକ ବର୍ଷଧରି ବୃତ୍ତି ଦେଉଥିଲେ । ପିତାମାତାଙ୍କ ପ୍ରତି ତାଙ୍କର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା । ନିଜେ ଧର୍ମାନ୍ତର ଗ୍ରହଣ କରିଥିଲେ ମଧ୍ୟ ସେ ପିତାମାତାଙ୍କୁ କେବେ ଅବହେଳା କରୁ ନ ଥିଲେ । ମଧୁବାବୁ ନିଜେ ପିତାହାରି ଥିଲେ ମଧ୍ୟ ଅନ୍ୟମାନଙ୍କୁ ଭୂରି ଭୋଜନ ଦେଇ ବଡ଼ ଆନନ୍ଦ ଉପଭୋଗ କରୁଥିଲେ । ଯୁବକ ସମୟରେ ପଶୁ, ପକ୍ଷୀ ପାଳିବା ତାଙ୍କର ଖିଆଲ ଥିଲା । ଜୀବନ ମଧ୍ୟାହ୍ନରେ କୃଷି, ଶିଳ୍ପ ଓ ଉଦ୍ୟାନକର୍ମ ତାଙ୍କର ଖିଆଲରେ ପରିଣତ ହୋଇଥିଲା ।

 

ମଧୁସୂଦନ ଜଣେ ସୁବକ୍ତା ଥିଲେ ଓ ସାମାଜିକ ଜୀବନରେ ମଧ୍ୟ ସେ ସୁକଥକ ଥିଲେ । ତାଙ୍କ କଥାଗୁଡ଼ିକ ଯେପରି ଶିକ୍ଷା ପୂର୍ଣ୍ଣ ସେହିପରି ରସମୟ । ଯୁବକବେଳେ ସେ ନିୟମିତ ଭାବରେ ନାନା ବେଳରେ ଯୋଗ ଦେଉଥିଲେ । ଶେଷ ଅବସ୍ଥାରେ ଭ୍ରମଣ ତାଙ୍କର ବ୍ୟାୟାମ ଥିଲା-

 

ମଧୁସୂଦନଙ୍କ ଧୌର୍ଯ୍ୟ, ନିଷ୍ଟା, କର୍ମ-ପ୍ରୀତି ଅତି ଆଦର୍ଶ ଧରଣର । ଏହା ବ୍ୟତୀତ ସେ ଏକ କଳା–ପ୍ରେମିକ ଥିଲେ । ଉତ୍କଳର ଅତୀତ ତାଙ୍କ ପ୍ରାଣରେ ଯଥେଷ୍ଟ ଉଦ୍‌ବୋଧନ ଦେଉଥିଲା ।

 

ମଧୁବାବୁ ଦେଖିବାକୁ ରୁଗ୍‌ଣକାୟ ଏବଂ ସେ ଚିର ରୋଗୀ ଥିଲେ । ଖାଇବା ତାଙ୍କ ଅତି ଅଳ୍ପ ଥିଲା । ଶେଷ ବେଳକୁ ସେ ଅତି ସମାନ୍ୟ ମାତ୍ର ଖାଇପାରୁ ଥିଲେ । ତିନି ଭରି ଚାଉଳ ସିଝା ଲେହି କିମ୍ବା ଅମୃତଭଣ୍ଡା ସିଝା ଟିକିଏ ତାଙ୍କର ଆହାର ଥିଲା ।

 

ମଧୁବାବୁଙ୍କ ଜାତୀୟ ଜୀବନର କାର୍ଯ୍ୟମାନ ପର୍ଯ୍ୟାଲୋଚନା କାଲେ ତାଙ୍କ ପ୍ରବର୍ତ୍ତିତ ନୀତିକୁ ଜାତୀୟବାଦ କୁହଯାଇପାରେ । ମଧୁବାବୁ ମଧ୍ୟ ସନ ୧୯୦୩ ଠାରୁ ୧୯୨୧ ଯାଏ ଉତ୍କଳକୁ ଭାରତୀୟ ରାଜନୀତିରୁ କେବେ ଅଲଗା କରି ରଖି ନଥିଲେ । ସେତେବେଳେ ମଧୁସୂଦନ ଭାରତୀୟ କଂଗ୍ରେସ ସଭାରେ ମଧ୍ୟ ଯୋଗ ଦେଉଥିଲେ । ଉତ୍କଳର ପୃର୍ଣ୍ଣାଙ୍ଗ ଅବସ୍ଥା ଆଣିବା ପାଇଁ ସେ ଯୁଗୋଚିତ ନୀତି ଗ୍ରହଣ କରିଥିଲେ । କିନ୍ତୁ ମଧୁସୂଦନ ଉତ୍କଳ-ସମ୍ମିଳନୀର ଗୋଟିଏ ବକ୍ତୃତାରେ କହିଅଛନ୍ତି ।

 

“ଉତ୍କଳ-ଜନନୀ ଓ ଭାରତ ଜନନୀଙ୍କର କିଛି ପ୍ରଭେଦ ନାହିଁ । ଶରୀରରେ କୌଣସି ଅଂଶରେ ପୀଡ଼ା ହେଲେ ସେହି ଅଂଶର ଚିକିତ୍ସା କରିବାକୁ ହେବ । କିନ୍ତୁ ଏହି ଅଂଶବିଶେଷର ଚିକିତ୍ସା ଦ୍ୱାରା ସମଗ୍ର ଶରୀରର ଉନ୍ନତି ହେବ । ଉତ୍କଳର ଚିକତ୍ସା ଉଦ୍ଦେଶ୍ୟ ଭାରତର ଉନ୍ନତି ।’’

[୧୯୦୮ ଉତ୍କଳ -ସମ୍ମିଳନୀ ବକ୍ତୃତା]

 

ଅନ୍ୟତ୍ର ସେ କହିଥିଲେ :-

“ପରିଶେଷରେ ଏ ସମ୍ବନ୍ଧରେ ମୋର ବକ୍ତବ୍ୟ ଏହି କି ଉତ୍କଳ-ଜନନୀ ଭାରତ-ଜନନୀଙ୍କଠାରୁ ବିଚ୍ଛିନ୍ନ ନୁହନ୍ତି । ସେ ଭାରତ-ଜନନୀଙ୍କର ସପତ୍ନୀ କିମ୍ବା ଶତ୍ରୁ ନୁହଁନ୍ତି । + + + + ଏହି ମୂର୍ତ୍ତି (ଉତ୍କଳ-ମାତାଙ୍କର) ଭାରତମାତାଙ୍କର ଗୋଟିଏ ମୂର୍ତ୍ତି ବିଶେଷ । ଏହି ରୂପଟି ଭରତ-ମାତାଙ୍କର ଗୋଟିଏ ଅବତାର । ଏପରି ସ୍ଥଳରେ ଉତ୍କଳ-ମାତା ଭାରତ-ମାତାଙ୍କର ସପତ୍ନୀ ନୁହନ୍ତି । + +”

 

ଉପରବର୍ଣ୍ଣିତ ଚିନ୍ତାଧାରାରୁ ମଧୁସୂଦନଙ୍କ ନୀତିର ଯୁକ୍ତି ଯୁକ୍ତତା ସହଜରେ ବୁଝାହେବ । ମଧୁବାବୁଙ୍କ ଆଦର୍ଶ ଅତି ସ୍ପଷ୍ଟ । ବରଂ ସେ ନିଖିଳ ଭାରତର ପ୍ରକୃତ ମଙ୍ଗଳାକାଂକ୍ଷୀ ଥିଲେ । ନିଖିଳ ଭାରତ ଆମର ଆମର କହି କହି ଶୂନ୍ୟ ଚିତ୍କାର କରିବା ଅପେକ୍ଷା ଉତ୍କଳପାଇଁ ନିରବ ସାଧନାକୁ ସେ ବେଶୀ ପସନ୍ଦ କରୁଥିଲେ । ଭାରତର ରାଷ୍ଟ୍ରନୀତିରୁ କଣ କେବେ ଜାତୀୟବାଦ ଲୋପ ପାଇପାରେ ? କାରଣ ଭାରତୀୟ ରାଷ୍ଟ୍ରସଙ୍ଘରେ ପ୍ରତ୍ୟେକ ପ୍ରଦେଶ ବା ରାଷ୍ଟ୍ର ନିଜର ଜାତୀୟତା, ସଭ୍ୟତା, ସଂସ୍କୃତି ଓ କଳାର ବିଶିଷ୍ଟତା ବଜାୟ ରଖିବାକୁ ଚାହାନ୍ତି । ପ୍ରତ୍ୟେକ ରାଷ୍ଟ୍ର ସଂଯୋଗୀ କରଣ (Union) ଚାହେଁ; କିନ୍ତୁ ଏକତ୍ରୀକରଣ (Unity) ନୁହେଁ । ତେଣୁ ମଧୁସୂଦନ ଯେ ଉତ୍କଳ ପ୍ରଦେଶ ବା ରାଷ୍ଟ୍ର (state)ର ମଙ୍ଗଳ ଚିନ୍ତା କରୁଥିଲେ ଏ ଚିନ୍ତାରେ କି ଦୋଷ ଥିଲା ? ତେଣୁ ମଧୁସୂଦନ ସେ ଯୁଗରେ ଉତ୍କଳର ବିରାଟ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । କିନ୍ତୁ ଭାରତୀୟ ରାଷ୍ଟ୍ରନୀତି ସ୍ରୋତରୁ ସେ ନିଜକୁ କେବେ ପୃଥକ୍‌ କରି ନଥିଲେ ।

 

ମଧୁସୂଦନ ସ୍ଵପ୍ନବିତ୍‌ ଭାବରେ ସେ ଆଦର୍ଶ ଜାତି ଆଗରେ ରଖିଥିଲେ, ତାହା କାର୍ଯ୍ୟରେ ପରିଣତ କରିଯାଇ ପାରିନାହାନ୍ତି । ସେଥିପାଇଁ ସେ ବୋଧହୁଏ କହିଥିଲେ “ମୋର ଜୀବନ ନିରର୍ଥକ’’ (My life is a failure) । ତେବେ ଭାବୁକ ଭାବରେ ମଧୁସୂଦନଙ୍କ ସ୍ଥାନ ଅତି ଉଚ୍ଚରେ । କିନ୍ତୁ ଗାନ୍ଧୀଜୀଙ୍କ ଚିନ୍ତା ଓ କର୍ମର ସମନ୍ଵୟ ଯୋଗୁଁ ସେ ବିଶ୍ଵବିଖ୍ୟାତ ନେତା ।

 

ମଧୁବାବୁଙ୍କ ଏହି ନିରର୍ଥକ ଜୀବନ ପାଇଁ ସେ କାଳର ବେଷ୍ଟନୀ ମଧ୍ୟ ଦାୟୀ । ମଧୁବାବୁ ତାଙ୍କ ଯୁଗର ଆଗେ ଆଗେ । ବିଶେଷତଃ ସେତେବେଳେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶରେ କାମ କରିବାକୁ ଶିକ୍ଷିତ କର୍ମୀଙ୍କର ବିଶେଷ ଅଭାବ । ସ୍ଵାର୍ଥତ୍ୟାଗ କରି ଜାତୀୟ ଜୀବନଯାପନର ଆଦର୍ଶର ମୂଳପତ୍ତନ କେବଳ ମଧୁସୂଦନଙ୍କ ଜୀବନରେ । ସେ ଜୀବନର ସୌଧ ତାଙ୍କ ଯୁଗ ପରେ ଉତ୍କଳ ତଥ୍ୟ ଭାରତରେ କିପରି ଗଠନ ହୋଇଛି ତାହା ଅନୁଧ୍ୟାନ କରିବା କଥା । ତଥାପି ସେ ଅନ୍ଧାର ଯୁଗରେ ସେ ଏକ ଅସାଧାରଣ ଆଦର୍ଶ ବର୍ତ୍ତିକା ।

 

ମଧୁବାବୁଙ୍କ ବ୍ୟକ୍ତିତ୍ଵର ଆହୁରି ଗୋଟିଏ ବିଶେଷତ୍ଵ ଥିଲା । ସେ ଜାତିର ଶେଷ ସ୍ତର ପର୍ଯ୍ୟନ୍ତ ସକଳ ଶ୍ରେଣୀଙ୍କ ପ୍ରାଣକୁ ସ୍ପର୍ଶ କରିପାରୁଥିଲେ । ମଧୁବାବୁଙ୍କ ପ୍ରଭାବ ଦେଶର ଉଚ୍ଚସ୍ତର ରାଜା ମହାରାଜଙ୍କଠାରୁ ନିମ୍ନତମସ୍ତର ଅସ୍ପୃଶ୍ୟମାନଙ୍କ ପର୍ଯନ୍ତ ସର୍ବତ୍ର ପହଞ୍ଚି ପାରିଥିଲା । ଓକିଲ ଭାବରେ ମଧୁସୂଦନଙ୍କ ବୃତ୍ତି-ବିଚକ୍ଷଣତା, ସ୍ପଦନମୟୀ ବାଗ୍ମିତାର ଚାତୁରୀ, ସାଧାରଣ କ୍ଷେତ୍ରରେ ଅସାଧାରଣ ମାନସିକ ଶକ୍ତି, ଉତ୍କଳ କାହିକିଁ, ଭାରତର ଗର୍ବର ସାମଗ୍ରୀ ।

 

“ଉତ୍କଳ ବରେଣ୍ୟ ନୁନୁ ହେ ମଧୁସୂଦନ ।

ତୁମ୍ଭ ଲାଗି ଏକା ଆଜି ଏ ଉତ୍କଳ ଧନ୍ୟ ।’’

(ଗୋଦାବରୀଶ)

୧୮. ମହାଯାତ୍ରୀ ମଧୁସୂଦନ

ଅସ୍ତଗାମୀ ସୂର୍ଯ୍ୟ ପରି ମଧୁସୂଦନଙ୍କ ଜୀବନ-ଶିଖାକ୍ରମେ ଲିଭି ଆସୁଥିଲା । ଜନନେତା ମୃତ୍ୟୁ ସହିତ ଆଉ କେତେକାଳ ଲଢ଼ିବେ ? ୧୯୩୪ ମସିହା ଜାନୁୟାରୀ ୨୫ ତାରିଖରେ ମଧୁସୂଦନ ପ୍ରଥମେ ହଠାତ ସ୍ନାନ ପୂର୍ବରୁ ମୂର୍ଚ୍ଛା ମାରିଗଲେ । ଏହା ପୂର୍ବରୁ ବୃଦ୍ଧ ରୁଗ୍‍ଣ ଓ ବଡ଼ ଦୁର୍ବଳ ହୋଇ ପଡ଼ିଥିଲେ । ସେହି ଦିନରୁ ମୃତ୍ୟୁ ଶଯ୍ୟାରେ ବୃଦ୍ଧ ଶୋଇ ରହିଲେ । ସେହି ସମୟରେ ମଧୁସୂଦନଙ୍କ ଇଶ୍ଵର ପ୍ରୀତି ବଡ଼ କରୁଣ । ସେ ବଡ଼ କରୁଣ ଭାବରେ ଭଗବତ ପ୍ରାର୍ଥନା ଗାଉଥିଲେ । କିନ୍ତୁ ମଧୁସୂଦନ ମରଣ-ବିଭୀଷିକା ସମକ୍ଷରେ ଶାନ୍ତିଭୋଗ କରୁଥିଲେ । ବୃଦ୍ଧ ରୋଗ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ, ତଥାପି ତାଙ୍କ ଅନ୍ତର ଅନନ୍ତ ଆନନ୍ଦ ଅନୁଭବ କରୁଥିଲା । ଏହି ମୃତ୍ୟୁଶଯ୍ୟାରେ ଗୋଟିଏ ଦୃଶ୍ୟର ବର୍ଣ୍ଣନା ଏଠାରେ ଦେବା ପ୍ରୟୋଜନ ।

 

“ଆପଣଙ୍କ ପାଇଁ ସମସ୍ତେ ବ୍ୟସ୍ତ ହେଉଅଛନ୍ତି’’ ବୋଲି ଜଣେ ମହିଳା ରୋଗଶଯ୍ୟା ନିକଟରେ କହିଲେ ।

 

ମଧୁବାବୁ ଧୀରେ ଧୀରେ କହିଲେ “ଚନ୍ଦ୍ରର (ଜନୈକ ଭଦ୍ରବ୍ୟକ୍ତିଙ୍କର ନାମ) ମୋର ବଞ୍ଚିବାରେ ଯାଏ ଆସେ କେତେ ?’’ ଆଉ କାହାର ଯାଏ ଆସେ ?”

 

ମଧୁବାବୁ ଅତି ଉଚ୍ଚ ସ୍ଵରରେ କହିଲେ “ଓଡ଼ିଆ ଜାତିର ।’’ ମଧୁବାବୁଙ୍କ ବ୍ୟକ୍ତିତ୍ଵର ପୂର୍ଣ ବିକାଶ ଏହିଠାରେ ।

 

ମଧୁବାବୁ ସେହି ରୋଗଶଯ୍ୟାରେ ବାଳଚରମାନଙ୍କୁ କହିଥିଲେ –

 

ମୁଁ ତ ଯାଉଛି , ମନେ ରଖିଥିବ ଜଣେ ଓଡ଼ିଆ ଥିଲା । ଏତିକି ମନେରଖିଥିବ । ଏହାହିଁ ତାଙ୍କର ଉତ୍କଳ ପ୍ରତି ଶେଷ ବାଣୀ । ମଧୁସୂଦନଙ୍କ ମୃତ୍ୟୁ ଶଯ୍ୟାରେ ତାଙ୍କ ବାଣୀଗୁଡ଼ିକ ଆଲୋଚନା କଲେ ଆମ୍ଭେମାନେ ମହାଯାତ୍ରୀ ମଧୁସୂଦନଙ୍କ ଗଭୀର ଇଶ୍ଵର-ଅନୁରାଗ ଓ ପ୍ରଗାଢ଼ ଦେଶପ୍ରୀତିର ପୂର୍ଣ୍ଣ ପରିଚୟ ପାଉ । ସେ ସର୍ବଦା ଜୀବନ ଓ ମରଣକୁ ସମ ଚକ୍ଷୁରେ ଦେଖୁଥିଲେ । ସେ ଜଗତର ଲୋକଙ୍କୁ କେବେ ହେୟ ଦୃଷ୍ଟିରେ ଦେଖୁନଥିଲେ । ତେଣୁ ମୃତ୍ୟୁ ଶଯ୍ୟାରେ ଆଗନ୍ତୁକ ସକଳ ଆବାଳ ବୃଦ୍ଧବନିତାଙ୍କଠାରୁ ବିନୟ ଭାବରେ ବିଦାୟ ନେଇଥିଲେ । ଉତ୍କଳର କୋଟି ସନ୍ତାନଙ୍କୁ ସେ ଗୋଟିଏ ମାଆର ବୋଲି ଭାବୁଥିଲେ । ତାଙ୍କ ପ୍ରାଣ ସେଥିପାଇଁ ଶେଷ ମୁହୂର୍ତ୍ତରେ ସୁଦ୍ଧା ଉତ୍କଳ ଲାଗି କାନ୍ଦି ଉଠିଥିଲା ।

 

ତାଙ୍କ ମୃତ୍ୟୁର ଗୋଟିଏ ବିଦେଶୀ ଦୈନିକ ସମାଜ ପତ୍ରିକାରୁ ଉଦ୍ଧାର କଲି :-

 

ତିନି ତାରିଖ ରାତି ଆଠଟା ବେଳେ ହାତ ଦୁଇଟି ପ୍ରଥମେ ଥଣ୍ଡା ହୋଇଗଲା । ନଅଟା ବେଳକୁ ମୁହଁରେ ଝାଳ ଦେଖାଗଲା । ତାହାର ଥଣ୍ଡା କ୍ରମେ ବଢ଼ିଲା । ଦଶଟାବେଳେ ଡାକ୍ଟର ଆସି ଦେଖିଲେ ଯେ ନାଡ଼ି ଖରାପ । ରାତି ବାରଟା ପରେ ମଝିରେ ମଝିରେ ନିଜ ମୁଣ୍ଡରେ ହାତ ବୁଲାଉଥାନ୍ତି ।

 

ବାରଟା ବେଳେ ନାକଠାରୁ ମୁହଁ ଏକାବେଳକେ ଥଣ୍ଡା ହୋଇଗଲା । ତା’ପରେ ଦେହରୁ ଝାଳ ବୋହିବାକୁ ଲାଗିଲା । ସେତେବେଳେ ପ୍ରଭୁ ଜିଶୁ ଖ୍ରୀଷ୍ଟଙ୍କର ସଙ୍ଗୀତ ଗାଇ ଶୁଣାଇବାକୁ ଇଙ୍ଗିତ ଦେଲେ । ସଙ୍ଗୀତ ବୋଲାଗଲା । ରାତି ଘ୧। ୧୫ ମି ଠାରୁ ନିଶ୍ଵାସ ଜୋରରେ ଚାଲିଲା । ୧୯୩୪ ମସିହା ଫେବୃୟାରି ୩ ତାରିଖ ରାତି ଘ୧। ୧୫ ମିନିଟ୍‌ରେ ସବୁ ଶେଷ ।’’

 

୧୯. ମଧୁସୃତି

ମଧୁସୂଦନ ମରିଯାଇଛନ୍ତି । ତାଙ୍କ ବିରାଟ ଶବ-ଶୋଭାଯାତ୍ରା ଦେଖିବାର ସୌଭାଗ୍ୟ କେତେକଙ୍କୁ ମିଳିଛି । କିନ୍ତୁ ମୃତ୍ୟୁ କଣ ମଧୁସୂଦନଙ୍କୁ ତାର ଅଧୀନ କରି ପାରିଛି ? ମନୁଷ୍ୟ ମରେ ସତ କିନ୍ତୁ ମୃତ୍ୟୁ ମାନବର ଶେଷ ପରିଣତି ନୁହେଁ । ମୃତ୍ୟୁ କେବେ ମାନବକୁ ତାର ଅଧୀନ କରି ନ ପାରେ ।

 

“ମୃତ୍ୟୁ ନୁହେଁ ମାନବର ଶେଷ ପରିଣତି ।’’

 

ମଧୁସୂଦନଙ୍କ ଶେଷ ଶୋଭାଯାତ୍ରା ଓ ଶବ ସତ୍କାର କାର୍ଯ୍ୟରେ ଜାତି, ବର୍ଣ୍ଣ ଓ ଧର୍ମ ନିବଶେଷରେ ସକଳ ଶ୍ରେଣୀର ଲୋକେ ଆଗ୍ରହରେ ଯୋଗ ଦେଇଥିଲେ ଏବଂ ଜାତୀୟ ବୀରଙ୍କୁ ଅନ୍ତରର ଗଭୀର ଶ୍ରଦ୍ଧ।ଞ୍ଜଳୀ ଅର୍ପଣ କରିଥିଲେ ।

 

ମଧୁସୂଦନଙ୍କ ସମାଧି ଉପରେ ଏକ ସୁନ୍ଦର ସମାଧି-ବେଦୀ ପ୍ରସ୍ତୁତ ହୋଇଅଛି । ଦେଶର ନାନା ଶ୍ରେଣୀର ଲୋକେ ଭିକ୍ଷୁକ, ଶିଳ୍ପୀଗଣ, ଓଡ଼ିଆ ସନ୍ତାନ, ଉତ୍କଳ ଛାତ୍ରବୃନ୍ଦ, ଗଞ୍ଜାମ ଓଡ଼ିଆ ଭାଇ,ଗଞ୍ଜାମ ଜମିଦାରବର୍ଗ, ଉତ୍କଳ ନାରୀଗଣ, ଉତ୍କଳ ଜମିଦାରବର୍ଗ, କଟକର ମହାନଦୀୟ ସଂଘ, ମାଓବାଦି ସମାଜ, କଟକ ଖ୍ରୀଷ୍ଟିୟାନ ମାନେ, ଉତ୍କଳର ବଙ୍ଗ ବାସୀମାନେ,ବନ୍ଧୁଗଣ, ସମାଧିରେ ସ୍ମୃତିଲିପି ଦେଇ ଜାତୀୟ ବିରଙ୍କୁ ସମ୍ମାନ ଦେଖାଇ ଅଛନ୍ତି । ଜଗତରେ ଏମିତି ଆଜି କାହାର ଶକ୍ତିଅଛି ଯେ ମଧୁବାବୁଙ୍କ ସ୍ମୃତି ଉତ୍କଳୀୟ ପ୍ରାଣରୁ ଲୁଚାଇ ଦେବ ?

 

ସମାପ୍ତ

 

***